ବାଣ ଗୋଦାମରେ ନିଆଁ ଲାଗି ୫ଜଣଙ୍କ ମୃତ୍ୟୁ । ୯ ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ସୂଚନା

24

କନକ ବ୍ୟୁରୋ : ରାତିରେ ତାମିଲନାଡୁର କଲ୍ଲାକୁରିଚୀ ଜିଲ୍ଲା ଅନ୍ତର୍ଗତ ଶଙ୍କରପୁରମ୍‌ସ୍ଥିତ ଗୋଟାଏ ପାଇକାରୀ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟି ୫ଜଣଙ୍କର ମୃତ୍ୟୁ ଘଟିଛି । ୧୦ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ପୋଡ଼ିଯାଇ ଆହତ ହୋଇଛନ୍ତି । ବାଣ ଦୋକାନକୁ ଲାଗିଥିବା ଅନ୍ୟ ଦୋକାନଗୁଡ଼ିକୁ ବି ନଆଁ ବ୍ୟାପି ଯାଇଥିଲା । ଦୋକାନରେ ଥିବା ‘ଏଲ୍‌ପିଜି’ ସିଲିଣ୍ଡର୍‌ ଫାଟି ଯିବାରୁ ନଆଁ ହୁତୁ ହୁତୁ ହୋଇ ଜଳିଥିଲା । ଦୀପାବଳି ଲାଗି ଆତସବାଜୀ ବା ବାଣ ଖରିଦ କରିବାକୁ ସେ ଦୋକାନରେ ଗହଳି କରିଥିବା ଲୋକମାନଙ୍କ ମଧ୍ୟରୁ କିଛି ପୋଡ଼ି ଆହତ ହୋଇଛନ୍ତି ।

ସାଂଘାତିକ ଆହତ ହୋଇଥିବା ୧୦ଜଣରୁ ଅଧିକ ବ୍ୟକ୍ତିଙ୍କୁ ତୁରନ୍ତ ‘କଲ୍ଲାକୁରିଚୀ ଗଭର୍ଣ୍ଣନ୍‌ମେଣ୍ଟ୍‌ ଜେନେରାଲ୍‌ ହସ୍ପିଟାଲ୍‌’କୁ ନିଆଯାଇଥିଲା । ନିଆଁ ଲିଭାଇବାକୁ ଘଟଣାସ୍ଥଳକୁ କଲ୍ଲାକୁରିଚୀ ଏବଂ ତିରୁକୋଇଲ୍ୟୁର୍‌ରୁ ଦମକଳ ଯାଇଥିଲା । ରିପୋର୍ଟ ଲେଖାଯିବା ବେଳେକୁ ଏହି ଅଘଟଣରେ ମୃତାହତ ହୋଇଥିବା ବାଣ ଦୋକାନ ଓ ଆଖପାଖ ଦୋକାନର ଅଳ୍ପ କେତେକ କର୍ମଚାରୀଙ୍କର ପରିଚୟ ମିଳିପାରି ନ ଥିଲା । ଅଗ୍ନିକାଣ୍ଡ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଯାନବାହନ ଚଳାଚଳ ବାଧା ପାଇଥିଲା । ଦୁର୍ଘଟଣା ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ଶୋକବ୍ୟକ୍ତ କରିବା ସହ ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।