କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି । ଏଣିକି ପ୍ରତି ଶନିବାର ଓ ରବିବାର ମିଳିବ ଛୁଟି, ସପ୍ତାହକୁ ରହିବ ୫ଟି କାର୍ଯ୍ୟ ଦିବସ ।

23,867

କନକ ବ୍ୟୁରୋ : ଏଣିକି ସପ୍ତାହକୁ ମିଳିବ ଦୁଇ ଦିନ ଛୁଟି । ଏଣିକି ଆଉ ୬ ଦିନ ନୁହେଁ ଗୋଟିଏ ସପ୍ତାହରେ ମାତ୍ର ୫ ଦିନ କାମ କରିବାକୁ ହେବ । ତେବେ ଆସନ୍ତୁ ଜାଣିବା କେବେ ଆଉ କେଉଁଠି ଏଭଳି ନିୟମ ଲାଗୁ ହେବାକୁ ଯାଉଛି ।

ସପ୍ତାହ ୭ ଦିନ ଭିତରେ ସମସ୍ତଙ୍କୁ ରବିବାରର ଅପେକ୍ଷା ରହିଥାଏ । କାରଣ ପୁରା ୭ ଦିନରେ ଭିତରେ ଗୋଟିଏ ଦିନ ହିଁ ଛୁଟି ମିଳିଥାଏ । ଆଉ ଏହି ଛୁଟିଦିନଟିକୁ ଆପଣ ମନଭରି ଉପଭୋଗ କଲେ ମଧ୍ୟ କେମିତି ଯେ ଦିନଟି ବିତିଯାଏ, ତାହା ଜଣାପଡେନି । ଆଉ ଆପଣଙ୍କ ମନରେ ଆଶା ରହିଥାଏ ଆଉ ଏକ ଦିନର ଛୁଟିକୁ ନେଇ ।

ତେବେ ମହାରାଷ୍ଟ୍ର ଲୋକଙ୍କ ଏହି ଆଶା ଏବେ ପୂରଣ ହେବାକୁ ଯାଉଛି । ମହାରାଷ୍ଟ୍ରରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ ଆଶ୍ୱସ୍ତି ଆଣିଦେଇଛନ୍ତି ଠାକରେ ସରକାର । ଏଣିକି ସପ୍ତାହକୁ ମିଳିବ ଦୁଇ ଦିନ ଛୁଟି । ସପ୍ତାହକୁ ୫ଟି କାର୍ଯ୍ୟ ଦିବସ ରହିବ । ଏବଂ ପ୍ରତି ଶନିବାର ଓ ରବିବାର ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ ।

ଆସନ୍ତା ଫେବୃଆରୀ ୨୯ ତାରିଖରୁ ମହାରାଷ୍ଟ୍ରରେ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଭଳି ନିୟମ ନେଇ ମହାରାଷ୍ଟ୍ର କ୍ୟାବିନେଟ୍ ଅନୁମୋଦନ ଦେଇଥିବା ସୂଚନା ମିଳିଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଆଜି ଏଭଳି ନିଷ୍ପତି ନିଆଯାଇଛି । ଏଣିକି ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ରହିଥିବା ବେଳେ ପ୍ରତି ଶନିବାର ଏବଂ ରବିବାର ଦୁଇ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି ।

ତେବେ ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଏପରିକି ସୋସିଆଲ ମିଡିଆରେ ଉଦ୍ଧବ ଠାକରେଙ୍କ ପ୍ରଂଶସା ମଧ୍ୟ କରାଯାଇଛି । ଆଉ ଏଭଳି ନିଷ୍ପତି ନେବାରେ ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟ ବୋଲି କୁହାଯାଉଛି ।