ଭୁବନେଶ୍ୱରରୁ ରାଜସ୍ଥାନ ଜୟପୁରକୁ ସିଧା ଉଡିବ ବିମାନ : ଜାଣନ୍ତୁ ସପ୍ତାହକୁ କେତେ ଦିନ ଏହି ସେବା ଯୋଗାଇବ ଇଣ୍ଡିଗୋ ?

69

କନକ ବ୍ୟୁରୋ : ଭୁବନେଶ୍ୱରରୁ ରାଜସ୍ଥାନ ଜୟପୁରକୁ ସିଧା ଉଡିବ ବିମାନ । ଆରମ୍ଭ ହେଲା ଇଣ୍ଡିଗୋ ବିମାନ ସେବା । ଭର୍ଚୁଆଲରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ସମ୍ବିତ ପାତ୍ର, ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ, ବର୍ତମାନ ଭୁବନେଶ୍ୱର ବିମାନ ବନ୍ଦରରୁ ୩୮ଟି ବିମାନ ଚଳାଚଳ କରୁଛି ଏବଂ ୧୯ ଟି ସହର ସହ ଭୁବନେଶ୍ୱର ଯୋଡି ହୋଇଛି । ଭୁବନେଶ୍ୱରରୁ ରାଜସ୍ଥାନ ଜୟପୁରକୁ ସିଧା ବିମାନ ଉଡିବା ଦ୍ୱାରା ଲୋକଙ୍କ ଯିବା ଆସିବା ସହଜ ହେବ । ବ୍ୟବସାୟ ବଢିବ, ଲୋକଙ୍କ ରୋଜଗାର ମଧ୍ୟ ବଢିବ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରର ବିମାନ ବନ୍ଦରର ସଂପ୍ରସାରଣ ଓ ଭୁବନେଶ୍ୱରରେ ଆଉ ଏକ ବିମାନ ବନ୍ଦର ପାଇଁ ଦାବି କରିଥିଲେ । ସେହିପରି କିଷାନ ଉଡାନ ଯୋଜନା ଓ ବେସାମରିକ ବିମାନ ଚଳାଚଳ ବିଭାଗର ମହତ୍ୱାକାଂକ୍ଷୀ ଡ୍ରୋଣ ଯୋଜନା ଉପରେ ଗୁରୁତ୍ୱ ଦେଇଛନ୍ତି ।

ସପ୍ତାହକୁ କେତେ ଦିନ ଏହି ସେବା ଯୋଗାଇବ ଇଣ୍ଡିଗୋ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଂଜନ ବେଉରିଆ ।

– ଇଣ୍ଡିଗୋ ଫ୍ଲାଇଟରେ ଏହି ସେବା ସପ୍ତାହକୁ ୩ ଥର ମିଳିବ
– ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ଚଳାଚଳ କରିବ
– ରାତି ୯ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଛାଡିବ
– ପ୍ରତ୍ୟେକ ରାଉଣ୍ଡ ଟ୍ରିପ୍ ପିଛା ରାଜ୍ୟ ସରକାରଙ୍କୁ ୭୫ ହଜାର ଟଙ୍କା ଦେବାକୁ ପଡ଼ିବ
– ଡିସେମ୍ବର ୨୨ରୁ ଭୁବନେଶ୍ୱରରୁ ଗୋଆ ବିମାନ ଚଳାଚଳ କରିବ
– ଗୋଆକୁ ସପ୍ତାହର ସବୁ ଦିନ ଚାଲିବ ଇଣ୍ଡିଗୋ ବିମାନ