କନକ ବ୍ୟୁରୋ : ବଦଳିଯିବ ମାସ ବଦଳିବ ନିୟମ । ଅକ୍ଟୋବର ମାସ ପହିଲାରୁ ବଦଳିଯିବ ୫ ନିୟମ । ଯାହା ସିଧାସଳଖ ଜନସାଧରଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ଅକ୍ଟୋବର ମାସରେ କେଉଁ ନୂଆ ନିୟମ ଲାଗୁ ହେବ ଓ ଏହା ଆପଣଙ୍କ ମାସିକ ବଜେଟ ଉପରେ କିଭଳି ପ୍ରଭାବ ପଡିବ ।

Advertisment

ଅକ୍ଟୋବର ପହିଲାରୁ ସରକାର ୨୦ ପ୍ରତିଶତ ଟ୍ୟାକ୍ସ କଲେକସନ ଆଟ୍ ସୋର୍ସ ବା ଉତ୍ସରେ କର ଆଦାୟ ଉପରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହା କେବଳ ବିଦେଶ ଗସ୍ତ ପାଇଁ ଲାଗୁ ହେବ ନାହିଁ ବରଂ ଅନ୍ୟ ଦେଶରେ ଯେକୌଣସି ମାଧ୍ୟମରେ କରାଯାଇଥିବା କାରବାର ମଧ୍ୟ ନୂଆ ନିୟମ ଅଧିନରେ ଆସିବ । ଅନ୍ତର୍ଜାତିକ ସ୍ତରରେ ଭ୍ରମଣ କରିବା, ବିଦେଶୀ ଷ୍ଟକ, ମ୍ୟୁଚୁଆଲ ଫଣ୍ଡ, ବିଦେଶରେ କ୍ରିପ୍ଟୋକରେନ୍ସିରେ ନିବେଶ କରୁଥିବା କିମ୍ବା ବିଦେଶରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ।

ସେହିଭଳି ଦ୍ୱିତୀୟ ନିୟମ ଯାହା ପରିବର୍ତନ ହେବାକୁ ଯାଉଛି ତାହା ହେଉଛି ବିନା ନାମାଙ୍କନରେ ଡିମାଟ୍ ଆକାଉଣ୍ଟ ଫ୍ରିଜ୍ କରାଯିବ । ସେବିର ଟ୍ରେଣ୍ଡିଂ ଆକାଉଣ୍ଟ, ଡିମାଟ୍ ଆକାଉଣ୍ଟ ଏବଂ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ପାଇଁ ସେପ୍ଟେମ୍ବର ୩୦ ସୁଦ୍ଧା ନାମାଙ୍କନ କରାଇବା ବାଧ୍ୟତାମୂଳକ । ଯେଉଁମାନେ ନାମାଙ୍କନ କରିବେ ନାହିଁ ଅକ୍ଟୋବର ପହିଲାରେ ସେମାନଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯିବ । ଏଭଳି ସ୍ଥିତିରେ ସେପ୍ଟେମ୍ବର ୩୦ ସୁଦ୍ଧା ନାମାଙ୍କନ କରିବା ନିହାତି ଜରୁରି ।

ତୃତୀୟ ନିୟମଟି ସାଧାରଣ ଲୋକଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ସେପ୍ଟେମ୍ବର ପହିଲା ସୁଦ୍ଧା ଯେଉଁମାନେ ଆଧାରକାର୍ଡ ସହ ପାନକାର୍ଡ ଲିଙ୍କ ନକରିବେ ସେମାନଙ୍କୁ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ । ଆଧାର ସହ ପାନ ଲିଙ୍କ କରିନଥିଲେ ଅକ୍ଟୋବର ପହିଲାରୁ କ୍ଷୁଦ୍ର ସଂଚୟ ଯୋଜନା ବନ୍ଦ ହୋଇଯିବ । ଏହାସହ ପିପିଏଫ୍, ବରିଷ୍ଠ ନାଗରିକ ସଂଚୟ ଯୋଜନା , ଜାତୀୟ ସଂଚୟ ସାର୍ଟିଫିକେଟ ଭଳି କ୍ଷୁଦ୍ର ସଂଚୟ ଯୋଜନାରେ ନିବେଶ କରିବାକୁ ପସନ୍ଦ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବାଧ୍ୟତାମୂଳକ ଭାବେ ପାନ୍ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ୍ କରିବାକୁ ପଡିବ । ସରକାରୀ ବିଜ୍ଞପ୍ତି ମୁତାବକ ଏହା ନକଲେ ଅକ୍ଟୋବର ପହିଲାରୁ ଆକାଉଣ୍ଟ ବନ୍ଦ ହୋଇଯାଇପାରେ ।

କେନ୍ଦ୍ର ଗୃହମନ୍ତ୍ରଣାଳୟ ମୁତାବକ, ଅକ୍ଟୋବର ପହିଲାରୁ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଆଇନ ୨୦୨୩ ଲାଗୁ ହେବାକୁ ଯାଉଛି । ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ପରେ ଜନ୍ମ ପ୍ରମାଣପତ୍ରକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଏକକ ଦସ୍ତାବିଜ ଭାବେ ବ୍ୟବହାର କରାଯିବ । ଶିକ୍ଷାନୁଷ୍ଠାନରେ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ, ଭୋଟର ତାଲିକା ପ୍ରସ୍ତୁତି, ଆଧାର ନମ୍ବର, ବିବାହ ପଞ୍ଜୀକରଣ ଏବଂ ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଏହାକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରାଯାଇପାରିବ ।

ପଞ୍ଚମ ନିୟମ ଭାବେ ଅକ୍ଟୋବର ପହିଲାରୁ ୨ହଜାର ଟଙ୍କିଆ ନୋଟ ବୈଧ ହେବନାହିଁ । ଯଦି ଆପଣଙ୍କ ପାଖରେ ୨ହଜାର ଟଙ୍କିଆ ନୋଟ ରହିଛି ତେବେ ଆପଣ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହାକୁ ବଦଳାଇପାରିବେ ।