ନିଶ ମୋଡି, ଛାତି ଫୁଲାଇ ଦେଶକୁ ଫେରିଥିଲେ ଅଭିନନ୍ଦନ । ବାୟୁ ବୀରଙ୍କ ଫେରିବା ବାଟକୁ ଚାହିଁ ୱାଘା ସୀମାରେ ଜଗି ବସିଥିଲା ସାରା ଦେଶ

ବୀର ଭଳି ଛାତି ଫୁଲାଇ, ନିଶ ମୋଡି ଫେରିଥିଲେ ସେ ସମୟର ଚିତ୍ର, ସେସମୟର ଦୃଶ୍ୟ ଖାଲି ଭାରତୀୟଙ୍କ ମନରେ ନୁହେଁ ପୁରୁଣା ବର୍ଷର କ୍ୟାଲେଣ୍ଡରରେ ମଧ୍ୟ ନୂଆ ହୋଇ ରହିଥିବ ।

61

କନକ ବ୍ୟୁରୋ: ବର୍ଷ ୨୦୧୯ର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ । ପାକିସ୍ତାନ ମାଟିରୁ ୱାଘା ସୀମା ଦେଇ ଅଭିନନ୍ଦନ ଯେତେବେଳେ ବୀର ଭଳି ଛାତି ଫୁଲାଇ, ନିଶ ମୋଡି ଫେରିଥିଲେ ସେ ସମୟର ଚିତ୍ର, ସେସମୟର ଦୃଶ୍ୟ ଖାଲି ଭାରତୀୟଙ୍କ ମନରେ ନୁହେଁ ପୁରୁଣା ବର୍ଷର କ୍ୟାଲେଣ୍ଡରରେ ମଧ୍ୟ ନୂଆ ହୋଇ ରହିଥିବ ।

ଶତ୍ରୁ ଦେଶରେ ବନ୍ଦୀ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ପାକିସ୍ତାନ ନିଷ୍ପତ୍ତି ନେବା ପରେ ସାରା ଦେଶର ନଜର ଅଟକିଥିଲା ୱିଙ୍ଗ କମାଣ୍ଡରଙ୍କ ଫେରିବା ବାଟକୁ । ବୀର ପୁଅକୁ ସ୍ୱାଗତ ଜଣାଇବାକୁ ୱାଘା ସୀମାରେ ଭିଡ ଜମିଥିଲା । ଆଉ ଟିଭି ସାମ୍ନାରେ କୋଟି କୋଟି ଜନତା ଅପେକ୍ଷା କରିଥିଲେ ଅଭିନନ୍ଦନଙ୍କ ପ୍ରଥମ ଝଲକକୁ ହାତଛଡା ନକରିବାକୁ ।

ଶୁକ୍ରବାର ସନ୍ଧ୍ୟାରୁ ରାତି ଯାଏଁ ଅଭିନନ୍ଦନ ଆସିବା ବାଟକୁ ଅପେକ୍ଷା କରିଥିଲା ଦେଶ । ରାତି ପ୍ରାୟ ସାଢେ ୯ଟା ହେବ । ୱାଘା ଫାଟକ ପାଖରେ ଦେଖିବାକୁ ମିଳିଲା ଭାରତ ମାଟିରେ ସାହସୀ ପୁଅର ପ୍ରଥମ ଝଲକ । ୬୦ ଘଂଟା ଧରି ଶତ୍ରୁ କବଳରେ ରହିବା ପରେ ବି ମନରେ ଭୟ ନଥିଲା । ବୀରଦର୍ପରେ ଛାତି ଫୁଲାଇ ପରିଚୟ ଦେଉଥିଲେ ଜଣେ ଯୋଦ୍ଧା ସିପାହୀର । ଆଖିରୁ ବାରି ହେଉଯାଉଥିଲା ତାଙ୍କ ଅଦମ୍ୟ ସାହସ ଓ ନିର୍ଭିକତା ।

ସେପଟେ ଟିଭି ସାମ୍ନାରେ ଅପଲକ ନୟନରେ ଅଭିନନ୍ଦନଙ୍କୁ ଅପେକ୍ଷା କରିଥିବା ଦେଶବାସୀଙ୍କ ଆଉ ପଲକ ପଡୁନଥିଲା । ଚାତକ ଭଳି ଚାହିଁରହିଥିଲେ ସମସ୍ତେ । ଭାରତ ମାଟିକୁ ଅଭିନନ୍ଦନଙ୍କ ପାଦ ଯେତିକି ଆଗକୁ ଆଗ ବଢୁଥିଲା, ହୃତସ୍ପନ୍ଦନ ସେତିକି ସେତିତି ବଢି ବଢି ଚାଲିଥିଲା । ଭାରତକୁ ତାର ସାହସୀ ପୁଅକୁ ହସ୍ତାନ୍ତର କରିବାକୁ ସାଙ୍ଗରେ ଆସିଥିଲେ ପାକ୍ ବିଦେଶ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡକ୍ଟର ଫରିହା ବୁଗତୀ । ଅଭିନନ୍ଦନଙ୍କୁ ଭାରତ ହସ୍ତାନ୍ତର କରିବା ପରେ ୱାଘା ସୀମା ଦେଇ ପାକିସ୍ତାନ ଫେରିଥିଲେ ବୁଗତୀ ।

ଭାରତକୁ ଫେରିଥିଲେ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ । ସାରା ଦେଶ ଗର୍ବ କରୁଥିଲା । ଆଖିରୁ ଲୁହ ଝରିଆସୁଥିଲା ଆଉ ହୃଦୟରେ ଗର୍ବ । ଯୁଦ୍ଧ ହୋଇନଥିଲା ତଥାପି ଯୁଦ୍ଧ ବିଜୟ ଭଳି ଅନୁଭବ ହେଉଥିଲା ।

ତେବେ ଯୁଦ୍ଧ ସ୍ଥିତି ମଧ୍ୟରେ ପାକିସ୍ତାନ, ଭାରତକୁ ତାର ୱିଙ୍ଗ କମାଣ୍ଡରଙ୍କୁ ଫେରାଇବା ଭାରତ ପାଇଁ ବଡ କୂଟନୈତିକ ବିଜୟ ଥିଲା । ଆଉ ସେହି ବିଜୟ ପଛରେ ରହିଥିଲା ବିଶ୍ୱ ସମୁଦାୟର ବଡ ବଡ ରାଷ୍ଟ୍ରର ଉଦ୍ୟମ । କୂଟନୈତିକ ସମ୍ପର୍କ ବଳରେ ପାକିସ୍ତାନ ଉପରେ ଚାପ ପକାଇବାକୁ ସମର୍ଥ ହୋଇଥିଲା ଭାରତ । ଫଳରେ ମାତ୍ର ୬୦ ଘଂଟା ଭିତରେ ଅଭିନନ୍ଦନଙ୍କୁ ଭାରତକୁ ଫେରାଇବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ ।