କଳାହାଣ୍ଡି ଇନ୍ଦ୍ରାବତୀ ଜଳଭଣ୍ଡାରରେ କେଜ୍ କଲଚର ଫିସ୍ ଫାର୍ମିଂ । ଭାସମାନ ଜେଟି ଓ ଜାଲରେ ଫିସିଙ୍ଗ କେଜ୍ ସ୍ଥାପନ

131

କନକ ବ୍ୟୁରୋ : ପଞ୍ଜୁରୀ ଭିତରେ ମାଛ ଚାଷ କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ତେବେ ଆଦିବାସୀ ଅଧ୍ୟୁଷୀତ କଳାହାଣ୍ଡି ଜିଲ୍ଲାରେ ଏବେ ପଂଜୁରୀ ଭିତରେ ମାଛ ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ ଚାଷୀ । ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ତଥା ମତ୍ସ୍ୟ ସମବାୟ ସମିତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଆୟ ବୃଦ୍ଧି ଓ ଜୀବନ ଜୀବିକା ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏଭଳି ପ୍ରୟାସ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଥୁଆମୂଳ ରାମପୁର ସାନଛତ୍ରଙ୍ଗର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୋଟିଏ ବୃତାକାର ଓ ଦୁଇଟି ଆୟତାକାର ପଞ୍ଜୁରୀ ସ୍ଥାପିତ କରାଯାଇଛି । ପ୍ରଥମେ ଏହି ପଞ୍ଜୁରୀରେ ଅମୁରକାର୍ଷ ମାଛ ଜାଅାଁଳ ଛଡ଼ାଯାଇଛି । ଏହାକୁ ପ୍ରତିଦିନ ଖାଇବାକୁ ଦେବା ସହ ପଂଜୁରୀ ସଫା ରଖିଲେ ୩ରୁ ୪ ମାସ ମଧ୍ୟରେ ଏହା ୧ କେଜି ପର୍ଯ୍ୟନ୍ତ ବଢ଼ି ପାରିବେ ।

ଜଳଭଣ୍ଡାର ପାଇଁ ନିଜ ଭିଟାମାଟି ହରାଇଥିବା ଏହି ଅଂଚଳର ଆଦିବାସୀମାନଙ୍କର ଚାଷ ଜମି କମ୍ ରହିଛି । ଚାରିଆଡ଼େ ଜଳଭଣ୍ଡାର ରହିଥିବାରୁ ଲାଭଦାୟକ ଚାଷ କରିପାରୁନଥିଲେ ସ୍ଥାନୀୟ ଲୋକେ । ଏବେ ଏହି ଆଦିବାସୀ ମାନଙ୍କ ପାଇଁ ନୂଆ ଆଶା ଦେଖାଇଛି କେଜ୍ କଲଚର ଫିସ୍ ଫାର୍ମିଂ । ମଧୁର ମାଛର ଚାହିଦା ନିରନ୍ତର ବୃଦ୍ଧି ପାଉଛି । ତେଣୁ ଏହି କେଜ୍ ଫାର୍ମି କରି ବଜାରର ଚାହିଦା ମୁତାବକ ମାଛ ଆମଦାନୀ କରିପାରିବେ ଅଂଚଳବାସୀ ।

ପୂର୍ବରୁ ହୀରାକୁଦ ଓ ମାଲକାନଗିରିର ସତିଗୁଡ଼ା ଜଳଭଣ୍ଡାରରେ ଭାସମାନ ଜେଟି ଓ ଜାଲ ସହାୟତାରେ ଫିସିଙ୍ଗ କେଜ୍ ନିର୍ମାଣ କରାଯାଇ ଚାଷ କରାଯାଉଥିଲା । କଳାହାଣ୍ଡି ଜିଲ୍ଲାରେ ଏଭଳି ପ୍ରୟାସ ନୂଆକରି ଆରମ୍ଭ ହୋଇଛି । ସ୍ଥାନୀୟ ଅଂଚଳରୁ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଥିବା ଯୁବପିଢ଼ିଙ୍କୁ ମଧ୍ୟ ଏହା ଆକୃଷ୍ଟ କରିବ । ଲୋକଙ୍କ ରୋଜଗାରର ମାଧ୍ୟମ ହୋଇପାରିବ ।