ଝାରଖଣ୍ଡରେ ମୁସଲିମ୍ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ଘଟଣା ! ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍ , ୨ ପୋଲିସ୍ ଅଧିକାରୀ କାର୍ଯ୍ୟରୁ ନିଲମ୍ବିତ ।

245

ଝାରଖଣ୍ଡର ଏକ ଗାଁରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଭୀଡ ପିଟି ପିଟି ମାରିଥିବା ଘଟଣାରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଏହାସହ ୨ ପୋଲିସ୍ ଅଧିକାରୀଙ୍କୁ ମଧ୍ୟ ସସପେଣ୍ଡ୍ କରାଯାଇଛି । ଗତ ମଙ୍ଗଳବାର ମୋଟରସାଇକେଲ୍ ଚୋରୀ କରିବା ଅଭିଯୋଗରେ ୨୪ ବର୍ଷୀୟ ତବରେଜ୍ ଅନ୍ସାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ତେବେ ଏହି ଘଟଣାରେ ପୋଲିସ୍ ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଖୋଜୁଛି । ପରିବାର ଲୋକଙ୍କ କହିବାନୁସାରେ ତବରେଜ୍ ଗତ ମଙ୍ଗଳବାର ନିଜ ସାଙ୍ଗମାନଙ୍କ ସହ ଜମଶେଦପୁରର ସରାୟକେଲା ଖରସାଂବା ଜିଲ୍ଲାର ଧତକିଡିହ ଗାଁ ଯାଇଥିଲେ । ଏହି ସମୟରେ ଘରଠାରୁ ୫ କି.ମି. ଦୂରରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ଲୋକଙ୍କ ଅଭିଯୋଗ ଥିଲା ସେ ତବରେଜ୍ ମୋଟର ସାଇକେଲ୍ ଚୋରି କରିଥିଲେ । ଭିଡ ଏକ ଖମ୍ବରେ ତାଙ୍କୁ ବାନ୍ଧି ୧୮ ଘଣ୍ଟା ସମୟ ପର୍ଯ୍ୟନ୍ତ ତାଙ୍କୁ ପିଟିଥିଲା । ଯାହାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି ।

ଅଭିଯୁକ୍ତ ଯୁବକଙ୍କୁ ‘ଜୟ ଶ୍ରୀରାମ’ ଏବଂ ‘ଜୟ ହନୁମାନ’ ନାରା ଲଗାଇବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଦେଖାଦେଇଛି । ଚେତାଶୂନ୍ୟ ହେବା ପରେ ଯୁବକଙ୍କୁ ପୋଲିସ୍ ହାତରେ ଧରାଇ ଦେଇଥିଲେ ଅଭିଯୁକ୍ତ । ହାଜତରେ ୪ ଦିନ ରହିବା ପରେ ତବରେଜ୍ ଙ୍କୁ ଯେତେବେଳେ ହସ୍ପିଟାଲ୍ ନିଆଗଲା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ କହିବାନୁସାରେ ବିନତୀ କରିବା ପରେ ମଧ୍ୟ ପୋଲିସ୍ ଯୁବକଙ୍କୁ ଉପଚାର ପାଇଁ ଷ୍ଟେପ୍ ନେଇନଥିଲା ଏବଂ ପରିବାରକୁ ମିଶିବାକୁ ମଧ୍ୟ ଦିଆଯାଇନଥିଲା । ହସ୍ପିଟାଲ୍ ନେବା ପୂର୍ବରୁ ହିଁ ସେ ଆରପାରିକୁ ଚାଲିଯାଇଥିଲା । ପୋଲିସ୍ ଏବଂ ଡାକ୍ତରଙ୍କ ସମେତ ଏହି ଘଟଣାରେ ଲିପ୍ତ ଥିବା ଅନ୍ୟ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ତରଫରୁ ଗୁହାରୀ କରାଯାଇଛି ।