ଏଫଏଲଓ ୱେବିନାରରେ ବିଶେଷଜ୍ଞଙ୍କ ମତ । ରାଜ୍ୟକୁ ଫେରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଯୁବକଯୁବତୀଙ୍କ ଦକ୍ଷତା ବିକାଶ କରିବାକୁ ହେବ ।

487

କନକ ବ୍ୟୁରୋ : କରୋନା ମହାମାରୀ ଦେଶର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି ଏବଂ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବୁଝିପାରୁନାହାନ୍ତି ଯେ ମାସ ମାସ ଧରି ଚାଲିଥିିବା ଲକଡାଉନରେ କ’ଣ କରିବେ ବା ସ୍ୱାଭାବିକତା ଫେରିବାକୁ ଅପେକ୍ଷା କରି ବର୍ଷଟିଏ ନଷ୍ଟ କରିଦେବେ । ସେହିପରି ରାଜ୍ୟକୁ ଫେରିଥିବା ଲକ୍ଷ ଲକ୍ଷ ଅଣକୁଶଳୀ ଓ ଅର୍ଦ୍ଧ କୁଶଳୀ ଯୁବକଯୁବତୀଙ୍କୁ ଭବିଷ୍ୟତର ନିଯୁକ୍ତି ବଜାର ପାଇଁ ପ୍ରସ୍ତୁତ କରିବାକୁ ହେଲେ ସେମାନଙ୍କୁ ପୁଣି ଦକ୍ଷତା ତାଲିମ ଦେବାକୁ ହେବ ବା ନୂଆ କୌଶଳ ଶିଖାଇବାକୁ ହେବ ।

ଏ ପରିପ୍ରେକ୍ଷୀରେ କୋଭିଡ-୧୯ ପରବର୍ତ୍ତୀ କ୍ୟାରିୟର ସୁଯୋଗ ଓ ସମ୍ଭାବନା ସଂପର୍କରେ ଯୁବପିଢିଙ୍କୁ ସଚେତନ କରିବାକୁ ଫିକ୍କି ମହିଳା ସଂଗଠନ(ଏଫଏଲଓ), ଭୁବନେଶ୍ୱର ପକ୍ଷରୁ ଗ୍ରାମ ତରଙ୍ଗ ସହଯୋଗରେ ଏକ ୱେବିନାର ସିରିଜ ଆରମ୍ଭ ହୋଇଛି ।

ଦଶମ ଓ ଦ୍ୱାଦଶ ପାଶ କରିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଲକ୍ଷ୍ୟ ରଖି ଆୟୋଜନ କରାଯାଉଥିବା ଏସବୁ ଇଣ୍ଟରାକ୍ଟିଭ ୱେବିନାରଗୁଡ଼ିକରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇ କ୍ୟାରିୟର ସଂପର୍କିତ ପରାମର୍ଶ ଦେଉଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଏହି ସିରିଜର ପ୍ରଥମ ୱେବିନାରଟି ଗୁରୁବାରଦିନ ଅନୁଷ୍ଠିତ ହୋଇଯାଇଛି । ୟୁଟ୍ୟୁବ ମାଧ୍ୟମରେ ପ୍ରାୟ ୧୨୦୦ରୁ ଅଧିକ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ଗ୍ରାମତରଙ୍ଗ ପକ୍ଷରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ବିଭିନ୍ନ କାର୍ଯ୍ୟ ଓ ନିଯୁକ୍ତି ସୁଯୋଗ ସଂପର୍କରେ ଏକ ଶିକ୍ଷଣୀୟ ଆଲୋଚନା ଉପସ୍ଥାପନ କରାଯାଇଥିଲା । ଏହି ଅବସରରେ ଏଫଏଲଓ, ଭୁବନେଶ୍ୱରର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ କରୋନା ପରିସ୍ଥିତି ପରେ ଉପଲବ୍ଧ ହେବାକୁ ଥିବା ବିଭିନ୍ନ କ୍ୟାରିୟର ବିକଳ୍ପକୁ ଅନୁସଂଧାନ କରି ତାହା ଅନୁଯାୟୀ ନିଜର ଦକ୍ଷତା ବିକାଶ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ୱେବିନାରରେ ଅତିଥି ବକ୍ତା ଭାବେ ଯୋଗ ଦେଇଥିବା ଶିଳ୍ପ ବିଶେଷଜ୍ଞ ତଥା ଆମେରିକାସ୍ଥିତ କ୍ଲେଭେଲାଣ୍ଡ କ୍ଲିନିକର ମୁଖ୍ୟ ସପ୍ଲାଇଚେନ ଓ ସପୋର୍ଟ ସର୍ଭିସ ଅଫିସର ସିମ୍ରିତ ସାନ୍ଧୁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଏକ ଉପଯୋଗୀ ଅଭିଭାଷଣ ରଖିଥିଲେ । ସେ କହିଥିଲେ ଯେ ଆଜିକାଲି ହସପିଟାଲ କହିଲେ କେବଳ ଡାକ୍ତର କିମ୍ବା ନର୍ସଙ୍କୁ ବୁଝାଏ ନାହିଁ, ବରଂ ଏହା ସହିତ ଜଡ଼ିତ ଆହୁରି ଅନେକ ବିଭାଗକୁ ବୁଝାଏ । ଏକ ହସପିଟାଲର ସପ୍ଲାଇ ଚେନ ବିଭାଗ ଅଧିନରେ ବିଭିନ୍ନ ସାମଗ୍ରୀର ଯୋଗାଣ, ଲାବରୋଟୋରୀ, ଔଷଧ, ଉପକରଣ, ବିଭିନ୍ନ ପ୍ରକାରର ସେବା ଏପରିକି ହସପିଟାଲର ସାଜସଜ୍ଜା କାର୍ଯ୍ୟ ଆଦି ଆସିଥାଏ । ହସପିଟାଲ ପାଇଁ ବିଭିନ୍ନ ସାମଗ୍ରୀର ଖରିଦ, ଆବଣ୍ଟନ ଓ ପରିଚାଳନା ଆଦି କାର୍ଯ୍ୟ ସପ୍ଲାଇଚେନ ଓ ସପୋର୍ଟ ସର୍ଭିସ ଅଧିନରେ ଆସିଥାଏ । ଏଣୁ ଛାତ୍ରଛାତ୍ରୀମାନେ ଏସବୁ ବିଷୟରେ ଜ୍ଞାନ ଆହରଣ କରିବା ଆବଶ୍ୟକ । କେଉଁ କ୍ଷେତ୍ରରେ ଦକ୍ଷ ଲୋକଙ୍କ ଅଭାବ ରହିଛି ସେହି କ୍ଷେତ୍ରରେ ତାଲିମ ନେବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଏପରି ଏକ ଉଦ୍ୟୋଗ ବାଛିବା ଉଚିତ ଯେଉଁଥିରେ ଚାକିରି ସୁରକ୍ଷିତ ରହିବ ଓ ଆତ୍ମସନ୍ତୁଷ୍ଟି ମଧ୍ୟ ମିଳିବ । ନାରୀ ସଶକ୍ତିକରଣ ଉପରେ ମତ ରଖି ସେ କହିଥିଲେ ଯେ ଆମକୁ ଝିଅମାନଙ୍କୁ ଶିକ୍ଷିତ କରି ସେମାନଙ୍କୁ ସମାଜର ଅଭିବୃଦ୍ଧି ପଥରେ ସାମିଲ କରିବାକୁ ହେବ । ବ୍ୟକ୍ତିଗତ ଓ ପେସାଦାର ଜୀବନ ମଧ୍ୟରେ ଆମକୁ ଭାରସାମ୍ୟ ରଖିବାକୁ ହେବ । କ୍ୟାରିୟରରେ ପ୍ରଗତି କରିବାକୁ ହେଲେ ଆମକୁ ଆରାମ ଦାୟକ ଜୀବନ ପରିତ୍ୟାଗ କରିବାକୁ ହେବ ବୋଲି ସିମ୍ରିତ ସାନ୍ଧୁ କହିଛନ୍ତି ।

 

ଏହି ୱେବିନାରରେ ଯୋଗଦେଇଥବା ଆକାଂକ୍ଷା ମିଶ୍ର ନାମ୍ନୀ ଦ୍ୱାଦଶ ଶ୍ରେଣୀ ଛାତ୍ରୀ କହିଛନ୍ତି ଯେ ଏହି ଆଲୋଚନାଚକ୍ରରୁ ଅନେକ କିଛି ଶିଖିବାକୁ ମିଳିଲା । ତାଙ୍କ ବୟସର ଛାତ୍ରଛାତ୍ରୀମାନେ ଅନେକ ସମୟରେ ଜାଣିପାରନ୍ତି ନାହିଁ ଯେ କ୍ୟାରିୟର ଭାବେ କ’ଣ ବାଛିବାକୁ ହେବ ଓ ଆଗକୁ କ’ଣ ପଢିବାକୁ ହେବ ।  ୱେବିନାର ଜରିଆରେ କ୍ୟାରିୟର ପରାମର୍ଶ ଏକ ଅଭିନବ ଉଦ୍ୟମ । ଏଫଏଲଓ ଶିକ୍ଷା ସିରିଜର ପରବର୍ତ୍ତୀ ୱେବିନାରଟି ୨୩ ଜୁନ ସକାଳ ୧୧ଟାରେ ଜିଟିଇଟିର ୟୁଟ୍ୟୁବ ଓ ଫେସବୁକ ଚ୍ୟାନେଲରେ ହେବ । ଆଲୋଚନା ଶେଷରେ ଏଫଏଲଓ ଭୁବନେଶ୍ୱରର ବରିଷ୍ଠ ଉପାଧ୍ୟକ୍ଷା ସୁନୀତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।