ସିନେମା କାହାଣୀକୁ ସତ କରିଥିଲେ ଅଭିନନ୍ଦନ: ବାପା କରିଥିବା ସିନେମା କାହାଣୀ, ପୁଅ ଜୀବନରେ ହୋଇଥିଲା ସତ

62

କନକ ବ୍ୟୁରୋ: ସିନେମାର କାହାଣୀ ପରି ୱିଙ୍ଗ କମାଣ୍ଡର ଅଭନନ୍ଦନ ବର୍ତ୍ତମାନଙ୍କ ଜୀବନ କାହାଣୀ ମଧ୍ୟ ଏକାପରି ଥିଲା । ୧୯୯୯ କାର୍ଗିଲ ଯୁଦ୍ଧର କାହାଣୀକୁ ନେଇ ତିଆରି ହୋଇଥିବା ତାମିଲ ଫିଲ୍ମ ‘କାଟରୁ ବେଲ୍ଲିଦାୟୀ’ରେ ଯେଉଁ ସବୁ ଦୃଶ୍ୟ ଦେଖାଯାଇଥିଲା ତାହା ସତସତିକା ଘଟିଥିଲା ଅଭିନନ୍ଦନଙ୍କ ସହ । ତେବେ ତାମିଲ ଫିଲ୍ମର କନସଲଟାଂଟ୍ ଭାବେ କାମ କରିଥିଲେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ବାପା ଏସ୍. ବର୍ତ୍ତମାନ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଫିଲ୍ମରେ ବି ଥିଲା ପାକିସ୍ତାନରେ ବନ୍ଦୀ ଜଣେ ବାୟୁସେନା ପାଇଲଟଙ୍କ କାହାଣୀ । ଆଉ ଉକ୍ତ କାହାଣୀ ନିଜ ପୁଅ ସହ ସତ ହୋଇଗଲା ।

ସ୍ୱାଭାବିକ ଭାବେ ଫିଲ୍ମ ତିଆରି କଲାବେଳେ ବାପା ଏସ. ବର୍ତମାନ ହୁଏତ କେବେ କଳ୍ପନା ବି କରିନଥିବେ ଯେ, ବଡ ପରଦାର କାହାଣୀ ଦିନେ ସତ ପାଲଟିଯିବ । ଗୋଟିଏ କାଳ୍ପନିକ କଥାବସ୍ତୁ ତାଙ୍କ ନିଜ ଜୀବନରେ ଘଟିଯିବ । ପାଇଲଟ୍ ପୁଅ ପାକିସ୍ତାନରେ ପଣବନ୍ଦୀ ହେବ ।

୨୭ ଫେବ୍ରୁଆରୀ ୨୦୧୯ରେ ଭାରତୀୟ ବାୟୁସୀମାରେ ପଶି ପାକିସ୍ତାନୀ ଲଢୁଆ ବିମାନ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କଲାବେଳେ ସାମ୍ନାରେ ଥିଲେ ବାୟୁସେନାର ବୀର ଯୋଦ୍ଧା । ମିଗ୍-୨୧ ବାଇସନ୍ ବିମାନରେ ପାକିସ୍ତାନୀ ବିମାନକୁ କଡା ଟକ୍କର ଦେଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ତାଙ୍କରି ଆକ୍ରମଣରେ ଖସିପଡିଥିଲା ଭାରତ ମାଟିରେ ଆକ୍ରମଣ କରିବାକୁ ସାହସ କରୁଥିବା ପାକିସ୍ତାନୀ ଏଫ-୧୬ ବିମାନ । ହେଲେ ପାକିସ୍ତାନୀ ବିମାନକୁ ପିଛା କରି ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ଦୁର୍ଭାଗ୍ୟରୁ ତାଙ୍କ ବିମାନ ମଧ୍ୟ ଶତ୍ରୁ ଗୁଳିର ଶିକାର ହେଲା, ଆଉ ପାରାଚ୍ୟୁଟରେ ତଳକୁ ଖସି ପାକିସ୍ତାନ କବଜାରେ ପଡିଗଲେ ଭାରତୀୟ ପାଇଲଟ୍ ଅଭିନନ୍ଦନ ।

୨୦୧୧ରେ ଏକ ଫୁଡ ଟ୍ରାଭେଲ ଶୋରେ ଅଭିନନ୍ଦନ ଥରେ କହିଥିଲେ ଯେ, ବେପରୁଆ ମନୋଭାବ ହିଁ ଜଣଙ୍କୁ ଲଢୁଆ ପାଇଲଟ୍ କରିପାରିବ । ଏହି ପଦିଏ କଥା ହିଁ ସେତେବେଳେ ଅଭିନନ୍ଦନଙ୍କ ସାହସ ଓ ଦକ୍ଷତାର ପ୍ରମାଣ ଦେଇଥିଲା ।

ତାମିଲନାଡୁର ଅଭିନନ୍ଦନଙ୍କ ପରିବାର ଗତ ତିନି ପୀଢି ହେଲା ଭାରତୀୟ ବାୟୁସେନାରେ ରହି ଦେଶମାତୃକାର ସେବା କରିଆସୁଛନ୍ତି । ତାଙ୍କ ଜେଜେବାପା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବାୟୁସେନାରେ ଥିଲେ । ତାଙ୍କ ବାପା କାର୍ଗିଲ ଯୁଦ୍ଧ ସମୟରେ ଏୟାର ମାର୍ସାଲ ଥିଲେ । ୨୦୦୪ରେ ଭାରତୀୟ ବାୟୁସେନାରେ ପାଇଲଟ୍ ଭାବେ ଯୋଗ ଦେଇଥିଲେ ଅଭିନନ୍ଦନ । ତାଙ୍କ ପତ୍ନୀ ମଧ୍ୟ ସ୍କ୍ୱାର୍ଡନ ଲିଡର ଭାବେ ବାୟୁସେନାରୁ ଅବସର ନେଇଛନ୍ତି । ତାଙ୍କ ଭାଇ ମଧ୍ୟ ଭାରତୀୟ ବାୟୁସେନାରେ ଅଛନ୍ତି । ଦେଶର ସୁରକ୍ଷା ପାଇଁ ସମର୍ପିତ ପୂରା ପରିବାର ।
ତେବେ ଭାରତୀୟ ପାଇଲଟ ଅଭିନନ୍ଦନ ପାକିସ୍ତାନରେ ବନ୍ଦୀ ହେବାପରେ ତାଙ୍କର କେତେକ ସମ୍ବେଦନଶୀଳ ଫଟୋ ଭାଇରାଲ ହୋଇଥିଲା । ତାଙ୍କ ମୁହଁରେ ଥିଲା ଗଭୀର କ୍ଷତ, ରକ୍ତ ଜୁଡୁବୁଡୁ ଚେହେରା । ସେ ଫଟୋ ଯେତିକି ସମବେଦନା ସାଉଁଟିଥିଲା ତାଠାରୁ ଅଧିକ ପ୍ରଶଂସା ପାଇଥିଲା ପାକିସ୍ତାନୀ ସେନା ଆଗରେ ନିର୍ଭୟରେ ଅଭିନନ୍ଦନ ରଖୁଥିବା ଉତ୍ତରର ଭିଡିଓ । ଶତ୍ରୁ ଦେଶର ସେନାଙ୍କ ଅକଥନୀୟ ଅତ୍ୟାଚାର ସତ୍ତେ୍ୱ ବି ଶତ୍ରୁ ସାମ୍ନାରେ ଦେଶର ଗୋପନୀୟତାକୁ ପ୍ରକାଶ କରିନଥିଲେ ଅଭିନନ୍ଦନ ।