କନକ ବ୍ୟୁରୋ : ଓଡ଼ିଶା ପୋଲିସର ଡଗ୍ ସ୍କ୍ୱାର୍ଡ କେ-୯ରେ ସାମିଲ ହେଲା ବେଲଜିଆନ୍ ମାଲିନୋଇସ୍ ପ୍ରଜାତିର ୫ କୁକୁର । କଟକ ବକ୍ସିବଜାର ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ସେମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଏହି କୁକୁରମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ଓସାମା ବିନ୍ ଲାଡେନ୍ ଏବଂ ଆଇଏସ୍ଆଇଏସର ମୁଖ୍ୟ ଅବୁବକ୍‌ର ଅଲ୍‌-ବାଗଦାଦିର ହତ୍ୟା ଅପରେସନରେ ଆମେରିକା ସେନା ଏହି ପ୍ରଜାତିର କୁକୁର ବ୍ୟବହାର କରିଥିଲା ।

Advertisment

ଏଭଳି ଆହୁରି ୧୩ଟି କୁକୁର ରାଜ୍ୟ ବାହାରେ ଥିବା ବିଭିନ୍ନ ପୋଲିସ ପ୍ରତିଷ୍ଠାନରେ ତାଲିମ ନେଉଥିବା ବେଳେ ଖୁବ୍ ଶୀଘ୍ର ପୋଲିସ ବିଭାଗରେ ସାମିଲ କରାଯିବ । ଚିତାବାଘ ପରି ଚତୁର ବେଲଜିଆନ୍ ମାଲିନୋଇସ୍ ପ୍ରଜାତିର ଏହି କୁକୁର କ୍ରାଇମବ୍ରାଞ୍ଚରେ ପ୍ରଥମ ଥର ପାଇଁ ସାମିଲ ହୋଇଛି । ଏହି କୁକୁର ଖୋଲା ବଜାରରେ ୭୫ରୁ ୮୦ ହଜାର ଟଙ୍କାରେ ମିଳୁଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବେ ସମସ୍ତ ରାଜ୍ୟ ପୋଲିସ ବିଭାଗକୁ ୩୫ ହଜାର ଟଙ୍କା ମୂଲ୍ୟରେ ଦେବାକୁ ନିଷ୍ପତି ନେଇଛି । ଓଡ଼ିଶା ୧୮ଟି କୁକୁରକୁ ୬ଲକ୍ଷ ୩୦ ହଜାର ଟଙ୍କାରେ କିଣିଛି ।

ବେଲଜିଆନ୍ ମାଲିନଏସ୍ ପ୍ରଜାତିର କୁକୁର ୧୮୦୦ମସିହାରେ ବେଲଜିଅମର ମାଲାଇନ୍ ସହରରେ ପ୍ରଥମେ ଦେଖିବାକୁ ମିଳିଥିଲା । ଏମାନଙ୍କ ଘ୍ରାଣ ଶକ୍ତି ୨୨୫ ମିଲିଅନ୍ ହୋଇଥିବା ବେଳେ ମଣିଷର ମାତ୍ର ୫ ମିଲିଅନ୍ ରହିଛି । ଏମାନଙ୍କ ଜୀବନକାଳ ୧୨ରୁ ୧୪ ବର୍ଷ ହୋଇଥାଏ । ଘଞ୍ଚ ଜଙ୍ଗଲରେ ମାଟିରୁ ଦେଢ଼ ଫୁଟ୍‌ ତଳେ ପୋତାଯାଇଥିବା ଲ୍ୟାଣ୍ତମାଇନ୍‌ କିମ୍ବା ଆଇଡିକୁ କୌଶଳକ୍ରମେ ଠାବ କରିପାରିବେ ।

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍ କଏଦା ମୁଖ୍ୟ ଓସାମା ବିନ୍ ଲାଡେନକୁ ୨୦୧୧ରେ ଧରିବା ଓ ହତ୍ୟା କରିବାରେ ଆମେରିକା ନୌସେନାରେ ଏହି ପ୍ରଜାତିର କୁକୁର ବିଶେଷ ସାହାଯ୍ୟ କରିଥିଲା । ସେହିଭଳି ୨୦୧୯ରେ କୁଖ୍ୟାତ ଆତଙ୍କବାଦୀ ସ˚ଗଠନ ଆଇଏସ୍‌ଆଇଏସ୍‌ର ମୁଖ୍ୟ ଅବୁ ବକ୍‌ର ଅଲ୍‌-ବାଗଦାଦିର ହତ୍ୟାରେ ଆମେରିକା ସ୍ପେଶାଲ ଫୋର୍ସ ଏହି ପ୍ରଜାତିର କୁକୁର ବ୍ୟବହାର କରିଥିଲା । ସେନାବାହୀନିକୁ ସିରିଆରେ ଏକ ସୁଡ଼ଙ୍ଗରେ ଲୁଚିଥିବା ଅବୁ ବକର୍‌କୁ ଠାବ କରିଥିଲା ଏହି ପ୍ରଜାତିର କୁକୁର । ସେହି ବର୍ଷ ନଭେମ୍ବରରେ ହ୍ବାଇଟ୍ ହାଉସ୍ ପକ୍ଷରୁ ହିରୋ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସେବେଠାରୁ ଆମେରିକାରେ ବେଲଜିଆନ୍ ମାଲିନଏସ୍  ହିରୋ ଭାବେ ପରିଚିତ ହୋଇଛି ।