ବେଙ୍ଗାଲୁରୁରେ ରାତିଅଧିଆ ଡ୍ରାମା ! ହୋଟେଲରୁ ବସରେ ବିଧାୟକଙ୍କୁ ବୋହିନେଲେ କଂଗ୍ରେସ ଓ ଜେଡିଏସ୍ । ସେପଟେ କର୍ଣ୍ଣାଟକ ନ୍ୟାୟରେ ଦାବି ଜଣାଇବେ ମଣିପୁର, ମେଘାଳୟ, ଗୋଆ ଓ ବିହାର

40

କନକ ବ୍ୟୁରୋ: କର୍ଣ୍ଣାଟକ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବାବେଳେ ରାଜନୈତିକ ହଚଟମଟ ଜାରି ରହିଛି । ବହୁମତ ଦେଖାଇବାକୁ ବିଜେପି ଓ କଂଗ୍ରେସ-ଜେଡିଏସ ଶିବିର ଉଦ୍ୟମ ଜାରି ରଖିଛନ୍ତି । ଗତକାଲି ରାତିରେ ପୁଣି ବେଙ୍ଗାଲୁରୁରେ କଂଗ୍ରେସ ଓ ଜେଡିଏସ ଶିବିରରେ ହାଇ ଡ୍ରାମା ଦେଖିବାକୁ ମିଳିଛି । ବେଙ୍ଗାଲୁରୁର ଏକ ରିସର୍ଟରେ ଥିବା କଂଗ୍ରେସ ବିଧାୟକଙ୍କୁ ରାଜ୍ୟ ବାହାରକୁ ନିଆଯାଇଛି ।

ମିଳିଥିବା ଖବର ଅନୁସାରେ, ସମସ୍ତ ବିଧାୟକ ହାଇଦ୍ରାବାଦ ଯାଇଛନ୍ତି । ତେବେ ଦୁଇଜଣ ବିଧାୟକ ରାଜଶେଖର ପାଟିଲ ଓ ପ୍ରତାପ ଗୌଡ ପାଟିଲ ଏବେ ବି କଂଗ୍ରେସ ସହ ସମ୍ପର୍କରେ ନାହାନ୍ତି । କଂଗ୍ରେସ ଦାବି କରିଛି, ବିଜେପିର କିଛି ବିଧାୟକ ସେମାନଙ୍କ ସମ୍ପର୍କରେ ଅଛନ୍ତି । ସେହିଭଳି ଜେଡିଏସର ବିଧାୟକ ବି ଗତକାଲି ବେଙ୍ଗୁଲୁରୁର ହୋଟେଲ ଛାଡିଛନ୍ତି । କିଛି ବିଧାୟକ କେରଳର କୋଚି ଓ ଆଉ କିଛି ବିଧାୟକ ହାଇଦ୍ରବାଦ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗତାକାଲି ବେଙ୍ଗାଲୁରୁର ଏକ ହୋଟେଲରେ ଜେଡିଏସ ନେତା କୁମାର ସ୍ୱାମୀଙ୍କ ସହ କଂଗ୍ରେସ ନେତାଙ୍କ ଦୀର୍ଘ ସମୟ ଧରି ବୈଠକ ହୋଇଛି । କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ଏଚ.ଡି.ଦେବଗୌଡାଙ୍କ ସହିତ କଥାବାର୍ତା ହୋଇଛନ୍ତି ।

ମିଳିଥିବା ଖବର ଅନୁସାରେ, ନବନିର୍ବାଚିତ ବିଧାୟକ ଆନନ୍ଦ ସିଂ କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି । ଏ ନେଇ ସେ ଦଳ ହାଇକମାଣ୍ଡଙ୍କୁ ଜଣାଇଦେଇଛନ୍ତି । ସେ ସଦସ୍ୟ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଏଭଳି ହେଲେ ବହୁମତ ପାଇଁ ଆବଶ୍ୟକ ସଂଖ୍ୟାରେ କିଛି ପରିବର୍ତନ ହୋଇପାରେ । କଂଗ୍ରେସ ଘରୋଇ ବିମାନରେ ବିଧାୟକଙ୍କୁ ରାଜ୍ୟ ବାହାରକୁ ନେବାକୁ ଚାହୁଁଥିଲେ ବି ଡିଜିସିଏ ଏଥିପାଇଁ ଅନୁମତି ଦେଇନାହିଁ ।

ଅନ୍ୟପଟେ ଆଜି ସାରା ଦେଶରେ ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ପ୍ରତିବାଦରେ ଦେଶ ବ୍ୟାପି ବିରୋଧ ପ୍ରଦର୍ଶନ କରିବ କଂଗ୍ରେସ । ଏଥିପାଇଁ ଦଳର କର୍ମୀମାନେ ବିଭିନ୍ନ ଜିଲ୍ଲା ଓ ରାଜ୍ୟର ମୁଖ୍ୟାଳୟଠାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବେ । ସେପଟେ କର୍ଣ୍ଣାଟକ ନ୍ୟାୟରେ ସରକାର ଗଠନ ପାଇଁ ନିଜ ନିଜ ରାଜ୍ୟର ରାଜ୍ୟପାଳଙ୍କ ନିକଟରେ ଦାବି କରିବେ ଗୋଆ କଂଗ୍ରେସ ଓ ବିହାର ଆରଜେଡି । କାରଣ ଏହି ଦୁଇ ରାଜ୍ୟରେ ସବୁଠାରୁ ବଡ ଦଳ ସରକାର ନକରି ଅନ୍ୟ ଦଳଙ୍କ ସହ ମେଂଟ କରି ସରକାର ଗଢିଛି ବିଜେପି । ମଣିପୁର, ମେଘାଳୟରେ ବି ଉଠିଛି ଅନୁରୂପ ଦାବି । ଏହି ଦାବି ନେଇ ବିରୋଧୀ ମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । କର୍ଣ୍ଣାଟକ ନ୍ୟାୟର ଦ୍ୱାହି ଦେଇ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି । କର୍ଣ୍ଣାଟକରେ ବିଜେପି ସରକାର ଗଠନ ପରେ ଏବେ ସାଧାରଣରେ ବି ପ୍ରଶ୍ନ ଉଠିଛି, ଯଦି କର୍ଣ୍ଣାଟକରେ ବିଜେପିକୁ ସୁଯୋଗ ମିଳିଲା, ତେବେ ଅନ୍ୟ ଦଳକୁ କାହିଁକି ନୁହେଁ?