ଏମିତି ସଫଳତା ସାଉଣ୍ଟିଲେ ଆଦିବାସୀ ଛାତ୍ରୀ, ଦେଶ ପାଇଁ ବନିଗଲେ ଆଦର୍ଶ

140

କନକ ବ୍ୟୁରୋ : ଦୃଢ ଇଚ୍ଛାଶକ୍ତି ଆଗରେ କୌଣସି ବି ପ୍ରତିବନ୍ଧକ ଆପଣଙ୍କୁ ରୋକିପାରିବ ନାହିଁ । ସେ ଶିକ୍ଷା କ୍ଷେତ୍ର ହେଉ ବା ଜୀବନ ପଥରେ ଅନ୍ୟ କୌଣସି ସମସ୍ୟା । ଯଦି ଆପଣଙ୍କର ନିଷ୍ଠା ରହିଛି ତେବେ ଆପଣ ନିଶ୍ଚିତ ସଫଳତାର ସିଡି ଚଢି ଦୁନିଆ ପାଇଁ ଆଦର୍ଶ ପାଲଟିଯିବେ । ଯାହା କରିଦେଖାଇଛନ୍ତି କେରଳର ଜଣେ ଆଦିବାସୀ ଛାତ୍ରୀ ।

କୋଏମ୍ବାଟୁରର ଜଣେ ଆଦିବାସୀ ଛାତ୍ରୀ ତାଙ୍କର ଦ୍ୱିତୀୟ ପ୍ରୟାସରେ ନିଟ୍ ପରୀକ୍ଷା ପାସ କରିଛନ୍ତି । ଏହି ସଫଳତା ପାଇଥିବା ଛାତ୍ରୀଙ୍କ ନାମ ସାଙ୍ଗଭୀ । ସବୁଠାରୁ ବଡକଥା ସାଙ୍ଗଭୀ ତାଙ୍କ ଗାଁର ପ୍ରଥମ ଛାତ୍ରୀଭାବେ ଯୁକ୍ତ ଦୁଇ ପାସ କରିଥିଲେ । ୧୯ ବର୍ଷିୟା ସାଙ୍ଗଭୀ ମଦୁକରାଇରେ ରହୁଥିବା ସାଲାସର ଆଦିବାସୀ ସମୁଦାୟରୁ ଆସିଛନ୍ତି । ଏହି ଗାଁରେ ୪୦ ଟି ପରିବାର ରହୁଥିବା ବେଳେ ସାଙ୍ଗଭୀ ପ୍ରଥମଥର ପାଇଁ ଛାତ୍ରୀଭାବେ ଯୁକ୍ତ ଦୁଇ ପାସ କରିଥିଲେ ।

ଏହାପରେ ପାଠପଢାରେ ଧ୍ୟାନଦେବା ସହ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ । ହେଲେ ସେ ପ୍ରଥମ ଥର ନିଟ୍ ପରୀକ୍ଷାରେ ଅସଫଳ ହୋଇଥିଲେ ବି ଦ୍ୱିତୀୟ ପ୍ରୟାସରେ ସେ ୨୦୨ ନମ୍ବର ସ୍କୋର କରି ପାସ କରିଛନ୍ତି । ସେ ପ୍ରଥମେ ଜାତିଗତ ପ୍ରମାଣପତ୍ର ପାଇବାକୁ ସଂଘର୍ଷ କରିଥିଲେ । ୨୦୨୧ ରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ତାଙ୍କୁ ପ୍ରମାଣପତ୍ର ମିଳିଥିଲା । ବହୁତ କଷ୍ଟ ଓ ଅର୍ଥାଭାବ ଭିତରେ ସାଙ୍ଗଭୀ ଏଭଳି ସଫଳତା ପାଇଛନ୍ତି ।

ସାଙ୍ଗଭୀ କହିଛନ୍ତି କି ତାଙ୍କ ପିତାଙ୍କ ଦେହାନ୍ତ ପରେ ତାଙ୍କୁ ଅନୁଭବ ହୋଇଥିଲା କି, ତାଙ୍କ ସମୁଦାୟର ଲୋକଙ୍କ ପାଇଁ ମେଡିକାଲ ସହାୟତା କେତେ ଜରୁରୀ । ଏହାସହ ଲକଡାଉନ ବେଳେ ତାଙ୍କ ମା’ଙ୍କର ଆଖି ବି ନଷ୍ଟ ହୋଇଯାଇଥିଲା । ଏହାପରେ ଗୋଟିଏ ବେସରକାରୀ ସଂଗଠନର ସହାୟତାରେ ଆଗକୁ ବଢିଥିଲେ ସାଙ୍ଗଭୀ ଓ ଶେଷରେ ନିଟ ପରୀକ୍ଷାରେ ପାସ କରି ଅନ୍ୟମାନଙ୍କ ପାଇଁ ଅଦର୍ଶ ସାଜିଛନ୍ତି ।