ଆଜିଠୁ ପୁଣି ଥରେ ଦେଶରେ ଉଡ଼ାଣ ଭରିଲା ଘରୋଇ ବିମାନ । ଜନସମାଗମ ହେଲା ବିମାନ ବନ୍ଦର ।

104

କନକ ବ୍ୟୁରୋ : ପୁଣି ଆକାଶରେ ଉଡ଼ିଲା ବିମାନ । ଜନସମାଗମ ହେଲା ବିମାନ ବନ୍ଦର । ତାଲାବନ୍ଦ ପାଇଁ ବିମାନ ସେବା ପୁଣି ଥରେ ଆରମ୍ଭ ହେବା ପରେ ଚଳଚଂଚଳ ହୋଇଉଠିଛି ଦେଶର ବିମାନବନ୍ଦର । ଜନଶୂନ୍ୟ ହୋଇପଡିଥିବା ବିମାନବନ୍ଦର ଆଜି ଲୋକଙ୍କୁ ନିଜ ପରିବାର ସହ ମିଶାଇ ଦେଇଛି ।

ଦେଶରେ ଧୀରେ ଧୀରେ ପରସ୍ଥିତି ସୁଧୁରୁଛି । ହାତରେ ଗ୍ଲୋବସ ଓ ମୁହଁରେ ମାସ୍କ ପିନ୍ଧି ବିମାନବନ୍ଦରକୁ ଯାତ୍ରୀଙ୍କ ସୁଅ ଛୁଟିଛି । ମନରେ ଆଶା ଘରକୁ ଫେରିବେ, ପରିଜନଙ୍କ ଭଲ ମନ୍ଦ ବୁଝିବେ । ବିମାନ ବନ୍ଦରରେ ସୁରକ୍ଷା ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଯାତ୍ରୀ ଯେମିତି ସାମାଜିକ ଦୂରତାକୁ ବଜାୟ ରଖିବେ ସେଥିପାଇଁ ଅଟୋମେଟିକ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ ଓ ଫ୍ଲୋର ମାର୍କର ବ୍ୟବସ୍ଥା କରାଯାଇଛି ।

ଆଜି ଭୋର ୪ଟା ୪୫ ମିନିଟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରରୁ ପ୍ରଥମ ବିମାନ ଉଡାଣ ଭରିଥିଲା । ଦିଲ୍ଲୀରୁ ପୁଣେ ଉଡିଥିଲା ଘରୋଇ ବିମାନ । ରାତି ୨ଟାରୁ ଯାତ୍ରୀଙ୍କୁ ବିମାନବନ୍ଦରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୫ରୁ ବିମାନ ସେବା ଠପ ହୋଇପଡ଼ିଥିଲା । କିଏ ଘରେ ତ କିଏ ବାହାରେ ଫଶି ରହିଥିଲେ ।