କନକ ବ୍ୟୁରୋ : ସୁଶାସନ ବାବୁ ନାମରେ ପରିଚିତ ବିହାରର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ସରକାର ଗଠନ ହୋଇଛି। ହେଲେ ଏବେ ବି ନିତୀଶଙ୍କ ପିଛା ଛାଡୁନି ବିବାଦ । ନିତୀଶ ସରକାରରେ ଶିକ୍ଷାମନ୍ତ୍ରୀ ଭାବେ ଶପଥ ନେଇଥିବା ଡା,ମେୱାଲାଲ୍ ଚୌଧୁରୀ ଭ୍ରଷ୍ଟାଚାର କାରଣରୁ ବିରୋଧୀଙ୍କ ଟାର୍ଗେଟ୍ ରେ ରହିଛନ୍ତି । ଏହା ମଧ୍ୟରେ ମେୱାଲାଲ ନିତୀଶଙ୍କୁ ଭେଟ୍ କରିବା ପରେ ଅଚନକ୍ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
ଆଜି (ଗୁରୁବାର) ଶିକ୍ଷାମନ୍ତ୍ରୀ ଭାବେ ଡ. ମେୱାଲାଲ ପଦବୀ ଗ୍ରହଣ କରିଥିଲେ । ନିଜ ଆସନରେ ବସିବା ପୂର୍ବରୁ ସେ କହିଥିଲେ କି ଯେଉଁମାନେ ମୋତେ ଭ୍ରଷ୍ଟାଚାରୀ କହୁଛନ୍ତି ଓ ମୋ ସ୍ତ୍ରୀର ମୃତ୍ୟୁ ପାଇଁ ମୋତେ ଦାୟୀ କରୁଛନ୍ତି ସେମାନଙ୍କ ବିରୋଧରେ ମୁଁ ୫୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କରିବି ଏବଂ ଆଜି ସେମାନଙ୍କ ନିକଟରେ ଲିଗାଲ ନୋଟିସ୍ ପହଂଚାଇବି । ହେଲେ ସକାଳେ ସେ ଏଭଳି ବୟାନ ଦେଇଥିବା ବେଳେ ସଂନ୍ଧ୍ୟା ନହେଉଣୁ ପଦରୁ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି ।
ସୂଚନା ଥାଉକି ବିହାର କୃଷି ବିଦ୍ୟାଳୟ ରେ ଡ. ମେୱାଲାଲ୍ ଚୌଧୁରୀ କୁଳପତି ଥିବା ବେଳେ ତାଙ୍କ ଉପରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏନେଇ ବି ମାମଲା ରୁଜୁ ହୋଇଥିଲା । ଏହାପରେ ବିହାରରେ ଶାସନ କ୍ଷମତାରେ ଥିବା ଜେଡିୟୁ ତାଙ୍କୁ ପଦରୁ ବହିସ୍କୃତ କରିଥିଲା । ଯାହାକୁ ନେଇ ବିରୋଧୀ ସବୁବେଳେ ନିତୀଶଙ୍କୁ ଟାର୍ଗେଟ୍ କରୁଥିଲେ । ଆଜି ବି ବିରୋଧୀଦଳ ନେତା ତେଜସ୍ୱୀ ଯାଦବ ଏକ ଟ୍ୱିଟ୍ କରି ଲେଖିଛନ୍ତି କି ଯାହା ବିରୋଧରେ ନିଜେ ନିତୀଶ କୁମାର ହତ୍ୟା, ଭ୍ରଷ୍ଟାଚାର ଭଳି ସଂଗୀନ ଅଭିଯୋଗ ଆଣିଥିଲେ ତାଙ୍କୁ ହି ଏବେ ନିଜେ ନିତୀଶ ଶିକ୍ଷାମନ୍ତ୍ରୀ ପଦରେ ଅବସ୍ଥାପିତ କରିଛନ୍ତି । ତେଣୁ ବିହାରବାସୀଙ୍କୁ କି ଶିକ୍ଷା ମିଳିବ ତାହା ଏବେ ଠାରୁ ଜଣାପଡୁଛି ।
କହିରଖୁ କି ବିହାରର ତାରାପୁର ଆସନରୁ ଜେଡିୟୁ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ଡ.ମେୱାଲାଲ୍ ଚୌଧୁରୀଙ୍କୁ ନିତୀଶ କୁମାର ପ୍ରଥମ କ୍ୟାବିନେଟ୍ ରେ ସାମିଲ କରିଥିଲେ । ରାଜନୀତିକୁ ଆସିବା ପୂର୍ବରୁ ୨୦୧୫ ପର୍ଯ୍ୟନ୍ତ ଡ. ଚୌଧୁରୀ ଭାଗଲପୁର ଠାରେ ଥିବା ବିହାର କୃଷି ବିଦ୍ୟାଳୟର କୁଳପତି ଥିଲେ । ୨୦୧୫ ରେ ସେ ଜେଡିୟୁ ଟିକେଟରୁ ବିଧାୟକ ଭାବେ ଜିତି ବିଧାନସଭାକୁ ଆସିଥିଲେ । ମାତ୍ର ବିଧାୟକ ହେବା ପରେ ସେ ନିଯୁକ୍ତ ଘୋଟାଲାରେ ଫସିଥିଲେ । ଏନେଇ ୨୦୧୭ ମସିହାରେ ସବୌର ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସେ କୋର୍ଟରୁ ଅନ୍ତରୀଣ ଜାମିନ ପାଇଥିଲେ ।
ଅନ୍ୟପଟେ ମେୱାଲାଲ୍ ଙ୍କ ପତ୍ନୀ ନୀତା ଚୌଧୁରୀ ରାଜନୀତିରେ ବେସ୍ ସକ୍ରିୟ ଥିଲେ । ସେ ଜେଡିୟୁର ମୁଙ୍ଗେର ମଣ୍ଡଳରେ ସଚେତକ ଥିଲେ  ୨୦୧୦-୧୫ ମଧ୍ୟରେ ସେ ବି ତାରାପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ମସିହାରେ ଗ୍ୟାସ୍ ସିଲିଣ୍ଡର ଫାଟିବା ଫଳରେ ସେ ପୋଡି ଯାଇଥିଲେ । ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପୂର୍ବ ଆଇପିଏସ୍ ଅଧିକାରୀ ଅମିତାଭ କୁମାର ଦାସ ନୀତାଙ୍କ ମୃତ୍ୟୁ ବାବଦରେ ମେୱାଲାଲ୍ ଙ୍କୁ ପଚରା ଉଚରା କରିବାକୁ ଚାହିଁଥିଲେ । ଏଥିପାଇଁ ସେ ଡିଜିପି ଏସ୍.କେ ସିଂଘଲଙ୍କୁ ଚିଠି ଲେଖିଥିଲେ।