କନକ ବ୍ୟୁରୋ: ଉତ୍ତରାଖଣ୍ଡର ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକ କେମିତି ଅଛନ୍ତି, ତାକୁ ନେଇ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ଲାଗିରହିଛି । ଆଉ ଏତିକିବେଳେ ସୁଡଙ୍ଗ ଭିତରୁ ସାମ୍ନାକୁ ଆସିଛି ଶ୍ରମିକଙ୍କ ପ୍ରଥମ ଭିଡିଓ । ଟନେଲର ଭଗ୍ନାବେଶଷ ଦେଇ ୬ ଇଞ୍ଚ୍ ମୋଟେଇର ଏକ ପାଇପ, ଫସିରହିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଛି । ଖାଦ୍ୟ ଓ ପାଣି ଯୋଗାଇଦେବା ପାଇଁ ବ୍ୟବହୃତ ହେଉଥିବା ଏହି ପାଇପ ଯୋଗେ ଟନେଲ ଭିତରେ ପହଞ୍ଚିଛି ଏକ କ୍ୟାମେରା । ଶ୍ରମିକମାନଙ୍କ ଅବସ୍ଥା କେମିତି ଅଛି ଜାଣିବା ପାଇଁ ଏହି କ୍ୟାମେରାରେ ଉତ୍ତୋଳନ କରାଯାଇଛି ଭିଡିଓ । ଆଉ ୧୦ ଦିନ ପରେ ୪୧ ଜଣ ଶ୍ରମିକ ସୁସ୍ଥ ଥିବା ସ୍ପଷ୍ଟ ହୋଇଛି ।

Advertisment
  • ସୁଡ଼ଙ୍ଗ ଭିତରେ ଶ୍ରମିକଙ୍କ ପ୍ରଥମ ଚିତ୍ର
  • ୧୦ ଦିନ ପରେ ଖାଇଲେ ରନ୍ଧା ଖାଦ୍ୟ

ଭିଡିଓରୁ ଜଣାପଡୁଛି ଯେ, ଶ୍ରମିକମାନେ ମୁଣ୍ଡରେ ହଳଦିଆ ଓ ଧଳା ରଙ୍ଗର ହେଲମେଟ୍ ପିନ୍ଧିଛନ୍ତି । ପାଇପ ଯୋଗେ ଦିଆଯାଇଥିବା ଖାଦ୍ୟ ଖାଇବା ସହ ପରସ୍ପର ଭିତରେ କଥାବାର୍ତା କରୁଛନ୍ତି । ବାହାରେ ଏମାନଙ୍କୁ ୱାକିଟକିରେ ଯୋଗାଯୋଗ କରୁଥିବା ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ଉଦ୍ୟମରେ ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ପାଖରେ ପହଞ୍ଚିଛି ୫୩ ମିଟର ଲମ୍ବା ପାଇପ୍ । ଯାହାର ୬ ଇଞ୍ଚ୍ ଓସାରର ରହିଛି । ଏହା ଭିତରେ ଲାଇଟର ବ୍ୟବସ୍ଥା ହୋଇଛି । ଯଥାଶୀଘ୍ର ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି ।

ପୂର୍ବରୁ ଟନେଲରେ ଥିବା ଶ୍ରମିକମାନଙ୍କୁ ଅମ୍ଳଜାନ, ହାଲୁକା ଖାଦ୍ୟ, ଶୁଖିଲା ଫଳ, ଔଷଧ ଏବଂ ପାଣି ଯୋଗାଇବା ପାଇଁ ଚାରି ଇଞ୍ଚର ପାଇପ୍ ବ୍ୟବହାର କରାଯାଉଥିଲା । ନୂଆ ପାଇପକୁ ଦ୍ୱିତୀୟ 'ଲାଇଫ୍ ଲାଇନ୍' ବୋଲି କୁହାଯାଉଛି । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ବିକଳ୍ପ ଖୋଜିବାକୁ ଡ୍ରୋନ୍ ଓ ରୋବଟ୍ ମଧ୍ୟ ନିୟୋଜିତ ହୋଇଛି । ତେବେୃ ଶ୍ରମିକଙ୍କ ଚିତ୍ର ସାମ୍ନାକୁ ଆସିବା ପରେ ପରିବାର ସଦସ୍ୟ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୨ ତାରିଖରୁ ନିର୍ମାଣାଧୀନ ସିଲକ୍ୟାରା ଟନେଲ୍ ଭିତରେ ଶ୍ରମିକମାନେ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ସମୟରେ ଅନେକ ସମସ୍ୟା ଉପୁଜିଛି । ଏକ ତେରେଛା ଟନେଲ ଖୋଳି ବିକଳ୍ପ ରାସ୍ତା ଦେଇ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ବିଦେଶୀ ବିଶେଷଜ୍ଞଙ୍କ ପରାମର୍ଶ ଓ ଦେଶର ବଛାବଛା ସଂସ୍ଥାର ସହଯୋଗ ସତ୍ୱେ ୨୪୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି ।