କନକ ବ୍ୟୁରୋ: ଭୁଶୁଡ଼ି ପଡ଼ିଲା ଫାଇବଟି ସ୍କୁଲ ପାଚେରି। ଡେଲାଙ୍ଗ ବ୍ଲକରେ ସ୍କୁଲ ରୂପାନ୍ତରଣ କାର୍ୟ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଏ ଚିତ୍ର ହିଁ ବୟାନ କରୁଛି।
ଧାନକେରାସ୍ଥିତ କପିଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରୁ ଫାଇବ୍-ଟି ଯୋଜନାରେ ସାମିଲ କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟରେ ୨୦୨୨ ମସିହାରେ ରୂପାନ୍ତରଣ କାର୍ୟ୍ୟ କରାଯାଇଥିଲା। ଏହି କାମକୁ ମାତ୍ର ୨ ବର୍ଷ ହୋଇ ନଥିବାବେଳେ ଗତକାଲି ବର୍ଷାରେ ଏହି ସ୍ମାର୍ଟ ସ୍କୁଲ ପାଚେରି ଭୁଶୁଡ଼ି ପଡିଛି। ବିଦ୍ୟାଳୟରେ ଦକ୍ଷିଣ ଦିଗରେ ଥିବା ପ୍ରାୟ ୮୦ ଫୁଟ ପାଚେରି ବର୍ଷାରେ ଭୁଶୁଡ଼ି ପଡିବାରୁ ନିକଟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭାଙ୍ଗି ଯାଉଛି । ଏହି ପାଚେରିକୁ ଲାଗି ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଧନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଥିଲା। ମାତ୍ର ପାଚେରି ଏହି ପ୍ରତିମୂର୍ତିଗୁଡିକ ଉପରେ ପଡ଼ିଯିବାରୁ ସେଗୁଡିକ ମଧ୍ୟ ଭାଙ୍ଗି ଯାଇଛି । ଫାଇବ ଟି ସ୍କୁଲ ନାଁରେ ଅନେକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟ ରୂପାନ୍ତରଣ ପାଇଁ ୩୫ ଲକ୍ଷ ଟଙ୍କା ଧାର୍ୟ୍ୟ ହୋଇଥିବା ବ୍ଲକ୍ ପକ୍ଷରୁ ସୂଚନା ମିଳିଥିବା ବେଳେ ଏହି ସ୍କୁଲରେ ପାଖାପାଖି ୬୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଦ୍ୟାଳୟ ପରିଚାଳନା କମିଟି ସୂଚନା ଦେଇଛି।
ଏତେ ଟଙ୍କା ଖର୍ଚ୍ଚ ସତ୍ତ୍ବେ ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍ରୁମ୍ କାନ୍ଥରୁ ପାଣି ଝରୁଛି ପାଣି ଗଳୁଥିବାରୁ ସ୍ମାର୍ଟ କ୍ଲାସ୍ରୁମ୍ରେ ଥିବା କମ୍ପ୍ୟୁଟର, ପ୍ଲାଇରେ ନିର୍ମିତ ଥାକ, ଚୌକି, ଟେବୁଲ ସହ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ନଷ୍ଟ ହେବାର ଆଶଙ୍କା ରହିଛି। ସେହିପରି ରୋଷଘରେ ପୂର୍ବରୁ ଥିବା ଆଜବେଷ୍ଟସ୍ ନ କାଢ଼ି ତା ଉପରେ ଛାତ ପକାଯାଇଛି। ୬ ମାସ ହେଲା ଜଣେ ସ୍ଥାୟୀ ପ୍ରଧାନଶିକ୍ଷକ ନଥିବା ବେଳେ ସହକାରୀ ଶିକ୍ଷକ ଦୁର୍ଗାପ୍ରସାଦ ରଥ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଦାୟିତ୍ଵ ତୁଲାଉଛନ୍ତି। ଅନୁରୂପ ଭାବେ ବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।