ପୁଣି ଭାରତ ବଢାଇଲା ଚୀନର ଚିନ୍ତା । ଭାରତୀୟ ବାୟୁସେନାରେ ଯୋଡି ହେବ ଆଉ ୫ ରାଫେଲ ଯୁଦ୍ଧ ବିମାନ ।

331

କନକ ବ୍ୟୁରୋ : ଭାରତୀୟ ବାୟୁସେନାରେ ଖୁବ୍ ଶୀଘ୍ର ଯୋଡି ହେବ ଆଉ ୫ ରାଫେଲ ଯୁଦ୍ଧ ବିମାନ । ରାଫେଲ ନିର୍ମାଣକାରୀ କମ୍ପାନୀ ଫ୍ରାନ୍ସର ଡାସଲ୍ଡ ଏଭିଏସନ ଆଉ ୫ ଟି ରାଫେଲ ଯୁଦ୍ଧ ବିମାନ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏହି ବିମାନ ଅକ୍ଟୋବର ମାସ ଶେଷ ସୁଦ୍ଧା ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏହି ୫ ଟି ରାଫେଲ ବିମାନ ଭାରତରେ ପହଞ୍ଚିବା ପରେ ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନ ସଂଖ୍ୟା ୧୦ ରେ ପହଞ୍ଚିବ ।

ପ୍ରଥମ ପର୍ଯ୍ୟାୟରେ ଭାରତୀୟ ବାୟୁସେନାରେ ଜୁଲାଇ ମାସ ୫ ଟି ରାଫେଲ ବିମାନ ସାମିଲ କରାଯାଇଥିଲା । ଏହି ବିମାନ ଉଡାଇବାର ଦାୟିତ୍ୱ ବାୟୁସେନାର ୧୭ ଗୋଲଡେନ୍ ଆରୋ ସ୍କ୍ୱାର୍ଡେନକୁ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ମିଳିଥିବା ୫ ଟି ରାଫେଲ ବିମାନକୁ ଲଦାଖ ସୀମାରେ ନିୟୋଜିତ କରାଯାଇଛି । ଯାହାକି ନିରନ୍ତର ଭାବେ ଚୀନର ଗତିବିଧି ଉପରେ ନଜର ରଖିଛି । ଦ୍ୱିତୀୟ ପର୍ଯ୍ୟାୟରେ ଆସିବାକୁ ଥିବା ଏହି ୫ ଟି ବିମାନକୁ ପଶ୍ଚିମବଙ୍ଗର କାଲାଇକୁଣ୍ଡା ବାୟୁସେନା ଷ୍ଟେସନରେ ନିୟୋଜିତ କରାଯିବ । ଚୀନ୍ ସହିତ ପୂର୍ବ ସୀମାକୁ ସୁରକ୍ଷା ଦେବା ପାଇଁ ବଙ୍ଗଳାରେ ଏହି ୪ର୍ଥ ପିଢୀର ଯୁଦ୍ଧ ବିମାନକୁ ନିୟୋଜିତ କରାଯିବ । ଯାହାଦ୍ୱାରା ପୂର୍ବସୀମା ଉପରେ ଚୀନ କୌଣସି ହେରା ଫେରି କରିପାରିବ ନାହିଁ ।

ସୂଚନା ଥାଉକି ଫ୍ରାନ୍ସରୁ ୩୬ ଟି ରାଫେଲ ଯୁଦ୍ଧ ବିମାନ ଆଣିବାକୁ ଭାରତ ସରକାର ୫୮ ହଜାର କୋଟି ଟଙ୍କାର ଏକ ଚୁକ୍ତିନାମା କରିଛନ୍ତି । ୨୦୨୧ ସୁଦ୍ଧା ଏହି ସମସ୍ତ ଯୁଦ୍ଧ ବିମାନ ଭାରତୀୟ ବାୟୁସେନା ନିକଟରେ ପହଂଚିବ ବୋଲି ଆଶା କରାଯାଉଛି । ଯାହା ମଧ୍ୟରୁ ଚଳିତ ବର୍ଷ ୧୦ ଟି ବିମାନ ବାୟୁସେନାରେ ସାମିଲ ହେବ ।

ଏହି ବିମାନର ସବୁଠାରୁ ବଡ ବୈଶିଷ୍ଟ୍ୟ ଯେ ସେ ଶତୃଦେଶର ସୀମାରେ ପ୍ରବେଶ ନକରି ୬ ଶହ କିଲୋମିଟର ଦୂରରୁ ଲକ୍ଷଭେଦ କରିପାରିବ । ଏହି ଯୁଦ୍ଧ ବିମାନରେ ବିନା ଲ୍ୟାଣ୍ଡିଂରେ ତୈଳ ଭରିବାର ଟେକ୍ନୋଲୋଜି ରହିଛି । ବିମାନ ଆକ୍ରମଣ କ୍ଷେତ୍ରରେ ବିଶ୍ୱରେ ଏହାକୁ ସର୍ବଶକ୍ତିମାନ ବୋଲି ବିବେଚନା କରାଯାଉଛି ।