କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ କରିବା ପାଇଁ ଭିନ୍ନ ଭିନ୍ନ ଜିଲ୍ଲା ଗସ୍ତ କରୁଥିବା ଫାଇବ୍-ଟି ସଚିବଙ୍କୁ ନେଇ ଆସିଛି ଏକ ରୋଚକ ଦୃଶ୍ୟ । ଅନୁଗୁଳ ଗସ୍ତରେ ଯାଇଥିବା ଭି.କେ ପାଣ୍ଡିଆନ୍ ଲୋକଙ୍କ ସମସ୍ୟା ଦୁଇ ମିନିଟ୍ରେ ଦୂର କରାଇଥିଲେ । ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭିଡିଓ କଲ କରି ଲୋକଙ୍କ ସମସ୍ୟା ବିଷୟରେ ଜଣାଇଥିଲେ । ଆଉ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ।

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଫାଇଭ୍-ଟି ସଚିବଙ୍କ ଭିଡିଓ କଲ୍ । ଅନଗୁଳ ଗସ୍ତରେ ଯାଇ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚିଥିଲେ ଭି.କେ ପାଣ୍ଡିଆନ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ ହସପିଟାଲ୍ରେ ସାମିଲ କରିବା ପାଇଁ ଲୋକଙ୍କ ଦାବି ଦୁଇ ମିନିଟରେ ପୂରଣ ହେବ ବୋଲି କହିଥିଲେ ସଚିବ । ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କଲ୍ରେ କଥା ହୋଇଥିଲେ । ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ଆମ ହସପିଟାଲ୍ରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ମଂଚ ଉପରୁ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରିବା ହେଉଛି ଦ୍ୱିତୀୟ ଘଟଣା । ଜୁନ ଶେଷ ସପ୍ତାହରେ ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ ପାଣ୍ଡିଆନ୍ । ସଚିବଙ୍କୁ ପଠାଇଥିବା ଫୋନରେ କହିଥିଲେ ମୁଖ୍ୟମନ୍ତ୍ରୀ । ଆଜି ଭିଡିଓ କଲ୍ ଜରିଆରେ ଲୋକଙ୍କ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେଇଛନ୍ତି ଫାଇଭ୍-ଟି ସଚିବ । ତେବେ ସଚିବଙ୍କ ଗସ୍ତକୁ ନେଇ ବିବାଦ ତେଜିବାରେ ଲାଗିଛି । କିନ୍ତୁ ତାହାରି ଭିତରେ ଅନଗୁଳ ଜିଲ୍ଲା ଗସ୍ତରେ ଆସି ତାଳଚେରରେ ମା’ ହିଙ୍ଗୁଳାଙ୍କ ପୂଜାର୍ଚ୍ଚନା କରିଛନ୍ତି ଫାଇଭ୍-ଟି ସଚିବ । ଟ୍ରଷ୍ଟ ବୋର୍ଡ ସହ ଆଲୋଚନା କରିବା ସହ ନିର୍ମାଣାଧୀନ ମନ୍ଦିରର ନକ୍ସା ଦେଖିଛନ୍ତି । ଏହାପରେ ଏସଏସଜି ମହିଳା ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଠାରୁ ଦାବି ପତ୍ର ଗହଣ କରିଛନ୍ତି ।

ସଚିବଙ୍କ ଗସ୍ତକୁ ଜୋରଦାର ବିରୋଧ କରିଛନ୍ତି ବିଜେପି । ତାଳଚେରରେ ଶତାଧିକ ବିଜେପି କର୍ମୀ କଳା ପୋଷାକ ପିନ୍ଧି ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇଛନ୍ତି । ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛି ବିଜେପି । ସଚିବଙ୍କ ଗସ୍ତ ପୂର୍ବରୁ ଅଣ୍ଡା ଦୋକାନ ବନ୍ଦ କରାଯିବା ଅଭିଯୋଗ କରି ବର୍ଷିବା ସହ କଡ଼ା ସମାଲୋଚନା କରିଛି ବିଜେପି । ଗୋଟିଏ ପଟେ ବିରୋଧୀ କଡ଼ା ସମାଲୋଚନା କରୁଛନ୍ତି, ଅନ୍ୟପଟେ ଜାରି ରହିଛି ସଚିବଙ୍କ ଗସ୍ତ । ତେବେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି ।