ନୂଆ ବର୍ଷରେ ନୂଆ ବିମାନ ଦେଖିବ ଝାରସୁଗୁଡା ବିମାନ ବନ୍ଦର !

292

କନକ ବ୍ୟୁରୋ : ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଖୁସି ଖବର । ୨୦୧୯ ଜାନୁଆରୀର ପ୍ରଥମ ସପ୍ତାହରୁ ଉଡାଣ ଯୋଜନାରେ ଝାରସୁଗୁଡା ବିମାନ ବନ୍ଦରରୁ ଉଡିବ ବିମାନ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସେକ୍ରେଟାରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ପରେ ଏଭଳି ନିଷ୍କର୍ସ ସାମ୍ନାକୁ ଆସିଛି । ଝାରସୁଗୁଡାରେ ବିମାନ ବନ୍ଦର ରହିଛି ସତ କିନ୍ତୁ ଉଦଘାଟନ ପରେ ବିମାନବନ୍ଦରରେ କେବଳ ପକ୍ଷୀ ଉଡୁଥିବାର ଦେଖିବାକୁ ମିଳିଥିଲା ।

ସେପ୍ଟେମ୍ବର ୨୨ । ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ମୋଦି ଆଣିଥିଲେ ବଡ ଉପହାର । ଉଡାଣ ଯୋଜନାରେ ବିମାନ ଚଳାଚଳ ପାଇଁ ମୋଦି ଉଦଘାଟିତ କରିଥିଲେ ୨୧୦ କୋଟି ଟଙ୍କାରେ ନିର୍ମିତ  ଝାରସୁଗୁଡା ବିମାନ ବନ୍ଦର । ଉଦଘାଟନ ଦିନ ଅନେକ ସ୍ୱପ୍ନ ଦେଖାଇଥିଲେ ପ୍ରଧାନମନ୍ତ୍ରୀ । ଉଦଘାଟନ ଦିନ ନୂଆ ଏୟାରପୋର୍ଟରୁ ବିମାନ ଉଡିଥିଲା । ହାବାଇ ଚପଲ୍ ପିନ୍ଧୁଥିବା ଲୋକ ହାବାଇ ଜାହାଜରେ ଉଡିବାର ସ୍ୱପ୍ନ ଦେଖାଇଥିଲେ ପ୍ରଧାନମନ୍ତ୍ରୀ ।  ଏପରିକି ଦୀର୍ଘ ଦିନର ସ୍ୱପ୍ନ ସାକାର ହେଲା ବୋଲି ପଶ୍ଚିମ ଓଡିଶାବାସୀ ଭାବିଥିଲେ । କିନ୍ତୁ ଏହାର ଦିନକ ପରେ ଯାତ୍ରୀ ମାନଙ୍କର ସ୍ୱପ୍ନ ଧୂଳିସାତ୍ ହୋଇଥିଲା ।

ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଦୀର୍ଘ ଦିନ ହେଲା ଏଠାରୁ କୌଣସି ବିମାନ ଉଡାଣ କରୁ ନାହିଁ ।ଯେଉଁଥିପାଇଁ ମୋଦିଙ୍କ ଉଡାଣ ଯୋଜନାକୁ ନେଇ ଅର୍ନ୍ତଜାତୀୟ ଗଣମାଧ୍ୟମରେ ମଧ୍ୟ ଟ୍ରୋଲ ହେବାକୁ ପଡିଥିଲା । ଏପରିକି ଝାରସୁଗୁଡାକୁ ଯଥାସମ୍ଭବ ବିମାନ ଚଳାଚଳ କରିବାକୁ ସ୍ଥାନୀୟ ବିଧାୟକ ମଧ୍ୟ ଅନଶନରେ ବସିଥିଲେ । ତେବେ ବିମାନ ଉଡାଣ ନ କରିବା ପଛର ମୁଖ୍ୟ କାରଣ ଥିଲା ଏୟାର ଓଡିଶା ସଂସ୍ଥା । କାରଣ ଏହି ସଂସ୍ଥାକୁ ହିଁ ବିମାନ ଚଳାଚଳ କରିବାକୁ ଦାୟିତ୍ୱ ମିଳିଥିଲା । କିନ୍ତୁ ଉଦଘାଟନ ପର ଦିନ ଠାରୁ ହିଁ ନିଦାବିଷ୍ଣୁ ପାଲଟି ଯାଇଥିଲା ଏୟାର ଓଡିଶା ସଂସ୍ଥା । ଟିକେଟ କାଟି ମଧ୍ୟ ଯାତ୍ରୀ ମାନେ ବିମାନରେ ଯାତ୍ରା କରିପାରିନଥିଲେ । ତେବେ ପୂରା ଘଟଣାକୁ ନେଇ ଯେତେବେଳେ ଏୟାର ଓଡିଶା କର୍ତୃପକ୍ଷଙ୍କୁ ପ୍ରଶ୍ନ କରାଯାଉଛି ସେତେବେଳେ କେହି ଧରାଛୁଆଁ ଦେଇନଥିଲେ ।

ତେବେ ଏହି ଘଟଣାରେ ଏୟାର ଓଡିଶାକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଆଉ ପରବର୍ତ୍ତୀ ସମୟରେ ଏୟାର ଓଡିଶାର ଉଡାଣ ଅନୁମତି ବାତିଲ ମଧ୍ୟ କରିଥିଲେ । ଯାହାକୁ ନେଇ ଝାରସୁଗୁଡା ବିମାନବନ୍ଦରର ଭବିଷ୍ୟତ ଅନ୍ଧାରକୁ ଚାଲିଯାଇଥିଲା । ପୁଣି କେବେ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ଉଡିବ ତାହାକୁ ନେଇ ଆଶଙ୍କାରେ ଥିଲେ ଯାତ୍ରୀ । ଆଉ ଏଭଳି ସମୟରେ ନବୀନଙ୍କ ସହ ବେସମାରିକ ବିମାନ ଚଳାଚଳ ସେକ୍ରେଟାରୀଙ୍କ ଆଲୋଚନା ପରେ ଝାରସୁଗୁଡାରୁ ନୂଆବର୍ଷରୁ ପୁଣିଥରେ ନୂଆ ବିମାନ ଉଡିବା ନେଇ ଗ୍ରୀନ୍ ସିଗନାଲ ମିଳିଛି ।