ଯୁବକର ଉନ୍ମତ କାଣ୍ଡ : ବାପା ଆଗରେ ୫ ଜଣକୁ ଗାଡି ଚଢାଇଲା ପୁଅ

209

କନକ ବ୍ୟୁରୋ: ଯୁବକର ଉନ୍ମତ କାଣ୍ଡ । ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗ ହେବାରୁ ରାଗରେ ୫ ଜଣଙ୍କ ଉପରେ ଚଢାଇଲା କାର । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଅଛନ୍ତି । ଏପରି ଘଟଣା ଘଟିଛି ହରିଆଣା କର୍ଣ୍ଣାଲରେ ।

 

ସୂଚନା ମୁତାବକ, ଅଭିଯୁକ୍ତ ଯୁବକ ସବୁବେଳେ ଅତି ଦ୍ରୁତ ଗତିରେ ଗାଡି ଚଳାଏ । ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି । ହେଲେ ଘଟଣା ଘଟିବା ପୂର୍ବ ଦିନ ଯୁବକଙ୍କ ଘରେ ଏକ ବିବାହ ଉତ୍ସବ ଥିଲା । ଏଥିରେ ଯୋଗ ଦେଇ ଘରକୁ ଫେରୁଥିଲେ ସମ୍ପର୍କୀୟ । ସେମାନେ ବି ଯୁବକଙ୍କ ଗାଡି ଚଲାଇବା ଉପରେ ଯୁବକଙ୍କ ବାପାଙ୍କୁ ଅଭିଯୋଗ କରିଥିଲେ । ଏଥିରେ ରାଗିଯାଇଥିଲେ ଯୁବକ । ଆଉ ରାଗରେ ଘର ବାହାରେ ଛିଡା ହୋଇଥିବା ସମ୍ପର୍କୀୟଙ୍କ ମଧ୍ୟରୁ ୫ଜଣଙ୍କ ଉପରେ ଗାଡି ଚଢାଇଦେଇ ଚାଲିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଜଣେ ମହିଳା ଓ ଜଣେ ପୁରୁଷ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

 

ଅଭିଯୁକ୍ତକୁ ଗିରଫ ନକରିବା ଯାଏଁ ମୃତକଙ୍କ ପୋଷ୍ଟମର୍ଟମ କରାଯିବ ନାହିଁ ବୋଲି ମୃତକଙ୍କ ସମ୍ପର୍କୀୟ କହିବା ପରେ କର୍ଣ୍ଣାଲ ପୋଲିସ ପହଞ୍ଚି ଅଭିଯୁକ୍ତ ଯୁବକ ସହ , ଯୁବକଙ୍କ ବାପାଙ୍କୁ ମଧ୍ୟ ଗିରଫ କରିଛି ।