ସମୟରେ ଆସିଲା, ଇତିହାସ ରଚିଲା । ୧୬୭ ବର୍ଷରେ ପ୍ରଥମଥର ପାଇଁ ଶହେ ପ୍ରତିଶତ ଟ୍ରେନ ନିର୍ଦ୍ଧାରିତ ସମୟରେ ଆସି ଇତିହାସ ରଚିଲା ଭାରତୀୟ ରେଳ ବିଭାଗ ।

684

ଭାରତରେ ଅଧିକ ସଂଖ୍ୟକ ଟ୍ରେନ ଚାଲୁଥିଲେ ମଧ୍ୟ ଟ୍ରେନ ଯାତ୍ରାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି ନାହିଁ । ଖାସକରି ଜରୁରୀ କାମ ଥିଲେ ଟ୍ରେନରେ ଯାତ୍ରା କରିବାକୁ କେହି ଚାହାନ୍ତି ନାହିଁ । ଏହା ପଛରେ ମଧ୍ୟ ଏକ ବଡ କାରଣ ରହିଛି । ଭାରତୀୟ ରେଳ ପଛରେ ବିଳମ୍ବିତ ଟ୍ୟାଗ କାହିଁ କେଉଁ କାଳରୁ ରହି ଆସିଛି । ଯେଉଁଥିପାଇଁ ଯାତ୍ରୀଙ୍କୁ ଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିବାକୁ ପଡିଥାଏ । କିନ୍ତୁ ଅନଲକ-୨ରେ ଭାରତୀୟ ରେଳ ବିଭାଗ ଇତିହାସ ରଚିଛି । ଦୀର୍ଘ ବର୍ଷ ଧରି ବିଳମ୍ବିତ ଟ୍ୟାଗ ଧରି ଟ୍ରାକରେ ଗଡି ଆସୁଥିବା ଭାରତୀୟ ରେଳ ନୂଆ ଇତିହାସ ରଚିଛି । ପ୍ରଥମ ଥର ପାଇଁ ନିର୍ଦ୍ଧାରିତ ସମୟରେ ଷ୍ଟେସନରେ ପହଞ୍ଚିଛି ୨୦୧ ଟ୍ରେନ । ଜୁଲାଇ ୧ରେ ଚାଲିଥିବା ଟ୍ରେନ ଗୁଡିକ ସମୟାନୁସାରେ ଷ୍ଟେସନରେ ପହଞ୍ଚିଛି । ଆଉ ଏହାସହ ପ୍ରଥମ ଥର ପାଇଁ ଟ୍ରାକରେ ଗଡିଥିବା ୧୦୦ ପ୍ରତିଶତ ଟ୍ରେନ ସଠିକ୍ ସମୟରେ ଷ୍ଟେସନରେ ପହଞ୍ଚିବାରେ ସଫଳ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭାରତୀୟ ରେଳ ବିଭାଗ ।

ଭାରାତୀୟ ରେଳ ବିଭାଗର ସୂଚନା ଅନୁଯାୟୀ, ୧ ଜୁଲାଇରେ ବାହାରିଥିବା ୨୦୧ଟି ଟ୍ରେନ ମଧ୍ୟରୁ କୌଣସି ଗୋଟିଏ ବି ଟ୍ରେନ ବିଳମ୍ବରେ ପହଞ୍ଚିନାହିଁ । ଏହାପୂର୍ବରୁ ୨୩ ଜୁନରେ ୯୯.୫୪ ପ୍ରତିଶତ ଟ୍ରେନ ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ସଫଳ ହୋଇଥିଲା । ସେତେବେଳେ କେବଳ ଗୋଟିଏ ଟ୍ରେନ ବିଳମ୍ବରେ ପହଞ୍ଚିଥିଲା ।

ଇଂରେଜ ଶାସନ ସମୟରୁ ଅଥାର୍ତ ୧୮୫୩ ମସିହାରେ ଭାରତରେ ପ୍ରଥମ ଥର ପାଇଁ ଟ୍ରେନ ଚଳାଚଳ କରିଥିଲା । ଏହା ଭିତରେ ଭାରତରେ ରେଳ ଚଳାଚଳକୁ ୧୬୭ ବର୍ଷ ପୁରିଲାଣି । କିନ୍ତୁ ଏହି ଦୀର୍ଘକାଳୀନ ଅବଧି ମଧ୍ୟରେ କେବେ ବି ଚଳାଚଳ କରୁଥିବା ଟ୍ରେନ ଗୁଡିକ ଶତପ୍ରତିଶତ ଭାବେ ନିର୍ଦ୍ଧାରିତ ସମୟରେ ଷ୍ଟେସନରେ ପହଞ୍ଚିଥିବାର ନଜିର ନାହିଁ । ଦେଶରେ ପ୍ରତିଦିନ କୌଣସି ନା କୌଣସି ଟ୍ରେନ ବିଳମ୍ବରେ ଷ୍ଟେସନରେ ପହଞ୍ଚିଥାଏ । କିନ୍ତୁ ପ୍ରଥମଥର ପାଇଁ ଚଳାଚଳ କରୁଥିବା ଟ୍ରେନ ଗୁଡିକ ମଧ୍ୟରୁ ଶତପ୍ରତିଶତ ଟ୍ରେନ ସଠିକ୍ ସମୟରେ ନିର୍ଦ୍ଧାରିତ ଷ୍ଟେସନରେ ପହଞ୍ଚି ଇତିହାସ ରଚିଛି । ଆଉ ଏହାସହ ଭାରତୀୟ ରେଳ ବିଭାଗ ପ୍ରଥମଥର ପାଇଁ ଏଭଳି ବିରଳ ଉପଲବ୍ଧି ହାସଲ କରିଛି ।

ଏହାପୂର୍ବରୁ ଭାରତୀୟ ରେଳବିଭାଗ ଦୁଇ କିଲୋମିଟର ଲମ୍ବା ଟ୍ରେନ ଚଳାଇ ନୂଆ ରେକର୍ଡ କରିଛି । ଏହି ଟ୍ରେନକୁ ସୁପର ଆନାକୋଣ୍ଡାର ନାମ ଦିଆଯାଇଛି । ପ୍ରଥମଥର ପାଇଁ ଦେଶରେ ୧୭୭ ବଗି ବିଶିଷ୍ଟ ମାଲବାହୀ ଟ୍ରେନ ଚଳାଇବା ଭାରତୀୟ ରେଳ ବିଭାଗ ପାଇଁ ବଡ ଉପଲବ୍ଧି ବୋଲି ଟ୍ୱିଟ୍ କରି ସୂଚନା ଦେଇଥିଲେ ରେଳମନ୍ତ୍ରୀ ପୀୟୁଷ ଗୋଏଲ । ଏହାକୁ ଓଡ଼ିଶାର ଲାଜକୁରାରୁ ରାଉଲକେଲା ମଧ୍ୟରେ ପରୀକ୍ଷାମୂଳକ ଭାବେ ଚଳା ଯାଇଥିଲା । ସେହିଭଳି ଜୁଲାଇ ୧ରେ ଏହି ଟ୍ରେନ ଖଡଗପୁର-ଭଦ୍ରକ ମଧ୍ୟରେ ଚଳାଚଳ କରିଥିଲା ।