କନକ ବ୍ୟୁରୋ : ଚଳିତ ସାଧାରଣ ନିର୍ବାଚନରେ ଅନେକ ନୂଆ ମୁହଁ ସଂସଦରେ ଏଣ୍ଟ୍ରି ମାରିଛନ୍ତି । ପ୍ରଥମ କରି ସଂସଦ ଆସିଥିବା ଏହି ସାଂସଦ ମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ । ନୂଆ ଲୋକସଭାରେ ଏମିତି କିଛି ନୂଆ ଚେହେରା ପଂହଚିଛନ୍ତି ଯେଉଁମାନଙ୍କ ପରିଚୟ ସାଧାରଣ ଲୋକଙ୍କଠାରୁ କିଛି ଅଲଗା ରହିଛି । କିଛି ଅପ୍ରତ୍ୟାଶିତ ଭାବେ ଲୋକସଭାରେ ପଂହଚିଥିବାବେଳେ ଆଉ କିଛି ଜଣ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କଲା ପରେ ପାର୍ଲାମେଂଟକୁ ନିର୍ବାଚିତ ହୋଇଛନ୍ତି ।

Advertisment

ଭାରତୀୟ ଗଣତନ୍ତ୍ରର ହୃତପିଣ୍ଡ ଦିଲ୍ଲୀ ସଂସଦ ଭବନ । ୧୭ତମ ଲୋକସଭା ପାଇଁ ନିର୍ବାଚନ ସହ ସ୍ପଷ୍ଟ ହୋଇଯାଇଛି ଆଗାମୀ ୫ ବର୍ଷ ପାଇଁ କେଉଁମାନେ ନୂଆ ଭାରତର ରୁପରେଖ ସ୍ଥିର କରିବେ । ଦିଲ୍ଲୀ ସଂସଦ ଭବନରେ ବସି ଏମାନେ ଆମ ପାଇଁ ତିଆରି କରିବେ ଶାସନ ଖସଡା । ସାରା ବିଶ୍ୱରେ ସବୁଠାରୁ ଅଧିକ ଯୁବକ ରହୁଥିବା ଭାରତ ଏଥର ସଂସଦକୁ ପଠାଇଛି ୨୬୭ ନୂଆ ସାଂସଦ । ଅର୍ଥାତ୍ ଏମାନେ ପ୍ରଥମକରି ସଂସଦ ଭବନକୁ ନିର୍ବାଚିତ ହୋଇ ଆସିଛନ୍ତି । ନୂଆ କରି ସଂସଦକୁ ନିର୍ବାଚିତ ହୋଇ ଆସିଥିବା ସାଂସଦମାନଙ୍କୁ ନେଇ ଏଥର କଭର ପେଜ୍ ପ୍ରସ୍ତୁତ କରିଛି ଇଣ୍ଡିଆ ଟୁଡେ ମାଗାଜିନ୍ । ଆଉ ଶୀର୍ଷକ ରଖିଛି ‘ଦି ନ୍ୟୁ ବ୍ରିଗେଡ୍’ ।

–ପ୍ରଥମେ ଚର୍ଚ୍ଚାରେ ରହିବେ ଫିଲ୍ମଷ୍ଟାର ସନ୍ନିଦେଓଲ । ସନ୍ନି ପ୍ରଥମ ଥର ଲାଗି ରାଜନୀତିରେ ଏଂଟ୍ରି କରିବା ପରେ ପଞ୍ଜାବର ଗୁରୁଦାସପୁରରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସନ୍ନିଙ୍କ ପ୍ରଚାର ବେଳେ ହ୍ୟାଣ୍ଡ ପମ୍ପ ବେଶ ଚର୍ଚ୍ଚାରେ ରହିଥିଲା । ସୋସିଆଲ ମିଡିଆରେ ବି ସେ ବେଶ ଭାଇରାଲ ହୋଇଥିଲେ । ତେବେ ବର୍ତମାନ ଜଣେ ସାଂସଦ ଭାବେ ସନ୍ନି ଦେଓଲଙ୍କ ଅସଲି ପରୀକ୍ଷା ଏବେ ରିଲ ଲାଇଫ ବଦଳରେ ରିଏଲ ଲାଇଫରେ ହେବ । ଗୁରୁଦାସପୁରର ଲୋକଙ୍କ ସମସ୍ୟା ବୁଝିବା ସହ ବିଜେପି ସଦସ୍ୟ ଭାବେ ନିଜର ଭୂମିକା ନିର୍ବାହ କରିବାକୁ ପଡିବ ।

–ସେହିଭଳି ଆଉ ଜଣେ ସାଂସଦ ହେଲେ ଦେଶର ଯୁବ ସାଂସଦ ତେଜସ୍ୱୀ ସୂର୍ଯ୍ୟା । ସେ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ୨୮ ବର୍ଷିୟ ସୂର୍ଯ୍ୟା ପେଶାରେ ଜଣେ ଓକିଲ । କଂଗ୍ରେସର ବରିଷ୍ଠ ନେତା ହରିପ୍ରସାଦଙ୍କୁ ୩ ଲକ୍ଷରୁ ଅଧିକ ଭୋଟରେ ହରାଇ ସେ ପାର୍ଲାମେଂଟ ଆସିଛନ୍ତି । ତେଣୁ ଆଗାମୀ ୫ ବର୍ଷରେ ସେ କି କାମ କରୁଛନ୍ତି ତା ଉପରେ ବି ସମସ୍ତଙ୍କ ନଜର ରହିଛି ।

—ସେହିଭଳି ଆଉ ଜଣେ ନବନିର୍ବାଚିତ ସାଂସଦ ହେଲେ ଗୌତମ ଗାମ୍ଭୀର । ନିର୍ବାଚନବେଳେ ଗାମ୍ଭୀର ବେଶ ଚର୍ଚ୍ଚାରେ ଥିଲେ । ପୂର୍ବ ଦିଲ୍ଲୀରୁ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଚାର ବେଳେ ସେ ବେଶ ବିବାଦରେ ରହିଥିଲେ । ଅରବିନ୍ଦ କେଜରିୱାଲଙ୍କ ତାଙ୍କୁ ଯେତେବେଳେ ଘେରିଥିଲେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ବି ଦେଇଥିଲେ । କଂଗ୍ରେସର ବରିଷ୍ଠ ନେତା ଅରବିନ୍ଦର ସିଂ ଲଭଲିଙ୍କୁ ହରାଇ ଗୌତମ ଲୋକସଭାକୁ ଆସିଛନ୍ତି । କ୍ରିକେଟରେ ଭଲ ପାରି ଖେଳିଥିବା ଗୌତମ ଗମ୍ଭୀର ଏବେ ସାଂସଦ ନିଜର ପ୍ରଥମ ଇନିଂସରେ କେଉଁଭଳି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ପୂରା ଦେଶର ନଜର ରହିବ ।

–ସାଧାରଣ ନିର୍ବାଚନରେ ସବୁଠାରୁ ବଡ ବିଜୟ ହୋଇଛି ସ୍ମୃତି ଇରାନୀଙ୍କର । ଆମେଥିରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ହରାଇ ସେ ଲୋକସଭାକୁ ଆସିଛନ୍ତି । ସେ ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ । ଏବେ ଆମେଥିରୁ ଲୋକସଭାକୁ ନିର୍ବାଚିତ ହେବେ ପରେ ସ୍ଥାନୀୟ ସମସ୍ୟା ଦୂର କରିବା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ଏହାଛଡା ବିଜେପିକୁ ଆଗକୁ ବଢାଇବା ବି ତାଙ୍କ ଉପରେ ବଡ ଦାୟିତ୍ୱ ରହିବ ।

–କେନ୍ଦୁଝରର ନବନିର୍ବାଚିତ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ବି ଚର୍ଚ୍ଚାରେ ରହିଛିନ୍ତି । ୨୬ ବର୍ଷୀୟ ଚନ୍ଦ୍ରାଣୀଙ୍କୁ ଟିକେଟ ମିଳିବା କାହାଣୀ ବେଶ ରୋଚକ ଥିଲା । ୨୦୧୭ରେ ବିଟେକ୍ କରିବା ପରେ ସେ ଚାକିରୀ ଖୋଜୁଥିଲେ । କିନ୍ତୁ ପରେ ସେ ବିଜେଡି ଟିକେଟ ପାଇ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ବର୍ତମାନର ଲୋକସଭାରେ ଚନ୍ଦ୍ରାଣୀ ହେଉଛନ୍ତି ଦେଶର ସର୍ବକନିଷ୍ଠ ମହିଳା ସାଂସଦ । ତେଣୁ ସାଂସଦ ଭାବେ ତାଙ୍କର କାର୍ଯ୍ୟକଳାପ ଉପରେ ବି ଦେଶର ନଜର ରହିବ ଯେ ଜଣେ ଯୁବ ସାଂସଦ ଭାବେ ସେ ଲୋକଙ୍କ ପାଇଁ କଣ କରିପାରୁଛନ୍ତି ।

-ସେହିଭଳି ଆଉ ଜଣେ ମହିଳା ସାଂସଦ ହେଲେ ରୌମ୍ୟା ହରିଦାସ । କେରଳକୁ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଜଣେ ଶ୍ରମିକର ଝିଅ ରୌମ୍ୟା ହରିଦାସଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଟିକେଟ ଦେଇଥିଲେ । ସେ କଂଗ୍ରେସ ପକ୍ଷରୁ କରାଯାଇଥିବା ‘ଟ୍ୟାଲେଂଟ ହଣ୍ଟ’ର ର ଟପ୍ପର ଥିଲେ । ରୌମ୍ୟା କୋଜିକୋଡ ମୁନିସିପାଲଟିର ପ୍ରମୁଖ ଥିଲେ । ସେ ପ୍ରଚାର ବେଳେ ଗୀତ ଗାଇ ପ୍ରଚାର କରିଥିଲେ , ଯାହାକୁ ବିରୋଧୀ ଖୁବ ସମାଲୋଚନା କରିଥିଲେ । ଯେହେତୁ ଅତି ଗରିବ ପରିବାରରୁ ରୌମ୍ୟା ଆସିଛନ୍ତି ତେଣୁ ଗରିବ ଓ ଅବହେଳିତଙ୍କ ପାଇଁ ସେ ସଂସଦରେ କେଉଁଭଳି ଆଭିମୁଖ୍ୟ ଆପଣାଇବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।