କମାଣ୍ଡରସ୍ତରୀୟ ଆଲୋଚନାରେ ଫିଟିଲାନି ବାଟ : ଲଦ୍ଦାଖ ଏଲଏସିରେ ବିବାଦୀୟ ଅଂଚଳରୁ ଚୀନ କରିବନି ସୈନ୍ୟ ପ୍ରତ୍ୟାହାର; ଖୁବଶୀଘ୍ର ବସିବ ଆଗାମୀ ବୈଠକ

1,239
କନକ ବ୍ୟୁରୋ : ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ପ୍ରତିରକ୍ଷା କମାଣ୍ଡର ସ୍ତରରେ ପଂଚମ ରାଉଣ୍ଡ କଥାବାର୍ତା ସରିଛି । ହେଲେ ଏଲଏସିରେ ଦେଖା ଦେଇଥିବା ବିବାଦ ଓ ସୈନ୍ୟ ଅପସାରଣ ନେଇ କିଛି ବି ବାଟ ବାହାରି ପାରିନି । ନିକଟରେ ସଦ୍ୟ ଘଟିଥିବା ବିବାଦ ଉପରେ ସମାଧାନ ନେଇ ଧରାଛୁଆଁ ଦେଉନି ଡ୍ରାଗନ୍ । ଆଗକୁ କଥାବାର୍ତାକୁ ଜାରି ରଖି ସୀମା ବିବାଦକୁ ଅଧିକ ଲଂବା କରିବା ମୁଡରେ ରହିଛି ଡ୍ରାଗନ୍ । ଗତକାଲି ଭାରତ-ଚୀନ୍ ପଂଚମ ରାଉଣ୍ଡ କଥାବାର୍ତା ପରେ ଏପରି କିଛି ସୂଚନା ମିଳିଛି ।
ଭାରତ ଓ ଚୀନ୍ ମଧ୍ୟରେ ଏହା ଥିଲା ୧୯ ତମ କମାଣ୍ଡର ସ୍ତରୀୟ ବୈଠକ । ଏହି ବୈଠକରୁ ଗୋଟିଏ କଥା ସାମ୍ନାକୁ ଆସିଛି । ଏଲଏସିର ବିବାଦୀୟ ଅଂଚଳରୁ ସୈନ୍ୟ ଅପସାରଣ ପାଇଁ ଆଉ ଏକ ରାଉଣ୍ଡ କଥାବାର୍ତାକୁ ସମୟ ଗଡାଇ ଦେଇଛି ଚୀନ୍ । ସୈନ୍ୟ ଅପସାରଣ ନେଇ ଚୀନ୍ କୌଣସି ସହମତି ପ୍ରକାଶ କରିନଥିବାରୁ ଭାରତ ମଧ୍ୟ ଏଲଏସିରୁ ସୈନ୍ୟ ପଛକୁ ହଟାଇ ନାହିଁ । ଲଦାଖ ଏଲଏସିର ପୋଙ୍ଗୟାଙ୍ଗ ଓ ଦେସପାଙ୍ଗ ଅଂଚଳରେ ଏବେ ବି ଉତେଜନାମୂଳକ ସ୍ଥିତି ଲାଗି ରହିଛି । ସୀମାରେ ସ୍ଥିରତା ଶାନ୍ତି ବଜାୟ ରଖିବାକୁ ଦୁଇ ପକ୍ଷ ସୀମା ଚୁକ୍ତିକୁ ପାଳନ କରିବା ଜରୁରୀ ଓ ଏହାକୁ ସମ୍ମାନ ଦେବା ଆବଶ୍ୟକ ବୋଲି ଭାରତ କହିଛି ।
ବରିଷ୍ଠ ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାର ଆଗାମୀ ବୈଠକରେ ଏଲଏସିର ବିବାଦୀୟ ଅଂଚଳରୁ ସୈନ୍ୟ ଅପସାରଣ ନେଇ କିଛି ବାଟ ବାହାରିବା ଆଶା କରାଯାଉଛି । ସଂଭବତଃ ଆଗାମୀ ସପ୍ତାହରେ ଏହି ବୈଠକ ବସିପାରେ ବୋଲି ସୂଚନା ମିଳିଛି । ଲଦାଖ ଏଲଏସିର ସମସ୍ତ ବିବାଦୀୟ ଅଂଚଳରୁ ସୈନ୍ୟ ଅପସାରଣ ନେଇ ଏହି ଆଲୋଚନାରେ ପ୍ରସଙ୍ଗ ଉଠିବ ବୋଲି ଜଣାପଡିଛି । ଲଦାଖ ଏଲଏସିର ପୋଙ୍ଗୟାଙ୍ଗ ଅଂଚଳ ଓ ଫିଙ୍ଗର ୪ ଅଂଚଳରେ ଭାରତ ଏବେ ଚୀନ୍ ସେନା ଉପରେ ଭାରି ପଡିଛି । ଫିଙ୍ଗର ୪ର ଉଚ୍ଚ ଘାଟି ଉପରେ ଭାରତୀୟ ସେନାର କବଜା ରହିଛି ।