ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗଳୁରୁକୁ ଉଡ଼ିବ ବିମାନ: ପ୍ରଥମ ଦିନରେ ବେଙ୍ଗାଲୁରୁ ପାଇଁ ୮୦% ଓ ମୁମ୍ବାଇକୁ ୫୦% ଟିକେଟ ବୁକିଂ

ସପ୍ତାହକୁ ୪ ଦିନ ବିମାନ ଉଡ଼ାଇବ ସ୍ପାଇସ ଜେଟ୍

115

କନକ ବ୍ୟୁରୋ: ଆଜିଠାରୁ ଝାରସୁଗୁଡାରୁ ବେଙ୍ଗଳୁରୁ ଓ ମୁମ୍ବାଇକୁ ବିମାନ ଉଡିବ । ଏହି ବହୁ ପ୍ରତିକ୍ଷିତ ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାରେ ଖୁସି ପ୍ରକାଶ ପାଇଛି । ପ୍ରଥମ ବିମାନ ଉଡାଣ ପାଇଁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସ୍ପାଇସ ଜେଟ୍ ପକ୍ଷରୁ ବୋଇଂ -୭୩୭,  ସପ୍ତାହକୁ ୪ ଦିନ ଏହି ବିମାନ ଚାଲିବ । ଆଜି ପ୍ରଥମ ଫ୍ଲାଇଟ ମୁମ୍ବାଇରୁ ବାହାରି ଝାରସୁଗୁଡାରେ ଦିନ ସାଢେ ୧୨ ଟାରେ ପହଂଚିବ । ଝାରସୁଗୁଡାରେ ଅଧଘଂଟା ରହଣି ପରେ ଏହି ବିମାନ ବେଙ୍ଗଳୁରୁ ଦିନ ଗୋଟାଏରେ ଉଡାଣ ଭରିବ ।

ଠିକ ସେହିପରି ବେଙ୍ଗଳୁରୁରୁ ଆସି ଝାରସୁଗୁଡାରେ ଏକ ବିମାନ ସଂନ୍ଧ୍ୟା ୫ ଟା ୪୦ ମିନିଟରେ ପହଂଚିବ ଓ ସଂନ୍ଧ୍ୟା ୬ ଟା ୧୦ ମିନିଟରେ ଝାରସୁଗୁଡାରୁ ମୁମ୍ବାଇକୁ ଉଡିବ । ଆଜି ବିମାନଟି ମୁମ୍ବାଇରୁ ଝାରସୁଗୁଡା ଆସିବା ପରେ ବାଟର ସ୍ୟାଲୁଟ ଦିଆଯିବା ସହିତ ଆସୁଥିବା ଓ ଯାଉଥିବା ଯାତ୍ରୀଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯିବ । ଆଜି ପ୍ରଥମ ଦିନରେ ବେଙ୍ଗଳୁରୁ ପାଇଁ ୮୦ ପ୍ରତିଶତ ଓ ମୁମ୍ବାଇକୁ ୫୦ ପ୍ରତିଶତ ଟିକେଟ ବୁକିଂ ହୋଇଥିବା ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ।