ଆସାମ ଗଲା କୋରାପୁଟର କଳାବତୀ ଧାନ, ଜିଲ୍ଲାପାଳ କଲେ ଶୁଭାରମ୍ଭ । ପ୍ରଚୁର ପୋଷକ ତତ୍ୱ ଥିବାରୁ ବଢୁଛି ଚାହିଦା

313

କନକ ବ୍ୟୁରୋ : ସାଧାରଣ ପ୍ରଜାତିର ଧାନ ଅପେକ୍ଷା ଏହି ଧାନର ଗୁଣବତା ଟିକେ ଅଲଗା । ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ୱ ଭରି ରହିଥିବା ବେଳେ ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ ଉପକାରୀ । ଆଂଟି କ୍ୟାନସର ପ୍ରପଟି ଭାବେ ମଧ୍ୟ ଏହି ଚାଉଳର ବ୍ୟବହାର କରାଯାଏ । କୋରାପୁଟ ଜିଲ୍ଲାରୁ ଉତ୍ପାଦିତ ବିରଳ ପ୍ରଜାତିର ଏହି ପାରମ୍ପରିକ ଧାନ ଆସାମକୁ ପଠାଯାଇଛି । ୫୨ କୁଇଂଟାଲ ଧାନ ଆସାମ କୃଷି ବିଶ୍ୱବିଦ୍ୟାଳୟ ଗବେଷଣା କେନ୍ଦ୍ରକୁ ଜୈବୀକ ଶ୍ରୀ ଫାର୍ମର୍ସ ପ୍ରଡ଼ୁସର କମ୍ପାନୀ ପକ୍ଷରୁ ପଠାଯାଇଥିବା ବେଳେ ଜିଲ୍ଲାପାଳ ଅବଦଲ ଏମ ଅକ୍ତର ଏହାର ଶୁଭାରମ୍ଭ କରିଛନ୍ତି ।

କୋରାପୁଟର ଆଦିବାସୀମାନେ ପାରମ୍ପରିକ ପଦ୍ଧତିରେ ଖୁବ୍ ଯତ୍ନର ସହକାରେ ଏହି ଚାଷ କରନ୍ତି । ବଣ ପାହାଡ଼ ଘେରା କୋରାପୁଟ ଜିଲ୍ଲାର ଜଳବାୟୁ କଳାବତି ଧାନ ଚାଷ ପାଇଁ ବେଶ ସହାୟକ ହେଉଛି । ଏକର ପିଛା ୧୫ରୁ ୧୬ କୁଇଂଟାଲ ଅମଳ ହେଉଥିବାରୁ ଚାଷୀ ମାନେ ମଧ୍ୟ ଏହି ଧାନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । କୋଟପାଡ଼, ବୋରିଗୁମ୍ମା, ଦଶମନ୍ତପୁର ବ୍ଲକରେ ଏହି ଚାଷ କରିଛନ୍ତି ଚାଷୀ ।

ଏତେ ପରିମାଣର ଔଷଧୀୟ ଗୁଣ ରହିଥିଲେ ମଧ୍ୟ କୋରାପୁଟ ଜିଲ୍ଲାରେ କିଲୋପ୍ରତି ଏହାର ଦର ମାତ୍ର ୧୦୦ରୁ ୧୫୦ ଟଙ୍କା ରହିଛି । ଯାହା ଅନ୍ୟ ରାଜ୍ୟରେ ଢ଼େର ଅଧିକ । ତେଣୁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ସହ ଏହାକୁ ବ୍ୟାପକ କରିବା ପାଇଁ ଦାବି ହୋଇଛି ।