କନକ ବ୍ୟୁରୋ : ଆକାଶରେ ଉଡୁଥିବା ଏକ ବିମାନ ହଠାତ କୌଣସି ଯାନ୍ତ୍ରୀକ ତୃଟି ଯୋଗୁଁ ଦୁର୍ଘଟଣାରେ ଶିକାର ହୋଇଥିଲା । ହେଲେ ଏହି ଦୁର୍ଘଟଣା ପରେ ପାଇଲଟ ଓ ଯାତ୍ରୀ ଯେଭଳି ଭାବେ ସୁରକ୍ଷିତ ରହିଲେ ତାହା ଜାଣିଲେ ଆପଣ ଚକିତ ହୋଇଯିବେ । ବିମାନଟି ଦୁର୍ଘଟଣା ପରେ ଖସିପଡୁଥିବା ବେଳେ ହଠାତ ଏକ ଗଛର ଡାଳରେ ଫଶି ଯାଇଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ଯେତେବେଳେ ପହଂଚିଲେ, ଦେଖିଲେ ଯେ ଏକ ୪୦ ଫୁଟ ଉଚ୍ଚତାର ଗଛ ଉପରେ ବିମାନଟି ଝୁଲି ରହିଛି ।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ମୁତାବକ ଏହି ବିମାନଟିରେ ମାତ୍ର ୨ ଜଣ ଯାତ୍ରୀ ଥିଲେ । ଅର୍ଥାତ ସ୍ୱାମୀ ବିମାନର ପାଇଲଟ ଭାବେ ଚଳାଉଥିବା ବେଳେ ସ୍ତ୍ରୀ ଯାତ୍ରୀଭାବେ ବିମାନରେ ବସିଥିଲେ । ସେମାନେ ବ୍ରିଟେନର ରୋଚଷ୍ଟାର ବିମାନବନ୍ଦରରୁ ଓଡାଣ ଆରମ୍ଭ କରିଥିଲେ । ହେଲେ ଓଡାଣ ଭରିବାର ମାତ୍ର କିଛି ସମୟ ପରେ ବିମାନଟି ଏକ ଜଙ୍ଗଲ ଇଲାକାରେ ଦୁର୍ଘଟଣାର ଶିକାର ହୋଇଥିଲା ।
କୁହାଯାଉଛି କି, ବିମାନଟି ତଳକୁ ଖସିପଡିବା ବେଳେ ପ୍ରଥମେ ଏକ ଗଛ ଡାଳରେ ଫସି ଯାଇଥିଲା । ଏହି ସୁଯୋଗରେ ଉଭୟ ସ୍ୱାମୀ ସ୍ତ୍ରୀ ଗଛର ଡାଳକୁ ଧରି ବିମାନରୁ ବାହାରି ଯାଇଥିଲେ । ଏହାପରେ ବିମାନଟି ତଳକୁ ଖସିପଡିଥିଲା । ହେଲେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଗଛ ଡାଳରେ ସୁରକ୍ଷିତ ଅବସ୍ଥାରେ ରହିଯାଇଥିଲେ । ଏହାପରେ ଉଦ୍ଧାରକାରୀ ଦଳ ସେଠାରେ ପହଂଚି ସେମାନଙ୍କୁ ଉଦ୍ଧାର କରିଛନ୍ତି ।