କନକ ବ୍ୟୁରୋ : ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଆଜି ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ବିଜେଡି ପକ୍ଷରୁ ରାଜ୍ୟ ଯୁବ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡିର ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ପତକା ଉତ୍ତୋଳନ କରିଥିଲେ ।

Advertisment

ଏହି ଅବସରରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ପତକା ଉତ୍ତୋଳନ କରିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ୍ ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ସୁର ରାଉତରାୟ ପତକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଅନ୍ୟାନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

ସେପଟେ, ସାଧାରଣତନ୍ତ୍ର ଦିବସ ଅବସରରେ ମହାନ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ କରୋନାରେ ମୃତ୍ୟୁ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ କରୁଛି । ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ମଧ୍ୟ ଚଳିତ ବର୍ଷର ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମର ସ୍ୱାଧୀନତା ସଂଗ୍ରାମ କେବଳ ଏକ ରାଜନୈତିକ ସଂଗ୍ରାମ ନଥିଲା । ଏହା ଥିଲା ସମତା ଓ ନ୍ୟାୟ ପାଇଁ ସଂଗ୍ରାମ । ହିଂସା ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ ।

ଆମର ସଂଗ୍ରାମ କେବଳ ଆମ ପାଇଁ ସ୍ୱାଧୀନତା ଆଣିନଥିଲା, ଏହା ଥିଲା ସାରା ବିଶ୍ୱ ପାଇଁ ମାନବତାର ସବୁଠାରୁ ବଡ଼ ବିଜୟ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ । ଆମ ଗଣତନ୍ତ୍ରର ଆତ୍ମା । ଏକ ମହାନ ଦେଶର ନାଗରିକ ଭାବେ ଆମର ସକଳ ଶକ୍ତିର ଆଧାର ହେଉଛି ସମ୍ବିଧାନ । ଆମ କଥା ଓ କାର୍ଯ୍ୟରେ ସମ୍ବିଧାନର ମୂଲ୍ୟବୋଧ ପ୍ରତିଫଳିତ ହୋଇପାରିଲେ, ଭାରତ ବିଶ୍ୱର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇପାରିବ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନାର ତୃତୀୟ ଲହର ଏବେ ସାରା ବିଶ୍ୱରେ ବ୍ୟାପିଛି । ଆମେ ମଧ୍ୟ ଏହାର ମୁକାବିଲା କରୁଛୁ । ଭୟଭୀତ ନହୋଇ କରୋନାର ସବୁ ଗାଇଡ୍ଲାଇନ୍ସକୁ ଠିକ୍ ଭାବେ ପାଳନ କରିବା ଓ କରୋନାକୁ ହରାଇବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।