ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଉଡିବ ବିମାନ । ୧୨ ତାରିଖରୁ ଆରମ୍ଭ ହେବ ବିମାନ ସେବା ।

146

କନକ ବ୍ୟୁରୋ : ଆସନ୍ତା ୧୨ ତାରିଖ ଠାରୁ ଝାରସୁଗୁଡା ଠାରୁ ବେଙ୍ଗାଳୁରୁ ଓ ମୁମ୍ବାଇକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା । ସ୍ପାଇସ ଜେଟ ପକ୍ଷରୁ ଏହି ଉଡାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ଉଭୟ ସ୍ଥାନକୁ ସପ୍ତାହକୁ ୪ ଦିନ ବିମାନ ଚଳାଚଳ କରିବ । ବିମାନ ବନ୍ଦରରେ ଆବଶ୍ୟକିୟ ସଂଖ୍ୟକ ଫାୟାରମ୍ୟାନ ନିଯୁକ୍ତି ହେବା ପରେ ଏହା ୬ ରୁ ୭ କ୍ୟାଟାଗୋରୀ ଯାଇଛି ।

ଫଳରେ ଏଠାରୁ ବୋଇଂ ଉଡାଣ ପଥ ପରିଷ୍କାର ହୋଇଛି । ସେହିପରି ଆସନ୍ତା ୧୧ ତାରିଖରୁ ଦିଲ୍ଲୀ ଓ ଝାରସୁଗୁଡା ମଧ୍ୟରେ ବଡ ବିମାନ ଚଳାଚଳ ଆରମ୍ଭ କରିବ । ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନ ଚଳାଚଳ ଖବର ପ୍ରକାଶ ହେଲା ପରେ ଝାରସୁଗୁଡା ବାସୀଙ୍କ ମନରେ ଖୁସିର ଲହରି ଖେଳି ଯାଇଛି ।

ଝାରସୁଗୁଡାକୁ ନୂଆବର୍ଷ ଭେଟି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମୁମ୍ବାଇ ଏବଂ ବାଙ୍ଗାଲୋରକୁ ଉଡାଣ ଭରିବ ସ୍ପାଇସ ଜେଟ୍ । ସ୍ପାଇସଜେଟ ପକ୍ଷରୁ ୧୪୪ ଯାତ୍ରୀଙ୍କ ପାଇଁ ବୋଇଂ ବିମାନ ଚଳାଚଳ କରିବ । ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଥିବା ସେବା, ସପ୍ତାହରେ ୪ ଦିନ ମିଳିବ । ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସମୟ ତାଲିକା ଘୋଷଣା କରାଯାଇଛି । ପ୍ରତି ମଙ୍ଗଲବାର, ଗୁରୁବାର, ଶନିବାର ଓ ରବିବାର ଦିନ ମୁମ୍ବାଇରୁ ଝାରସୁଗୁଡା ହୋଇ ବେଙ୍ଗଳୁରୁକୁ ଉଡିବ ବିମାନ । ସେହିଭଳି ବେଙ୍ଗଳୁରରୁୁ ଝାରସୁଗୁଡା ଦେଇ ମୁମ୍ବାଇକୁ ବିମାନ ଚଳାଚଳ କରିବ ।

ଶିଳ୍ପ ବହୁଳ ଝାରସୁଗୁଡାରେ ବିମାନ ବନ୍ଦର ପ୍ରତିଷ୍ଠା ହେବା ପରେ ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନ ସେବା ପାଇଁ ଦାବି ହୋଇଥିଲା । ଲୋକଙ୍କ ଦାବିକୁ ନଜରରେ ରଖି ଉଡାଣ ସ୍କିମରେ ଝାରସୁଗୁଡାରୁ ବିମାନ ଚଳାଚଳ ପାଇଁ ଯୋଜନା କରିଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ହେଲେ କରୋନା କାଳରେ ଯାତ୍ରୀଙ୍କ ଯାତାୟତ କମ ଥିବାରୁ ବିମାନ ଚଳାଚଳ ପାଇଁ ଅରାଜି ଥିଲେ ବିମାନ ସେବା ପ୍ରଦାନ କାରୀ ସଂସ୍ଥା ।

ଆଉ ଏବେ ସ୍ଥିତିରେ ଟିକେ ସୁଧାର ଆସିବା ପରେ ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ବିମାନ ଚଳାଚଳ ହେଲେ ପଶ୍ଚିମ ଓଡିଶାବାସୀ ସମେତ ପଡୋଶୀ ଛତିଶଗଡ ଓ ଝାରଖଣ୍ଡର ଯାତ୍ରୀ ଉପକୃତ ହେବେ । ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନ ଚଳାଚଳ କଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ସ୍ଥାନୀୟ ଲୋକେ ଲାଭବାନ ହେବେ ବୋଲି ମତ ପ୍ରକାଶ କରିଛନ୍ତି ।