କନକ ବ୍ୟୁରୋ: ବର୍ଷ ୨୦୧୯ର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ । ପାକିସ୍ତାନ ମାଟିରୁ ୱାଘା ସୀମା ଦେଇ ଅଭିନନ୍ଦନ ଯେତେବେଳେ ବୀର ଭଳି ଛାତି ଫୁଲାଇ, ନିଶ ମୋଡି ଫେରିଥିଲେ ସେ ସମୟର ଚିତ୍ର, ସେସମୟର ଦୃଶ୍ୟ ଖାଲି ଭାରତୀୟଙ୍କ ମନରେ ନୁହେଁ ପୁରୁଣା ବର୍ଷର କ୍ୟାଲେଣ୍ଡରରେ ମଧ୍ୟ ନୂଆ ହୋଇ ରହିଥିବ ।
ଶତ୍ରୁ ଦେଶରେ ବନ୍ଦୀ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ପାକିସ୍ତାନ ନିଷ୍ପତ୍ତି ନେବା ପରେ ସାରା ଦେଶର ନଜର ଅଟକିଥିଲା ୱିଙ୍ଗ କମାଣ୍ଡରଙ୍କ ଫେରିବା ବାଟକୁ । ବୀର ପୁଅକୁ ସ୍ୱାଗତ ଜଣାଇବାକୁ ୱାଘା ସୀମାରେ ଭିଡ ଜମିଥିଲା । ଆଉ ଟିଭି ସାମ୍ନାରେ କୋଟି କୋଟି ଜନତା ଅପେକ୍ଷା କରିଥିଲେ ଅଭିନନ୍ଦନଙ୍କ ପ୍ରଥମ ଝଲକକୁ ହାତଛଡା ନକରିବାକୁ ।
ଶୁକ୍ରବାର ସନ୍ଧ୍ୟାରୁ ରାତି ଯାଏଁ ଅଭିନନ୍ଦନ ଆସିବା ବାଟକୁ ଅପେକ୍ଷା କରିଥିଲା ଦେଶ । ରାତି ପ୍ରାୟ ସାଢେ ୯ଟା ହେବ । ୱାଘା ଫାଟକ ପାଖରେ ଦେଖିବାକୁ ମିଳିଲା ଭାରତ ମାଟିରେ ସାହସୀ ପୁଅର ପ୍ରଥମ ଝଲକ । ୬୦ ଘଂଟା ଧରି ଶତ୍ରୁ କବଳରେ ରହିବା ପରେ ବି ମନରେ ଭୟ ନଥିଲା । ବୀରଦର୍ପରେ ଛାତି ଫୁଲାଇ ପରିଚୟ ଦେଉଥିଲେ ଜଣେ ଯୋଦ୍ଧା ସିପାହୀର । ଆଖିରୁ ବାରି ହେଉଯାଉଥିଲା ତାଙ୍କ ଅଦମ୍ୟ ସାହସ ଓ ନିର୍ଭିକତା ।
ସେପଟେ ଟିଭି ସାମ୍ନାରେ ଅପଲକ ନୟନରେ ଅଭିନନ୍ଦନଙ୍କୁ ଅପେକ୍ଷା କରିଥିବା ଦେଶବାସୀଙ୍କ ଆଉ ପଲକ ପଡୁନଥିଲା । ଚାତକ ଭଳି ଚାହିଁରହିଥିଲେ ସମସ୍ତେ । ଭାରତ ମାଟିକୁ ଅଭିନନ୍ଦନଙ୍କ ପାଦ ଯେତିକି ଆଗକୁ ଆଗ ବଢୁଥିଲା, ହୃତସ୍ପନ୍ଦନ ସେତିକି ସେତିତି ବଢି ବଢି ଚାଲିଥିଲା । ଭାରତକୁ ତାର ସାହସୀ ପୁଅକୁ ହସ୍ତାନ୍ତର କରିବାକୁ ସାଙ୍ଗରେ ଆସିଥିଲେ ପାକ୍ ବିଦେଶ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡକ୍ଟର ଫରିହା ବୁଗତୀ । ଅଭିନନ୍ଦନଙ୍କୁ ଭାରତ ହସ୍ତାନ୍ତର କରିବା ପରେ ୱାଘା ସୀମା ଦେଇ ପାକିସ୍ତାନ ଫେରିଥିଲେ ବୁଗତୀ ।
ଭାରତକୁ ଫେରିଥିଲେ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ । ସାରା ଦେଶ ଗର୍ବ କରୁଥିଲା । ଆଖିରୁ ଲୁହ ଝରିଆସୁଥିଲା ଆଉ ହୃଦୟରେ ଗର୍ବ । ଯୁଦ୍ଧ ହୋଇନଥିଲା ତଥାପି ଯୁଦ୍ଧ ବିଜୟ ଭଳି ଅନୁଭବ ହେଉଥିଲା ।
ତେବେ ଯୁଦ୍ଧ ସ୍ଥିତି ମଧ୍ୟରେ ପାକିସ୍ତାନ, ଭାରତକୁ ତାର ୱିଙ୍ଗ କମାଣ୍ଡରଙ୍କୁ ଫେରାଇବା ଭାରତ ପାଇଁ ବଡ କୂଟନୈତିକ ବିଜୟ ଥିଲା । ଆଉ ସେହି ବିଜୟ ପଛରେ ରହିଥିଲା ବିଶ୍ୱ ସମୁଦାୟର ବଡ ବଡ ରାଷ୍ଟ୍ରର ଉଦ୍ୟମ । କୂଟନୈତିକ ସମ୍ପର୍କ ବଳରେ ପାକିସ୍ତାନ ଉପରେ ଚାପ ପକାଇବାକୁ ସମର୍ଥ ହୋଇଥିଲା ଭାରତ । ଫଳରେ ମାତ୍ର ୬୦ ଘଂଟା ଭିତରେ ଅଭିନନ୍ଦନଙ୍କୁ ଭାରତକୁ ଫେରାଇବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ ।