କନକ ବ୍ୟୁରୋ : ସାମରିକ ଶକ୍ତି ବଳରେ ୟୁକ୍ରେନ ରାଜଧାନୀକୁ ଦଖଲ ପାଇଁ ଜିଦି ଧରିଛି ରୁଷିଆ । ୟୁକ୍ରେନରୁ ସେନା ପ୍ରତ୍ୟାହାର ପାଇଁ ଜାତିସଂଘ, ସମେତ ବିଶ୍ୱର ବିଭିନ୍ନ ଦେଶ ରାଷ୍ଟ୍ରପତି ପୁଟିନଙ୍କୁ ଅପିଲ କରିଥିଲେ ବି ସେ କାହା କଥା ଶୁଣି ନାହାଁନ୍ତି । ଆକାଶ ମାର୍ଗରେ ମିଜାଇଲ ଓ ରକେଟ ମାଡ କରୁଛନ୍ତି ।

Advertisment

ସାମରିକ ଘାଟି ଓ ସରକାରୀ କାର୍ଯ୍ୟାଳୟକୁ ରୁଷ୍ ସେନା ଟାର୍ଗେଟ କରୁଥିବା କହୁଥିଲେ, ବି ବିଭିନ୍ନ ଅଂଚଳରେ ଥିବା ଜନବସତି ଉପରେ ମିଜାଇଲ ମାଡ ହେଉଛି । ମିଜାଇଲ ମାଡ ପରେ ନିମିଷକରେ ବଡ ବଡ ଅଟାଳିକ ଧ୍ୱଂସସ୍ତୁପରେ ପରିଣତ ହୋଇଛି । ଏପରିକି ରୁଷ୍ ଆକ୍ରମଣରୁ ରକ୍ଷା ପାଇନି ଟିଭି ଚ୍ୟାନେଲର ଟାୱାର । ମିଜାଇଲ ମାଡ କରି କିଭର ଟିଭି ଚ୍ୟାନେଲ ଟାୱାରକୁ ନଷ୍ଟ କରି ଦେଇଛନ୍ତି ରୁଷ୍ ସେନା । ଆଉ ସେପଟେ ବାରୁଦ ଗଦାରେ ଠିଆ ହୋଇଛି ୟୁକ୍ରେନର ରାଜଧାନୀ କିଭ୍ ।

ଆମେରିକା ଉପଗ୍ରହ ଉଠାଇଥିବା ଫଟୋରୁ ଜଣାପଡିଛି, ଯୁଦ୍ଧ ଆଗକୁ ଭୟଙ୍କର ମୋଡ ନେବାକୁ ଯାଉଛି । ପ୍ରାୟ ୬୪ କିଲମିଟର ଲମ୍ବିଛି ରୁଷିଆ ସେନାର କାରକେଡ । ଏହି ଚିତ୍ର ସାରା ବିଶ୍ୱକୁ ବିସ୍ମିତ କରିଛି । ରୁଷ୍ କାହା କଥା ଶୁଣୁ ନଥିବାବେଳେ ଓ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରି ପରେ, ନାଟୋ ଦେଶମାନେ ଶୁକ୍ରବାରକୁ ଜରୁରୀକାଳିନ ବୈଠକ ଡାକିଛନ୍ତି ।