କନକ ବ୍ୟୁରୋ: ଶ୍ରେଣୀ ଗୃହରେ ବର୍ଷା ପାଣି । ବାରଣ୍ଡାରେ ଚାଲିଛି ପାଠପଢ଼ା । ଏହିଭଳି ଖବର ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ମୋହନା ସରକାରୀ ବାଳିକା ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ । ଶ୍ରେଣୀ ଗୃହ ଅତ୍ୟନ୍ତ ପୁରୁଣା ହୋଇଥିବା ବେଳେ ଛାତ ଓ ଆଜବେଷ୍ଟସରୁ ପାଣି ଗଳୁଛି । ଆଉ ବାଧ୍ୟହୋଇ ପିଲାମାନଙ୍କୁ ବାରଣ୍ଡାରେ ପାଠପଢ଼ାଉଛନ୍ତି ଶିକ୍ଷୟତ୍ରୀ । ଗତ କିଛି ବର୍ଷ ହେଲା ବର୍ଷା ଦିନ ଆସିଲେ ଏଭଳି ସମସ୍ୟାରେ ପାଠ ପଢ଼ୁଛନ୍ତି ଛାତ୍ରୀ । ବାରମ୍ବାର ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଉଛି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ସେପଟେ ଖୁବଶୀଘ୍ର ଶ୍ରେଣୀ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୋହନା ବିଡିଓ ।
ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବେରବୋଇ ଉଚ୍ଚ ବିଦ୍ୟାଳୟରୁ ଆସିଛି ସମାନ ଖବର । ଏଠାରେ ଶ୍ରେଣୀ ଗୃହରେ ବର୍ଷା ପାଣି ଗଳୁଥିବାରୁ ପିଲାମାନେ ଛତା ଧରି ପାଠପଢ଼ୁଛନ୍ତି । ପିଲାଙ୍କ ପାଦତଳେ ବର୍ଷା ପାଣି ଜମି ରହିଥିବା ବେଳେ ପିଲାମାନେ ଛତାଧରି ବସିଛନ୍ତି । ଆଦର୍ଶ ବିଦ୍ୟାଳୟ ଗୃହ ସମ୍ପୂର୍ଣ୍ଣ ହୋଇନଥିବାରୁ ବେରବୋଇ ଉଚ୍ଚ ବିଦ୍ୟାଳୟର ୩ବଖରା ଆଜବଷ୍ଟସ ଘରେ ବହୁ କଲବଲ ହୋଇ ପାଠପଢ଼ୁଛନ୍ତି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ।
ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଥିବା ବେଳେ ଗୋଟିଏ ମାତ୍ର ଶିକ୍ଷକରେ ଚାଲିଛି ପାଠପଢ଼ା । ବିଦ୍ୟାଳୟଟି ୫-ଟି ଅଧିନରେ ହୋଇଥିବା ବେଳେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି ।