କନକ ବ୍ୟୁରୋ: ପାକିସ୍ତାନର ଏଫ୍ ୧୬ ବିମାନକୁ ଶତ୍ରୁ ମାଟିରେ ଖସାଇଥିବା ବୀର ପୁତ୍ର ଅଭିନନ୍ଦନ ବର୍ଦ୍ଧମାନ ଗାଜିଆବାଦ ଏୟାରବେସରେ ଲଢ଼ୁଆ ମିଗ୍-୨୧ ବିମାନ ଉଡ଼ାଇଥିଲେ। ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା। ୮୭ ତମ ବାୟୁସେନା ଦିବସ ଅବସରରେ ବାଲାକୋଟ୍ ଏୟାରଷ୍ଟ୍ରାଇକରେ ଭାଗ ନେଇଥିବା ପାଇଲଟ୍ ଓ ସ୍କ୍ବାଡନ ଲିଡର ଅଭିନନ୍ଦନ ବର୍ଦ୍ଧମାନ ବିମାନ ଉଡ଼ାଇଥିଲେ ।

Advertisment

ତେବେ ପ୍ରଥମଥର ପାଇଁ ଯୁଦ୍ଧ ବିମାନ ତେଜସ୍ ଓ ଯୁଦ୍ଧ ହେଲିକ୍ୟାପ୍ଟର ଅପାଚେ ବାୟୁସେନାରେ ସାମିଲ ହୋଇଥିଲା। ଆଉ ଉକ୍ତ ଅବସରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ବାୟୁସେନା ହିରୋ ଅଭିନନ୍ଦନ । ଅଭିନନ୍ଦନ ଏୟାରବେସରେ ପ୍ରବେଶ କରିବା ପରେ ପରେ ତାଳିରେ ଗୁଞ୍ଜରିତ ହୋଇଥିଲା ଆକାଶ । ସେ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ଲଢୁଆ ବିମାନର ପିଛା କରୁଥିବା ସମୟରେ ପାକିସ୍ତାନ ସୀମାରେ ପ୍ରବେଶ କରି ଏଫ୍-୧୬ କୁ ମାରି ଗଡାଇଥିଲେ । ଏହାପରେ ତାଙ୍କ ନିଜ ବିମାନ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେ ପିଓକେରେ ଅବତରଣ କରିବା ପରେ ପାକ୍ ସେନା ତାଙ୍କୁ ନେଇ ଯାଇଥିଲା । ହେଲେ ଭାରତର ଚାପରେ ପାକ୍ ମୁଣ୍ଡ ନୂଆଇଁ ଅଭିନନ୍ଦନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ।

ନିର୍ଭୀକ ଅଭିନନ୍ଦନଙ୍କୁ ତାଙ୍କ ବୀରତ୍ୱ ପାଇଁ ଚାରିଆଡେ ପ୍ରଶଂସା କରାଯାଇଥିଲା । ବାୟୁସେନାର ପ୍ରତିଷ୍ଠା ଦିବସରେ ତାଙ୍କ ସ୍କ୍ୱାଡ୍ରନକୁ ସମ୍ମାନିତ କରାଯାଇଥିଲା ।