ଖଣ୍ଡଗିରି ଯାତ୍ରାରେ ନିଖୁଣ ଅଭିନୟ। ମଞ୍ଚକୁ ଚେୟାର ଫିଙ୍ଗିଲେ ଦର୍ଶକ।

367

କନକ ବ୍ୟୁରୋ: କାହାଣୀର ହିରୋକୁ ତାଳି ମିଳେ ଆଉ ଭିଲେନକୁ ଗାଳି । ଭଲ ଚରିତ୍ରରେ ଅଭିନୟ କଲାବେଳେ ଦର୍ଶକଙ୍କ ତାଳି ଯେମିତି ଉତ୍ସାହିତ କରେ, ଠିକ ସେମିତି ଖଳନାୟକ ଭୂମିକାରେ ଅଭିନୟ କରୁଥିବା କଳାକାର ପାଇଁ ହୁଏତ ଦର୍ଶକଙ୍କ ଘୃଣା ହିଁ ପୁରସ୍କାର ସଦୃଶ । ଗତ ୯ ତାରିଖରେ ଖଣ୍ଡଗିରି ଯାତ୍ରା ପଡିଆର ଦୃଶ୍ୟ । ତୁଳସୀ ଗଣନାଟ୍ୟର ‘ଅଧା ରାତିର ସାଥୀ’ କାହାଣୀଟି ମଞ୍ଚରେ ପରିବେଷଣ ହେଉଥିଲା । କାହାଣୀ ଅନୁସାରେ ଅଭିନେତା ପୀୟୁଷ ନିଜ ବୃଦ୍ଧା ମାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ । ମଞ୍ଚ ଉପରେ ଚୁଟିକୁ ଧରି ଘୋଷାଡିବାଠୁ ଆରମ୍ଭ କରି ତଳେ ପକାଇ ମୁଥ ମାରିବା ଯାଏଁ ଦୃଶ୍ୟ ରହିଥିଲା । ଅଭିନୟ ଏତେ ବାସ୍ତବଧର୍ମୀ ଥିଲା ଯେ, ଦର୍ଶକ ରାଗି ପାଚି ଲାଲ ହୋଇଯାଇଥିଲେ । ଅଭିନୟ ଏତେ ନିଖୁଣ ଥିଲା ଯେ, ଲୋକେ ଉତ୍ତେଜିତ ହୋଇ ଅଭିନେତାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ ।

ମାଆ ପ୍ରତି ସମସ୍ତଙ୍କ ଭିତରେ ଆବେଗ ରହିଥାଏ । ଆଉ ମଞ୍ଚ ଉପରେ ଜଣେ ମାଆ ଉପରେ ନିର୍ଦ୍ଦୟ ପୁଅର ଏଭଳି ଅକଥନୀୟ ଅତ୍ୟାଚାର ଦେଖି ଦର୍ଶକ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ । ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପୀୟୁଷଙ୍କୁ ଲକ୍ଷ୍ୟ କରି ଚେୟାର ଫିଙ୍ଗିଥିଲେ । ଆଉ ସ୍ଥିତି ଏପରି ହେଲା ଯେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ଉତ୍ତେଜିତ ଦର୍ଶକଙ୍କୁ ଶାନ୍ତ କରିବା ପାଇଁ କିଛି ସମୟ ଯାତ୍ରା ବନ୍ଦ କରିବାକୁ ପଡିଥିଲା । ଉପସ୍ଥିତ ଦର୍ଶକଙ୍କୁ ବୁଝାସୁଝା କରିବା ପରେ ଯାତ୍ରା ସ୍ୱାଭାବିକ ହୋଇଥିଲା । ଟେଲି ସିରିଏଲରେ ଅଭିନୟ କରୁଥିବା ପୀୟୂଷ ଏବେ ତୁଳସୀ ଗଣନାଟ୍ୟରେ ଯୋଗଦେବା ପରେ ବେଶ ଦର୍ଶକୀୟ ଆଦୃତି ପାଉଛନ୍ତି ।

ବେଳେ ବେଳେ ଅଭିନୟକୁ ବାସ୍ତବଧର୍ମୀ କରିବାକୁ ଯାଇ ନାଟକରେ ଏଭଳି ଦୃଶ୍ୟକୁ ଯାତ୍ରାପାର୍ଟି ସ୍ଥାନ ଦେଉଛନ୍ତି, ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ନୃଶଂସତାକୁ ପ୍ରଦର୍ଶନ କରିବାକୁ ଯାଇ ଯାତ୍ରା ଟାଇଗର ଦଇତାରୀ ପଣ୍ଡା ମଞ୍ଚ ଉପରେ କଞ୍ଚ କୁକୁଡା ମୋଡି ଖାଇବାର ଦୃଶ୍ୟ ମଧ୍ୟ ଦର୍ଶକ ଦେଖିଛନ୍ତି । ତେଣୁ ନାଟକର ଦୃଶ୍ୟକୁ ମଞ୍ଚରେ ଉପସ୍ଥାପନ କଲାବେଳେ ଏକ ଲକ୍ଷ୍ମଣରେଖା ରହିବା ଉଚିତ ବୋଲି ମଧ୍ୟ ସାଧାରଣରେ ମତ ପ୍ରକାଶ ପାଇଛି ।