କନକ ବ୍ୟୁରୋ : ଚଳିତ ସାଧାରଣ ନିର୍ବାଚନରେ ଦେଶରେ ପୁଣିଥରେ ଦେଖିବାକୁ ମିଳିଥିଲା ମୋଦି ମ୍ୟାଜିକ । ବିଜେପିର ଏହି ଐତିହାସିକ ସଫଳତା ପଛର ମୁଖ୍ୟ ବିନ୍ଧାଣୀ ସାଜିଥିଲେ ମୋଦି-ଶାହା ଯୋଡି । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଓ ରାଷ୍ଟ୍ରବାଦ ଆଧାରରେ ବିଜେପି ଏକାକୀ ହାସଲ କରିଥିଲା ବହୁମତ । ୨୦୧୪ ତୁଳନାରେ ୨୦୧୯ରେ ଅଧିକ ଆସନ ହାତେଇଥିଲା ବିଜେପି । ୩୦୩ ଆସନ ସହ ସବୁଠୁ ବଡ ଦଳ ଭାବେ ଉଭା ହୋଇଥିଲା ବିଜେପି । ଦେଶର ଅଧିକାଂଶ ସ୍ଥାନରେ ଫୁଟିଥିଲା ପଦ୍ମ । ଯାହା ଦର୍ଶାଉଥିଲା ୨୦୧୯ରେ ୨୦୧୪ ଠାରୁ ମଧ୍ୟ ଆହୁରି ବଡ ମୋଦି ସୁନାମୀ ଆସିଛି । ନେହେରୁ ଓ ଇନ୍ଦିରାଙ୍କ ପରେ କ୍ରମାଗତ ଦ୍ୱିତୀୟ ଥର ମୋଦି ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାର ସରକାର ଗଠନ କରିଛନ୍ତି ।

Advertisment

ଭାରତ ରାଜନୀତିର ଇତିହାସରେ ଏଭଳି ଏକ ଅଧ୍ୟାୟ ଯୋଡ଼ି ହୋଇଗଲା, ଯାହା କେବଳ ବିଜେପି କିମ୍ବା ମୋଦି-ଶାହାଙ୍କ ପାଇଁ ନୁହେଁ ବରଂ ବିଶ୍ୱର ସବୁଠୁ ବଡ ଗଣତନ୍ତ୍ରରେ ହୁଏତ, ଏକ ଅଭୁଲା ମୁହର୍ତ୍ତ ହୋଇ ମନେ ରହିବ । ପ୍ରଥମ ଥର ପାଇଁ ମୋଦି ଜଣେ ଅଣକଂଗ୍ରେସ ଦଳର ନେତା ଭାବେ ୫ ବର୍ଷ ପୁରଣ କରି ପୁଣି ଥରେ ଶାସନ କ୍ଷମତାକୁ ଫେରିଛନ୍ତି । ଗଣତନ୍ତ୍ରର ଗଣିତରେ ୨୦୧୯ ନିର୍ବାଚନ ଯେଉଁ ପରିଣାମ ନେଇକି ଆସିଥିଲା ତାହା ନରେନ୍ଦ୍ର ମୋଦିଙ୍କୁ ଦେଶରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାକୁ ବାଟ ଫିଟାଇ ଦେଇଥିଲା ।

ୟୁପିରେ ନା’ ମାୟାବତୀ-ଅଖିଳେଶଙ୍କ ମହାମେଂଟ ମୋଦିଙ୍କୁ ଅଟକାଇ ପାରିଲା, ନା’ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପ୍ରଭାବ ବିଜେପିର ବିଜୟ ରଥକୁ ରୋକି ପାରିଲା । ଉତ୍ତର ପ୍ରଦେଶରେ ଯେଉଁ ଜନାଦେଶ ଏନଡିଏକୁ ମିଳିଛି, ହୁଏତ କେହି କଳ୍ପନା ବି କରିନଥିଲେ ମୋଦି ମ୍ୟାଜିକ୍ ଏଭଳି ଏକ ପରିଣାମ ଆଣିଦେବ । ଅବ୍-କି ବାର୍ ୩ଶହ ପାର୍’ର ନାରା ଦେଉଥିବା ବିଜେପି, ସତକୁ ସତ ଅନାୟାସରେ ୩ଶହର ଅଙ୍କ ପାର କରିଥିଲା । ଯାହା ମୋଦି-ଶାହାଙ୍କ ସୁଚିନ୍ତିତ ରଣନୀତିର ପ୍ରତିଫଳନ ଥିଲା ।

୨୦୧୪ରେ ଥିବା ମୋଦି ଲହର, ୨୦୧୯ ଆସିଲା ବେଳକୁ ସେହି ଲହର ସୁନାମୀରେ ପରିଣତ ହୋଇଯାଇଛି । ସାରା ଦେଶରୁ ମୋଦିଙ୍କ ସମର୍ଥନରେ ଆସିଥିଲା ବିପୁଳ ଜନମତ । ସ୍ଥିତି ଏମିତି ହୋଇଥିଲା ଯେ, ଦେଶର ଅନେକ ରାଜ୍ୟରେ କଂଗ୍ରେସ ଖାତା ଖୋଲିବାକୁ ମଧ୍ୟ ସମର୍ଥ ହୋଇ ପାରିନଥିଲା । ହିନ୍ଦୀ ହାଟଲାଣ୍ଡରେ ପୁଣି ହୃଦୟ ଜିତିଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ, ୟୁପି, ମଧ୍ୟପ୍ରଦେଶ, ରାଜସ୍ଥାନ ସବୁଠି ଚାଲିଥିଲା ମୋଦିଙ୍କ ଜଲୱା ।