ନିର୍ବାଚନ ଲଢିବାକୁ କଂଗ୍ରେସ ପାଖରେ ଟଙ୍କା ନାହିଁ ! ଗତ କିଛି ମାସ ଧରି ଏଭଳି କହିଆସୁଛି କଂଗ୍ରେସ ଦଳ । ଲୋକସଭା ନିର୍ବାଚନକୁ ଆଉ ପାଖାପାଖି ୬ ମାସର ସମୟ ରହିଛି । ଆଉ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ଫଣ୍ଡ ଏକାଠି କରିବାରେ ବ୍ୟସ୍ତ । ଆଉ ସବୁଠାରୁ ବଡ କଥା ହେଉଛି ଫଣ୍ଡ ଏକାଠି କରିବା ପାଇଁ କଂଗ୍ରେସ ଲୋକ ସମ୍ପର୍କ ଯାତ୍ରା ଆରମ୍ଭ କରିବାକୁ ଯାଉଛି । କଂଗ୍ରେସର ଏହି ଯାତ୍ରା ମହାତ୍ମା ଗାନ୍ଧିଙ୍କର ଜୟନ୍ତୀ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବ । ଆଉ ଏହି ଯାତ୍ରାରେ କଂଗ୍ରେସ ଚାନ୍ଦା ଜରିଆରେ ଫଣ୍ଡ ଏକାଠି କରିବ । ତେବେ ଜାଣନ୍ତୁ କିପରି କଂଗ୍ରେସ ଏକାଠି କରିବ ଟଙ୍କା ।
Kanak News is now on WhatsApp
Join and get latest news updates delivered to you via WhatsApp
ଲୋକ ସମ୍ପର୍କ ଯାତ୍ରା ଜରିଆରେ କଂଗ୍ରେସର ଉଦ୍ଦେଶ୍ୟ ୪୫ ଦିନ ମଧ୍ୟରେ ୫୦୦ କୋଟି ଟଙ୍କା ଏକାଠି କରିବା । ଆଉ ଏଥିରେ ପ୍ରଥମେ ଦଳର ସାଂସଦ ଏବଂ ବିଧାୟକ ନିଜର ଗୋଟିଏ ମାସର ଦରମା ଦଳକୁ ଦାନ କରିବେ । ଏହା ଛଡା ସାରା ଦେଶରେ ଥିବା ୧୦ ଲକ୍ଷ ବୁଥ୍ ମଧ୍ୟରୁ ପ୍ରତିଟି ବୁଥରେ ୫୦୦୦ ଟଙ୍କା ଜମା କରାଯିବ । କଂଗ୍ରେସର ସମସ୍ତ ଶାଖା, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଏବଂ ମହିଳା କଂଗ୍ରେସ ଏହି ଅଭିଯାନକୁ ଆଗକୁ ବଢାଇବେ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସାମ୍ନାରେ ଏକ ଅନ୍ତରୀଣ ରିପୋର୍ଟ ଦାଖଲ କରାଯାଇଛି । ଆଉ ଏହି ରିପୋର୍ଟରେ କୁହାଯାଇଛି ଯେ, ୨୦୧୯ ଲୋକସଭା ନିର୍ବାଚନ ପାଇଁ ୧୦୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି । ତେବେ ୨୦୧୮ ମେ ମାସରେ ଦଳ ପକ୍ଷରୁ ସୋସିଆଲ୍ ମିଡିଆରେ ନିବେଦନ କରାଯାଇଥିଲା ଯେ, ସେମାନେ ଦଳ ପାଇଁ ୨୫୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାନ କରନ୍ତୁ । ତେବେ କଂଗ୍ରେସ ପାଖରେ ସତରେ ଟଙ୍କା ଅଛି କି ନାହିଁ, ତାକୁ ନେଇ ଏବେ ସର୍ବସାଧାରଣରେ ଏକ ବଡ ପ୍ରଶ୍ନ ଉଠିଛି ।