କନକ ବ୍ୟୁରୋ : ଚଳିତ ସାଧାରଣ ନିର୍ବାଚନରେ ସବୁଠୁ ଅଧିକ କ୍ଷତି ସହିଥିଲା କଂଗ୍ରେସ ଦଳ । ୨୦୧୪ରେ କଂଗ୍ରେସ ଯେଉଁଭଳି ବିପର୍ଯ୍ୟୟର ସାମ୍ନା କରିଥିଲା ତାହାର ପୁନରାବୃତ୍ତି ୨୦୧୯ରେ ମଧ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସର ଯୁବ ଚେହେରା ରାହୁଲଙ୍କ ହାତରେ ନେତୃତ୍ୱ ଥିଲେ ମଧ୍ୟ ଦେଶରେ ଉଠିନଥିଲା ହାତ । ଯାହା ରାହୁଲଙ୍କ ନେତୃତ୍ୱ ଉପରେ ବିରାଟ ପ୍ରଶ୍ନବାଚୀ ଛିଡା କରିଥିଲା । ତେଣୁ ନିର୍ବାଚନ ଫଳ ପ୍ରକାଶ ପାଇବାର କିଛି ଦିନ ମଧ୍ୟରେ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ । ଆଉ ରାହୁଲଙ୍କ ଏଭଳି ନିଷ୍ପତି କଂଗ୍ରେସ ଶିବିରରେ ନିରାଶା ଖେଳାଇ ଦେଇଥିଲା ।

Advertisment

ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ରାହୁଲ ନିଜକୁ ଦାୟୀ କରିବା ସହ ସଭାପତି ପଦରୁ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଥିଲେ । ଏହାସହ ରାହୁଲ ଇସ୍ତଫାପତ୍ର ଲେଖିଥିଲେ, ଦଳର ଏଭଳି ଅବସ୍ଥା ପାଇଁ ସମସ୍ତେ ଉତ୍ତରଦାୟୀ ରହିବା ଆବଶ୍ୟକ । ଏହାସହ ଦଳ ଖୁବଶୀଘ୍ର ନୂଆ ସଭାପତି ବାଛିବା ଦରକାର ବୋଲି କହିଥିଲେ ରାହୁଲ । କଂଗ୍ରେସର ସଭାପତି ପଦରେ ରହିବା ମୋ ପାଇଁ ଗର୍ବର ବିଷୟ । ଦଳ ପକ୍ଷରୁ ମୋତେ ଯେଉଁ ଭଲ ପାଇବା ମିଳିଛି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ରାହୁଲ ।

ଏହାସହ ରାହୁଲ କହିଥିଲେ ସଭାପତି ପଦରୁ ଇସ୍ତଫା ଦେବା ନେଇ ଯେତେବେଳେ ସିଇସି କମିଟିକୁ ଜଣାଇଥିଲି ସେତେବେଳେ ମୋର ଏହି ନିଷ୍ପତିକୁ ବିରୋଧ କରିବା ସହ ଅନେକ ନେତା ଓ କର୍ମୀ ଧାରଣାରେ ମଧ୍ୟ ବସିଥିଲେ । ଏପରିକି କିଛି ସହଯୋଗୀ ନୂଆ ସଭାପତିଙ୍କ ଚୟନ ମୁଁ କରେ ବୋଲି ମତ ଦେଇଥିଲେ । କିନ୍ତୁ ଏଭଳି ଏକାକୀ ସଭାପତି ଚୟନ କରିବା ସମ୍ପୂର୍ଣ୍ଣ ଭୂଲ । ତେଣୁ ଦଳ ନିଷ୍ପତି ନେଉ ଯେ କାହାକୁ କଂଗ୍ରେସର ନେତୃତ୍ୱ ଦିଆଯିବ । ଯିଏ କଂଗ୍ରେସକୁ ଏଭଳି କଠିନ ପରିସ୍ଥିତିରେ ଆଗେଇ ନେବା ସହ ନିଜର ଦାୟିତ୍ୱ ଠିକ୍ ଭାବରେ ତୁଲାଇପାରିବ ।

ଏହାପୂର୍ବରୁ ୨୦୧୭ ମସିହାରେ ରାହୁଲ ଗାନ୍ଧୀ କଂଗ୍ରେସର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ରାହୁଲଙ୍କ ନେତୃତ୍ୱରେ ଦଳ କିଛି ରାଜ୍ୟରେ ସଫଳତା ପାଇଥିବା ବେଳେ କିଛି ରାଜ୍ୟରୁ ଶାସନ କ୍ଷମତାରୁ ବିଦା ହୋଇଥିଲା । ଖାସକରି ରାହୁଲଙ୍କ ନେତୃତ୍ୱରେ ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟକୁ ଅକ୍ତିଆର କରିଥିଲା କଂଗ୍ରେସ । ସେହିଭଳି ଗୁଜୁରାଟରେ ବିଜେପିକୁ କଡା ଟକ୍କର ଦେଇଥିଲା । ଅନ୍ୟପଟେ କର୍ଣ୍ଣାଟକ, ଆସାମ ଭଳି କଂଗ୍ରେସ ଶାସିତ ରାଜ୍ୟ ମଧ୍ୟ ଦଳ ହାତରୁ ଖସିଛି । ଆଉ ଏସବୁ ଭିତରେ ଚଳିତ ସାଧାରଣ ନିର୍ବାଚନ ରାହୁଲଙ୍କ ପାଇଁ ଥିଲା ଏସିଡ୍ ଟେଷ୍ଟ । କାରଣ ରାହୁଲଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇଥିଲା କଂଗ୍ରେସ । କିନ୍ତୁ ରାହୁଲଙ୍କ ନେତୃତ୍ୱକୁ ଲୋକେ ଗ୍ରହଣ କରି ନଥିବା ବେଳେ ଦେଶରେ ପୁଣିଥରେ ଉଡ଼ିଥିଲା ଗେରୁଆ ବାନା । ମାତ୍ର ୫୨ଟି ଆସନରେ ସୀମିତ ରହିଥିଲା କଂଗ୍ରେସ ଦଳ । ଆଉ ଏଭଳି ପରାଜୟ ପାଇଁ ନିଜକୁ ଦାୟୀ କରିବା ସହ ନୈତିକତା ଦୃଷ୍ଟିରୁ ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ ରାହୁଲ ।

ରାହୁଲଙ୍କ ଇସ୍ତଫା ପରେ ମା ସୋନିଆଙ୍କୁ ପୁଣିଥରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଥିଲା । ସାଧାରଣ ନିର୍ବାଚନକୁ ୭ ମାସ ବିତିଯାଇଥିବା ବେଳେ ଏବେ ଧୀରେ ଧୀରେ ଅଣ୍ଟା ସଳଖି ଛିଡା ହେଉଛି କଂଗ୍ରେସ । ମହାରାଷ୍ଟ୍ରରେ ଦଳ କିଙ୍ଗମେକର ଭୂମିକାରେ ନଜର ଆସିଥିବା ବେଳେ ସୋନିଆଙ୍କ ନେତୃତ୍ୱରେ ଦଳ ଝାଡଖଣ୍ଡରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛି ।