କନକ ବ୍ୟୁରୋ: ବାୟୁ ବୀର ଅଭିନନ୍ଦନ ବର୍ତ୍ତମାନକୁ ଭୁଲିପାରିବନି ଭାରତ । କାରଣ ଶତ୍ରୁ ମାଟିରେ ଖସି ସେ ଯେମିତି ସାହସର ସହ ଲଢେଇ କରିଥିଲେ, ଶତ୍ରୁଙ୍କ କବଳରେ ଦୀର୍ଘ ୫୬ ଘଣ୍ଟା ସଂଘର୍ଷ କରିଥିଲେ ତାକୁ ସାରା ଦେଶ ସାଲ୍ୟୁଟ୍ କରିଛି । ତେବେ ୨୦୧୯ର ଚର୍ଚ୍ଚିତ ଖବର ଭିତରୁ ପାକିସ୍ତାନରେ ଅଭିନନ୍ଦନଙ୍କ ସାହସ ଓ ସଂଘର୍ଷ ସମସ୍ତଙ୍କୁ ଚକିତ କରିଥିଲା ।

Advertisment

ପାକିସ୍ତାନରେ ବନ୍ଦୀ ଭାରତୀୟ ପାଇଲଟ ସ୍ୱଦେଶ ଫେରିଆସିବା ପରେ କରାଯାଇଥିଲା ଡି-ବ୍ରିଫିଙ୍ଗ । ବାୟୁସେନାର ଜଣେ ଫାଇଟର ପାଇଲଟ ଶତ୍ରୁ ହାତରେ ପ୍ରାୟ ୬୦ ଘଂଟା ଧରି ବନ୍ଦୀଥିଲେ । ତେଣୁ ପ୍ରଟୋକଲ ଅନୁଯାୟୀ, ଏହି ସମୟରେ ତାଙ୍କୁ କିଭଳି ବ୍ୟବହାର କରାଯାଇଥିଲା? ଗୋପନୀୟ ତଥ୍ୟ ହାସଲ କରିବାକୁ ନିର୍ଯାତନା ଦିଆଯାଇଥିଲା କି ନାହିଁ? ଏ ସବୁ କଥା ଆଦାୟ କରିବାକୁ ଶତ୍ରୁ ରାଷ୍ଟ୍ରର କୌଶଳ କେତେଦୂର ସଫଳ ହୋଇଛି? ସେ ବାବଦରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ କରାଯାଇଥିଲା ଏକାଧିକ ପ୍ରଶ୍ନ । ତେବେ ଆଶ୍ଚର୍ଯ୍ୟର କଥା ପାକିସ୍ତାନ ହାତରେ ପଡିଯାଇଥିବା ଭାରତୀୟ ପାଇଲଟଙ୍କୁ ପାକିସ୍ତାନ ସେନା ଦେଇଥିଲା ଅକଥନୀୟ ନିର୍ଯାତନା । ଭାରତୀୟ ବାୟୁସେନା ବାବଦରେ ସମ୍ବେଦନଶୀଳ ତଥ୍ୟ ହାସଲ କରିବାକୁ ସବୁ ସୀମା ଟପିଯାଇଥିଲା ଶତ୍ରୁ ରାଷ୍ଟ୍ର ।

ଭାରତୀୟ ବାୟୁସୀମାରେ ପାକିସ୍ତାନୀ ଯୁଦ୍ଧ ବିମାନକୁ ମିଜାଇଲ ମାଡ କଲାବେଳେ ଅଭିନନ୍ଦନଙ୍କ ମିଗ-୨୧ ବିମାନ ମଧ୍ୟ ନଷ୍ଟ ହୋଇଥିଲା । ଆଉ ପାରାଚ୍ୟୁଟରେ ପାକିସ୍ତାନ ମାଟିରେ ଓହ୍ଲାଇଥିଲେ ଭାରତୀୟ ଫାଇଟର ପାଇଲଟ୍ । ସେଠାରେ ତାଙ୍କୁ ଘେରିଯାଇଥିବା ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ପାକ୍ ସେନା ଉଦ୍ଧାର କରିଥିବା ଦାବି କରିଥିଲା । ହେଲେ ଡି-ବ୍ରିଫିଙ୍ଗ ସମୟରେ ପାକିସ୍ତାନୀ ସେନାର ସତ ବଖାଣିଥିଲେ ଅଭିନନ୍ଦନ ।
- ପାକିସ୍ତାନରେ ଅଭିନନ୍ଦନଙ୍କୁ ପ୍ରବଳ ମାଡ ମାରିଥିଲା ସେନା
- ଶ୍ୱାସରୁଦ୍ଧ କରିଦେବାକୁ ବଳ ପ୍ରୟୋଗ କରାଯାଇଥିଲା
- ଏପରିକି ଶୋଇବାକୁ ନଦେବା ଲାଗି ଜୋରରେ ମ୍ୟୁଜିକ ବଜା ଯାଇଥିଲା
- ମାନସିକ ଓ ଶାରୀରିକ ଭାବେ ଦୁର୍ବଳ କରିବାକୁ ପ୍ରବଳ ଉଦ୍ୟମ ହୋଇଥିଲା
-

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଡି-ବ୍ରିଫିଙ୍ଗ କରୁଥିବା ବାୟୁସେନାର ଜଣେ ବରିଷ୍ଠ ଅଧିକାରୀଙ୍କୁ କୋଟ୍ କରି ଏଭଳି ଚାଂଚଲ୍ୟକର ଖବର ସାମ୍ନାକୁ ଆଣିଥିଲେ ଏକାଧିକ ଜାତୀୟ ଗଣମାଧ୍ୟମ । ହେଲେ ଶତ୍ରୁର ଚାପରେ ଆଦୌ ବିଚଳିତ ହୋଇନଥିଲେ ବୀର ଯୋଦ୍ଧା ଅଭିନନ୍ଦନ ବର୍ତ୍ତମାନ । ଅଦ୍ୟମ ସାହସ ଓ ବୀରତ୍ୱର ସହ ପଡୋଶୀ ଦେଶର ସବୁ ନିର୍ଯାତନାକୁ ହଜମ କରିଯାଇଥିଲେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ଏଭଳି ଏକ ପରିସ୍ଥିତିରେ ପାକିସ୍ତାନ ମାଟିରେ ପାଦରଖିବା ପରେ ହିଁ ସେ ପାଖରେ ଥିବା ସବୁ ପ୍ରମାଣକୁ ନଷ୍ଟ କରିଦେଇଥିଲେ ଅଭିନନ୍ଦନ ।

ଶତ୍ରୁ ହାତରେ ଯେଭଳି କୌଣସି ଗୋପନୀୟ ତଥ୍ୟ ନଲାଗିବ, ସେଥିପାଇଁ ପ୍ରଥମେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ପାଟିରେ ଚୋବାଇ ନଷ୍ଟ କରିପକାଇଥିଲେ । ଏପରିକି ହାରୋନ ଗାଁରେ ଲୋକେ ଗୋଡାଇବାବେଳେ ପାଖରେ ଥିବା ନକ୍ସା ଓ ଅନ୍ୟନ୍ୟ ନଥିକୁ ଏକ ପୋଖରୀରେ ଭିଜାଇ ଦେଇଥିଲେ । ଏଥିରୁ ତାଙ୍କ ବୀରତ୍ୱ ଓ ଦେଶଭକ୍ତିର ପ୍ରମାଣ ମିଳିଥିଲା । ଯେଉଁଥିପାଇଁ ସାରାଦେଶ ସେତେବେଳେ ସେହି ସାହସୀ ଯୋଦ୍ଧାଙ୍କ ସମର୍ଥନରେ ଛିଡା ହୋଇଥିଲା । ପାକିସ୍ତାନରୁ ମୁକୁଳାଇ ଆଣିବା ପାଇଁ ଦାବି ଯେତିକି ହେଉଥିଲା, ମାର୍ଚ୍ଚ ୧ ତାରିଖ ଦିନ ତାଙ୍କୁ ଖଲାସ କାଲବେଳେ ୱାଘା-ଅଟ୍ଟାରୀ ସୀମାରେ ଭିଡ ବି ସେତିକି ବଢିଥିଲା । ଅଭିନନ୍ଦନଙ୍କୁ ଦେଖିବାକୁ ସାରା ଦେଶ ଅନାଇ ରହିଥିଲା ଆଉ ଯେତେବେଳେ ଅଭିନନ୍ଦନ ୱାଘା ବୋର୍ଡରରେ ପହଞ୍ଚିଥିଲେ ସେତେବେଳେ ସାରା ଦେଶ ଖୁସିରେ ଫାଟିପଡିଥିଲା ।