କନକ ବ୍ୟୁରୋ : ଲଗାତାର ୫ମ ଥର ପାଇଁ ବଡ ବିଜୟ ସହ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ ବିରୋଧୀଙ୍କ ରଣନୀତିକୁ ଭେଦ କରି ରାଜ୍ୟରେ ଏକତରଫା ବିଜୟ ହାସଲ କରିଥିଲେ ନବୀନ । ଆଉ ନିଜକୁ ରାଜନୀତି ମୈଦାନରେ ଜଣେ ପୋଖତ ଖେଳାଳି ଭାବେ ପ୍ରତିପାଦିତ କରିପାରିଛନ୍ତି । ବିଜେଡିକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଗତ ୫ଟି ନିର୍ବାଚନରେ ଜନତାଙ୍କ ବିଶ୍ୱାସ ଜିତିବା ପଛରେ ରହିଛି ନବୀନଙ୍କର କ୍ରେଜ । ତେବେ ନବୀନଙ୍କ ପରେ କିଏ ? ଏହି ପ୍ରଶ୍ନ ଦୀର୍ଘ ଦିନ ହେବ ଜନତାଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏହା ଉପରୁ ମଧ୍ୟ ପରଦା ହଟାଇଥିଲେ ବିଜେଡି ସୁପ୍ରିମୋ ।
୨୦୧୯ ନିର୍ବାଚନର ସଫଳତା ପରେ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାହା ଉପରୁ ପରଦା ହଟାଇଥିଲେ ନବୀନ । ଗତ କିଛି ଦିନ ହେବ ବିଜେଡିର ଉତ୍ତରାଧିକାର କିଏ ହେବ ତାହାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ସାକ୍ଷାତକାରରେ ଉତ୍ତରାଧିକାରୀ ପ୍ରସଙ୍ଗରେ ମୁହଁ ଖୋଲିବା ସହ ନବୀନ କହିଥିଲେ, ବିଜେଡିର ଉତ୍ତରାଧିକାରୀ କିଏ ହେବ ତାହା ଏଯାଏଁ ସ୍ଥିର କରିନାହିଁ । ଉତ୍ତରାଧିକାରୀ କିଏ ହେବ ତାହା ଲୋକେ ବାଛିବେ । ତେବେ ଉତ୍ତରାଧିକାରୀ ବିଜେଡିରୁ ହିଁ ହେବ ଏକଥା ସ୍ପଷ୍ଟ କରିଛନ୍ତି ନବୀନ ।
ଏହାସହ ବିଜେଡି ୨୦୨୪ରେ ମଧ୍ୟ ଷଷ୍ଠ ଥର ପାଇଁ ଶାସନ କ୍ଷମତାକୁ ଆସିବ ବୋଲି ସେ ଆଶାବାଦୀ ଥିବା କହିଥିଲେ ନବୀନ । ଏହାଛଡା ଚଳିତ ନିର୍ବାଚନରେ ପୂରା ଦେଶରେ ମୋଦି ହାୱା ଚାଲୁଥିବା ବେଳେ ଓଡିଶାରେ କାହିଁକି ଏହାର ପ୍ରଭାବ ପଡିଲା ନାହିଁ ତାହାର କାରଣ ମଧ୍ୟ ଦର୍ଶାଇଥିଲେ ନବୀନ । ବିଜେଡି ସରକାର ଜନକଲ୍ୟାଣମୂଳକ ଓ ବିକାଶ ମୂଳକ କାର୍ଯ୍ୟ ଉପରେ ଫୋକସ କରୁଥିବାରୁ ରାଜ୍ୟବାସୀ ପଞ୍ଚମଥର ପାଇଁ ବିଜେଡି ହାତରେ ଶାସନ କ୍ଷମତା ଦେଲେ ବୋଲି କହିଥିଲେ ନବୀନ । ଆଉ ବିଜେଡିର ଏହି ବଡ ବିଜୟର ଶ୍ରେୟ ମହିଳା ମାନଙ୍କୁ ଦେଇଥିଲେ ନବୀନ ।
ଏହାଛଡା ଏକଦା ଜାତୀୟସ୍ତରରେ ବିଜେଡିର ପ୍ରତିନିଧିତ୍ୱ କରୁଥିବା ନେତା ଏବେ ବିଜେଡିର ହାତ ଛାଡି ଦେଇଥିବାରୁ ଏହାର ପ୍ରଭାବ ଦଳ ଉପରେ ପଡିବ କି ନାହିଁ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଥିଲେ, କିଛି ନେତାଙ୍କୁ ଦଳ ନିଲମ୍ବିତ କରିଛି ଓ କିଛି ନେତା ଟିକେଟ ନ ପାଇ ଦଳ ଛାଡିଛନ୍ତି । ତେଣୁ ଏହାର ପ୍ରଭାବ ଦଳ ଉପରେ ପଡିବ ନାହିଁ । ତେବେ ଚଳିତ ନିର୍ବାଚନରେ ବିଜେପି କଡା ଫାଇଟ ଦେଇଥିବା କହିଛନ୍ତି ନବୀନ । କଂଗ୍ରେସର ବିପର୍ଯ୍ୟୟ ପାଇଁ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କଲା ବୋଲି ନବୀନ କହିଥିଲେ । ତେବେ କଂଗ୍ରେସକୁ ପୁଣିଥରେ ଶାସନ କ୍ଷମତାକୁ ଫେରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ ।
ଚଳିତ ନିର୍ବାଚନରେ ମୋଦି ମ୍ୟାଜିକ ସତ୍ତେ୍ୱ ମଧ୍ୟ ରାଜ୍ୟରେ ବିଜେଡିର ୨ ପ୍ରତିଶତ ଭୋଟ ବଢିଛି । ଯାହା ଦର୍ଶାଉଛି ଭୋଟରଙ୍କ ଭରସା ବିଜେଡି ସହ ରହିଛି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଓଡିଶାକୁ ବିକାଶ ପଥରେ ଆଗେଇ ନିଆଯିବ ବୋଲି ନବୀନ କହିଥିଲେ ।ଯାହାର ଝଲକ ନିର୍ବାଚନ ପରବର୍ତ୍ତୀ ସମୟରେ ଦେଖିବାକୁ ମିଳିଥିଲା । ବିଭିନ୍ନ ପ୍ରସଙ୍ଗରେ ସଂସଦରେ ମୋଦି ସରକାରଙ୍କ ସାଥୀରେ ଛିଡା ହେବା ଠାରୁ ଆରମ୍ଭ କରି ରାଜ୍ୟସଭା ନିର୍ବାଚନରେ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡି । ଆଉ ପ୍ରତିବଦଳରେ ଓଡିଶାକୁ ସହଯୋଗର ହାତ ମଧ୍ୟ ବଢାଇଛନ୍ତି କେନ୍ଦ୍ର ସରକାର ।