ଓଡିଶା ବିଧାନସଭାର ପ୍ରଥମ ମହିଳା ମନ୍ତ୍ରୀ । ରାଜ୍ୟର ସ୍ୱାସ୍ଥ୍ୟ ରାଜମାତାଙ୍କ ହାତରେ ।

235

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଓଡ଼ିଶାର ନିର୍ବାଚନ ରାଜନୀତିରେ ମହିଳାଙ୍କର ଭୂମିକା ସଦାବେଳେ ଗୁରୁତ୍ଵପୂର୍ଣ୍ଣ ରହିଆସିଛି । ସ୍ୱାଧୀନତା ପୂର୍ବରୁ ୬୦ ଜଣିଆ ଓଡ଼ିଶା ବିଧାନସଭାରେ ମହିଳାଙ୍କ ପାଇଁ ଦୁଇଟି ଆସନ ସଂରକ୍ଷିତ ଥିଲା । ବ୍ରହ୍ମପୁର ମହିଳା ଆସନରୁ ଜିଣି ଏ. ଲକ୍ଷ୍ମୀବାଈ ରାଜ୍ୟର ଉପବାଚସ୍ପତି ହୋଇଥିଲେ । ମାତ୍ର କେହି ବି ମହିଳା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରିନଥିଲେ । ଏହି ସୌଭାଗ୍ୟ ପ୍ରଥମେ ଯେଉଁ ମହିଳାଙ୍କ ହାତକୁ ଗଲା ସେ ହେଲେ ରଣପୁରର ରାଜମାତା ବସନ୍ତମଞ୍ଜରୀ ଦେବୀ ।

ଗଡ଼ଜାତ ରାଜ୍ୟମାନେ ଓଡ଼ିଶା ପ୍ରଦେଶ ସହ ମିଶିଯିବା ପରେ ସେହି ଅଞ୍ଚଳର ଲୋକେ ୧୯୫୧-୫୨ରେ ପ୍ରଥମଥର ପାଇଁ ସାଧାରଣ ନିର୍ବାଚନରେ ଯୋଗଦେବାର ସୁଯୋଗ ପାଇଲେ । ସେହି ନିର୍ବାଚନରେ ମାତ୍ର ତିନିଜଣ ମହିଳା ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ । ସେମାନେ ହେଲେ ପଟ୍ଟାମୁଣ୍ଡାଇରୁ କୁମାରୀ ରାମରାଜ (ସ୍ୱାଧୀନ), ରାଜନଗରରୁ ସରସ୍ୱତୀ ଦେବୀ (କଂଗ୍ରେସ) ଓ ରଣପୁରରୁ ରାଜାମାତା ବସନ୍ତମଞ୍ଜରୀ ଦେବୀ (କଂଗ୍ରେସ) । ଏହି ନିର୍ବାଚନରେ ଅଧିକାଂଶ ଗଡ଼ଜାତର ରାଜା ମହାରାଜାମାନେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ଵରେ ‘ଗଣତନ୍ତ୍ର ପରିଷଦ’ ତରଫରୁ ନିର୍ବାଚନ ଲଢ଼ୁଥିବାବେଳେ ବସନ୍ତମଞ୍ଜରୀ କଂଗ୍ରେସ ଦଳ ଟିକେଟରେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ ।

୧୯୦୦ ମସିହାରେ ଜନ୍ମିତା ନୀଳଗିରିର ରାଜା ଶ୍ୟାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ କନ୍ୟା ରାଜକୁମାରୀ ବସନ୍ତମଞ୍ଜରୀ ୧୯୨୮ ମସିହାରେ ରଣପୁର ଯୁବରାଜ ବିରଞ୍ଚି ନାରାୟଣ ସିଂହଦେଓଙ୍କୁ ବିବାହ କରି ରଣପୁରକୁ ଆସିଲେ । ତାଙ୍କର ପୁତ୍ର ବ୍ରଜେନ୍ଦ୍ର ଚନ୍ଦ୍ର ସିଂହ ଦେଓ ବଜ୍ରଧର ନରେନ୍ଦ୍ର ମହାପାତ୍ର ୧୯୪୫ରେ ରାଜପଦରେ ଅଭିଷିକ୍ତ ହେବା ପରେ ସେ ରାଜମାତାର ମର୍ଯ୍ୟାଦା ପାଇଲେ । ସେତେବେଳେ ରଣପୁର ଅଞ୍ଚଳରେ କମ୍ୟୁନିଷ୍ଟମାନଙ୍କର ପ୍ରଭାବ ଯଥେଷ୍ଟ ଅଧିକ ଥାଏ । ମାତ୍ର ୧୯୫୨ ନିର୍ବାଚନରେ ରାଜମାତା ନିଜେ କଂଗ୍ରେସ ଦଳର ପ୍ରାର୍ଥୀ ହେବାପରେ ଭୋଟରମାନେ ତାଙ୍କୁ ହିଁ ଅଧିକ ପସନ୍ଦ କଲେ । ରାଜମାତା ବସନ୍ତମଞ୍ଜରୀ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଗଙ୍ଗାଧର ମିଶ୍ରଙ୍କୁ ୮୦୦୦ରୁ ଅଧିକ ଭୋଟରେ ପରାଜିତ କରି ବିଧାନସଭାକୁ ଆସିଲେ ଏବଂ ସବୁଠାରୁ ଆନନ୍ଦର କଥା ହେଲା ଯେ ନବକୃଷ୍ଣ ଚୌଧୁରୀଙ୍କର କଂଗ୍ରେସ ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଉପମନ୍ତ୍ରୀ ପଦ ମିଳିଲା ।

ସେଥର ନିର୍ବାଚନରେ କଂଗ୍ରେସ ଦଳ ତରଫରୁ ଅନେକ ଯୁବନେତା ନିର୍ବାଚନ ଜିଣି ଆସିଥିଲେ । ବିଜୁ ପଟ୍ଟନାୟକ(ଜଗନ୍ନାଥପ୍ରସାଦ), ବୀରେନ୍‌ ମିତ୍ର (କଟକ) ଓ ପବିତ୍ର ମୋହନ ପ୍ରଧାନ(ତାଳଚେର) ପ୍ରମୁଖ ମନ୍ତ୍ରୀପଦ ପାଇନଥିଲାବେଳେ ବସନ୍ତମଞ୍ଜରୀଙ୍କୁ ମନ୍ତ୍ରୀପଦ ମିଳିବା ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ଥିଲା । ସେହି ମନ୍ତ୍ରିମଣ୍ଡଳରେ ଧାମନଗର ଆସନରୁ ଜିଣି ବିଧାନସଭାକୁ ଆସିଥିବା ନୀଳମଣି ରାଉତରାୟ ଗୃହବିଭାଗର ଉପମନ୍ତ୍ରୀପଦ ପାଇଥିଲେ । ରାଉତରାୟ ତାଙ୍କ ଆତ୍ମଜୀବନୀ ‘ସ୍ମୃତି ଓ ଅନୁଭୂତି’ରେ ସୂଚାଇଛନ୍ତି ଯେ ସେତେବେଳେ ‘‘ଭାରତବର୍ଷର କୌଣସି ରାଜ୍ୟରେ ବା କେନ୍ଦ୍ରରେ ଉପମନ୍ତ୍ରୀ ପଦ ସୃଷ୍ଟି ହୋଇନଥିଲା ।… ଆମ ରାଜ୍ୟରେ ଏହି ପଦ ସୃଷ୍ଟି ହେବା ପରେ ଅନ୍ୟ ରାଜ୍ୟମାନେ ତାହାର ଅନୁକରଣ କରିଥିଲେ ।’’

ବସନ୍ତମଞ୍ଜରୀ ମନ୍ତ୍ରୀପଦ ପାଇବା ଦ୍ଵାରା ପ୍ରଥମଥର ପାଇଁ ଜଣେ ମହିଳା ଯେ ଓଡ଼ିଶାର ମନ୍ତ୍ରୀ ହୋଇଥିଲେ ସେତିକି ନୁହେଁ, ତାଙ୍କ ହାତରେ ସ୍ୱାସ୍ଥ୍ୟବିଭାଗ ରହିବା ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହୋଇଥିଲା । ମା’ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସାରା ରାଜ୍ୟରେ ‘ମାତୃମଙ୍ଗଳ କେନ୍ଦ୍ର’ମାନ ସ୍ଥାପନକରି ସେ ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ । ୧୯୫୭ରେ ସେ ପୁଣିଥରେ ରଣପୁର ଆସନରୁ ଲଢ଼ିଲେ ଏବଂ ବିରୋଧୀ କମ୍ୟୁନିଷ୍ଟ ପ୍ରାର୍ଥୀ ଗଙ୍ଗାଧର ମିଶ୍ରଙ୍କୁ ୬୦୦୦ରୁ ଅଧିକ ଭୋଟରେ ପରାସ୍ତ କଲେ । ଏଥର ସେ ହରେକୃଷ୍ଣ ମହତାବଙ୍କ ନେତୃତ୍ଵରେ ଗଠିତ କଂଗ୍ରେସ ମନ୍ତ୍ରିମଣ୍ଡଳରେ ପୁଣି ସେହି ସ୍ୱାସ୍ଥ୍ୟବିଭାଗ ପାଇଲେ । ମାତ୍ର ଏଥର ସେ ହେଲେ କ୍ୟାବିନେଟ୍‌ ମନ୍ତ୍ରୀ ।

ଦୁଇ ଦୁଇ ଥର ସ୍ୱାସ୍ଥ୍ୟବିଭାଗର ମନ୍ତ୍ରିପଦ ସମ୍ଭାଳିଥିବା ରାଜାମାତା ବସନ୍ତମଞ୍ଜରୀ ଦେବୀ ନିଜର କାର୍ଯ୍ୟଦକ୍ଷତା ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପାଇଁ ବେଶ୍‌ ଜନପ୍ରିୟ ହୋଇପାରିଥିଲେ । ଚାନ୍ଦପୁର ଅଞ୍ଚଳରେ ପ୍ରତିଷ୍ଠିତ ‘ରାଜଯକ୍ଷ୍ମା ଚିକିତ୍ସାଳୟ’ଟି ତାଙ୍କର ଏକ ମହତ୍ତ୍ଵପୂର୍ଣ୍ଣ ଅବଦାନ, ଯାହାକି ତାଙ୍କ ନାମରେ ନାମିତ ହୋଇଛି । ବସନ୍ତମଞ୍ଜରୀ କେବଳ ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ନଥିଲେ, ସେ ଥିଲେ ସାରା ରାଜ୍ୟପାଇଁ ମାତୃସ୍ଥାନୀୟା । ମା’ଟିଏ ନିଜର ଛୁଆମାନଙ୍କର ସ୍ୱାସ୍ଥ୍ୟକୁ ଜଗିରହିଲା ଭଳି ସେ ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଅଧିକ ନିର୍ଭରଯୋଗ୍ୟ ଓ ପ୍ରଭାବଶାଳୀ କରିପାରିଥିଲେ ।

Comments are closed.