କନକ ବ୍ୟୁରୋ : ସମୁଦ୍ର ଭିତରେ ୧୨ ଘଂଟା । ଝଡ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା ବେଳେ ଧାମରା ବନ୍ଦର ନିକଟ କାଳିନାଳୀରେ ଫଶି ଯାଇଥିଲା ୨ଟି ମାଛଧରା ବୋଟ୍ । ଆଉ ସେହି ବୋଟରେ ଥିବା ୮ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଥିବା ଏକ ଟାପୁର ଜଙ୍ଗଲରେ ଫସି ରହିଥିଲେ । ତେବେ ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନର ସହଯୋଗରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଆସନ୍ତୁ ଜାଣିବା କ’ଣ ଥିଲା ପୂରା ଘଟଣା ।
ଅଥଳ ଜଳରେ ବୁଡିଗଲା ବୋଟ୍ । ଗଛ ବଂଚାଇଲା ଜୀବନ । ମଝି ଦରିଆରେ ପାଣିରେ ଫସିଗଲା ମାଛଧରା ବୋଟ, ଚାହୁଁ ଚାହୁଁ ବୁଡିଗଲା ଡଙ୍ଗା । ଆଉ ଝଡ-ବର୍ଷା ରାତିରେ ମୃତ୍ୟୁକୁ ମାତ ଦେଇ ବଂଚିଗଲେ ୮ ଜଣ ମତ୍ସ୍ୟଜୀବୀ । ବାତ୍ୟା ବୁଲବୁଲ୍ ପାଇଁ ଅଶାନ୍ତ ହୋଇଥିଲା ମଝି ସମୁଦ୍ର । ତେଣୁ ମାଛ ଧରିବାକୁ ଯାଇଥିବା ଅନେକ ବୋଟ୍ ଭଦ୍ରକ ଧାମରା ବନ୍ଦରକୁ ଫେରି ଆସିଥିଲା । ହେଲେ ପବନର ବେଗ ବଢିବାରୁ ୨ଟି ବୋଟ୍ ଫେରିବା ସମୟରେ ଧାମରା ନିକଟ କାଳିନାଳୀରେ ଫସି ଯାଇଥିଲା । ଗୋଟିଏ ବୋଟ ଭିତରେ ପାଣି ପଶି ଯାଇଥିଲା । ବୋଟ ବୁଡି ଯାଇଥିବା ବେଳେ ବୋଟରେ ଥିବା ୮ ଜଣ ମତ୍ସ୍ୟଜୀବୀ ପହଁରି ପହଁରି କାଳିନାଳୀ ନିକଟ ଜଙ୍ଗଲକୁ ପଳାଇ ଯାଇଥିଲେ । ଆଉ ଭୀଷଣ ବର୍ଷା ପବନରେ ଗଛ ଉପରେ ୧୨ ଘଂଟା କାଳ ବିତାଇଥିଲେ ।
ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ମତ୍ସ୍ୟଜୀବୀଙ୍କ ଉଦ୍ଧାର ପାଇଁ ତ୍ୱରିତ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ । ଧାମରା ମେରାଇନ୍ ପୁଲିସ ଓ ଏକ ଓଡ୍ରାଫ୍ ଟିମ୍ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହଯୋଗରେ ଉଦ୍ଧାର ପାଇଁ ବାହାରିଥିଲେ । ଶେଷରେ ଶୁକ୍ରବାର ରାତି ୨ଟାରୁ ଶନିବାର ଦିନ ୨ଟା ଯାଏଁ କାଳିନାଳୀ ଜଙ୍ଗଲ ଭିତରେ ଗଛ ଉପରେ ମୃତ୍ୟୁ ସହ ଲଢେଇ କରୁଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା ।