କନକ ବ୍ୟୁରୋ : ଭାରତରେ ବ୍ରିଟେନର କରୋନା ପଜିଟିଭ୍ । ଦିଲ୍ଲୀ ବିମାନ ବନ୍ଦରରେ ଯାଂଚ ବେଳେ ଡାକ୍ତରୀ ପରୀକ୍ଷାରୁ ଚିହ୍ନଟ ହୋଇଛନ୍ତି ୫ ଜଣ ପଜିଟିଭ୍ । ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଯାତ୍ରୀ ଓ କ୍ରୁ ମେମ୍ବର । ୨୬୬ ଜଣ ଯାତ୍ରୀ ବ୍ରିଟେନରୁ ଆସିଥିଲେ । ନିୟମ ଅନୁସାରେ ସମସ୍ତଙ୍କର ଦିଲ୍ଲୀ ବିମାନବନ୍ଦରରେ କରୋନା ପରୀକ୍ଷା କରାଯିବା ପରେ ୫ ଜଣ ପଜିଟିଭ ଥିବା ଜଣାପଡିଛି ।
ଏବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କୁ ନେଇ ଚିନ୍ତା ବଢାଇ ଦେଇଛି । ଗତକାଲି ରାତି ୧୨ଟାରେ ଏୟାର ଇଣ୍ଡିଆ ବିମାନରେ ୨୬୬ ଜଣ ଦିଲ୍ଲୀ ବିମାନବନ୍ଦରରେ ପହଚିଂଥିଲେ । ସେପଟେ ୟୁକେରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏସଓପି ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଗତ ନଭେମ୍ୱର ୨୫ରୁ ୮ ଡିସେମ୍ୱର ମଧ୍ୟରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଯୋଗାଯୋଗ କରାଯିବ । ସମସ୍ତେ ବ୍ୟକ୍ତିଗତ ଭାବେ ତତ୍ୱାବଧାନରେ ରହିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବ୍ରିଟେନରେ କରୋନା ସଂକ୍ରମଣର ନୂଆ ରୂପ ଚିହ୍ନଟ ପରେ ଏବେ ଭାରତ ପାଇଁ ବି ଚିନ୍ତା ବଢିଛି ।
ଗତକାଲି ଭାରତ ସମେତ ଅନେକ ଦେଶ ବ୍ରିଟେନରୁ ବିମାନ ଚଳାଚଳ ବାତିଲ୍ କରିଛନ୍ତି । ଏହାରି ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା କହିଛନ୍ତି ବ୍ରିଟେନରେ ଦେଖା ଯାଉଥିବା କରୋନା ୭୦ ପ୍ରତିଶତ ବେଗରେ ବଢ଼ୁଛି , ହେଲେ ସେଠାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି କେହି ଗୁରୁତର ହୋଇ ନାହାନ୍ତି । ହେଲେ ସଂକ୍ରମଣ ନେଇ ସତକର୍ତା ଅବଲମ୍ବନ କରିବା ଉଚିତ । ଯଦି ଭାଇରସ ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣେ ବ୍ୟକ୍ତିକୁ ଜଲଦି ସଂକ୍ରମଣ କରୁଛି ତେବେ ସେ ଯେଉଁଠାକୁ ଯାଉଛନ୍ତି ସେଠାରେ ସଂକ୍ରମଣ ଅଧିକ ବେଗରେ ବଢ଼ିବ ।