ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆଜି : ଭାରତରେ ହେବନି ଦୃଶ୍ୟମାନ, ଲାଗିବ ନାହିଁ ଅଶୁଦ୍ଧି କାଳ; ଧାର୍ମିକ ଆୟୋଜନରେ ନାହିଁ କୌଣସି ବାଧା

365

କନକ ବ୍ୟୁରୋ : ଚଳିତ ବର୍ଷର ଆଜି ପ୍ରଥମ ସୂର୍ଯ୍ୟପରାଗ । ୨୦୨୧ର ଏହି ସୂର୍ଯ୍ୟଗ୍ରହଣ ସମୟରେ ଦେଶର କେତେକ ସ୍ଥାନରେ ବଳାୟକାର ଭାବେ ଦୃଶ୍ୟମାନ ହେବ । ଯାହାକୁ ରିଙ୍ଗ ଅଫ ଫାୟାର ମଧ୍ୟ କୁହାଯାଇଥାଏ । ବଳାୟକାର ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟର ୯୯ ପ୍ରତିଶତ ଅଂଶକୁ ଢାଙ୍କି ଦେଇଥାଏ ଓ ସୂର୍ଯ୍ୟର ବାହାର ଅଂଶ ଦୃଶ୍ୟମାନ ହୋଇଥାଏ । ଯାହା ଚମକୁଥିବା ଏକ ଚୁଡି ଭଳି ଦେଖାଯାଇଥାଏ, ତେଣୁ ଏହାର ନାମ ରିଙ୍ଗ ଅଫ ଫାୟାର ବୋଲି କୁହାଯାଇଥାଏ । ଭାରତୀୟ ସମୟ ଅନୁସାରେ ଦିପହର ୧ଟା ୪୨ ମିନିଟରୁ ସନ୍ଧ୍ୟା ୬ଟା ୪୧ ମିନିଟରେ ସମାପ୍ତ ହେବ । ଅର୍ଥାତ୍ ପ୍ରାୟ ୫ ଘଂଟା କାଳ ସୂର୍ଯ୍ୟପରାଗ ବା ଗ୍ରହଣ ସମୟ ରହିବ । ହେଲେ ଏହି ମହାଜାଗତିକ ଦୃଶ୍ୟ ଅଳ୍ପ ସମୟ ପାଇଁ ଭାରତରେ ଆଂଶିକ ଭାବେ ଦେଖିବାକୁ ମିଳିବ ।

ସୂର୍ଯ୍ୟାସ୍ତ ପୂର୍ବରୁ ଲଦ୍ଦାଖ ଓ ଅରୁଣାଚଳପ୍ରଦେଶରେ ସୂର୍ଯ୍ୟପରାଗ ଆଂଶିକ ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ୟୁରୋପ, ଆମେରିକା, ଉତର କାନାଡା, ଗ୍ରୀନଲାଣ୍ଡ ଓ ରୁଷରେ ରିଙ୍ଗ ଅଫ ଫାୟାର ଦେଖିବାକୁ ମିଳିବ । ଭାରତରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉନଥିବାରୁ ଏହାର ଅଶୁଦ୍ଧି କାଳ ଲାଗିବ ନାହିଁ । ତେଣୁ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟ କିମ୍ବା ଆୟୋଜନ କରିବାରେ ଅସୁବିଧା ନାହିଁ । ବିଜ୍ଞାନ ଅନୁସାରେ ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଏକ ସରଳ ରେଖାକୁ ଆସିଗଲେ ସୂର୍ଯ୍ୟପରାଗ ହୋଇଥାଏ ।