ଯାଜପୁର ବସ୍ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ । କଟକ ଏସସିବିରେ ଚାଲିଛି ୪୬ ଜଣଙ୍କ ଚିକିତ୍ସା । ଗୁରୁତର ୫ଜଣ ଆଇସିୟୁରେ ଭର୍ତ୍ତି ।

391

କନକ ବ୍ୟୁରୋ: ଯାଜପୁର ଜିଲ୍ଲା କୁଆଖିଆ ନିକଟ ବାରବାଟୀ ଛକ ଅଂଚଳରେ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣାରେ ୪୬ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୫ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅନ୍ୟମାନଙ୍କୁ ସାଧାରଣ ୱାର୍ଡରେ ଚିକିତ୍ସା କରାଯାଉଛି । ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି ।

ବାରବାଟୀ ଛକ ନିକଟରେ ଓଭରବ୍ରିଜରୁ ତଳକୁ ଖସିପଡ଼ିଥିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ବସଟି ପୋଲରୁ ୨୦ ଫୁଟ ତଳକୁ ଖସିପଡ଼ିଥିଲା । ପୁରୀରୁ କୋଲକାତା ଯାଉଥିଲା ବସ୍ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଫସିରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ୪ ଜଣ ପୁରୁଷ ଅଛନ୍ତି । ଅନ୍ୟ ୪୬ ଜଣ ଆହତଙ୍କୁ ସେଠାରେ ଚିକିତ୍ସା ଚାଲିଥିବା ବେଳେ ଗୁରୁତର ହୋଇପଡ଼ିଥିଲେ । ସେପଟେ ଆଜି ଧର୍ମଶାଳା ମେଡ଼ିକାଲରେ ପହଂଚିଛି ପଶ୍ଚିମବଙ୍ଗ ମେଦିନପୁର ପୋଲିସ ।