ଜୁନ୍ ୬ରୁ ସଂସଦର ପ୍ରଥମ ଅଧିବେଶନ ! ରାଷ୍ଟ୍ରପତି ଦେବେ ଉଦବୋଧନ ।

59

କନକ ବ୍ୟୁରୋ : ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁନ୍ ୬ ତାରିଖରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଅନୁଷ୍ଠିତ ହେବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆସନ୍ତା ୩୦ ତାରିଖରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଶପଥ ନେବ । ଏହାପରେ ୩୧ ତାରିଖରେ ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ ।

ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ୬ ତାରିଖରେ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦବୋଧନ ଦେବେ । ସେହିଦିନ କାମଚଳା ବାଚସ୍ପତି ବା ପ୍ରୋଟେମ୍ ସ୍ପିକର୍ ନିଯୁକ୍ତ ହେବାର ସମ୍ଭାବନା ମଧ୍ୟ ରହିଛି । ପ୍ରୋଟେମ ସ୍ପିକର ନିର୍ବାଚିତ ଏମପି ମାନଙ୍କୁ ଶପଥ ପାଠ କରାଇବେ । ତେବେ ବାଚସ୍ପତି ନିର୍ବାଚନ ଆସନ୍ତା ଜୁନ ୧୦ ତାରିଖରେ ହେବାର ସମ୍ଭାବନା ରହିଛି ।