ସୈନିକ ତିଆରି କରିବ ଆରଏସଏସ୍ ! ଆଗାମୀ ବର୍ଷ ଏପ୍ରିଲ୍ ମାସରେ ଆରଏସଏସ ଖୋଲିବ ସୈନିକ ସ୍କୁଲ , ଯବାନଙ୍କ ସନ୍ତାନ ପାଇଁ ରିଜର୍ଭ ରହିବ ସିଟ୍ । 

186

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍) ଆଗାମୀ ବର୍ଷ ଏପ୍ରିଲ୍ ମାସରେ ଏକ ଆର୍ମି ସ୍କୁଲ (ସୈନିକ ସ୍କୁଲ)ଉଦଘାଟନ କରିବାକୁ ଯାଉଛି । ଏହି ସ୍କୁଲରେ ପିଲାମାନଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ଟ୍ରେନିଙ୍ଗ୍ ଦିଆଯିବ । ଏହି ସ୍କୁଲକୁ ଚଲାଇବାର ଗୁରୁ ଦାୟିତ୍ୱ ଆରଏସଏସ ଏଜୁକେସନ୍ ୱିଙ୍ଗ୍ ବିଦ୍ୟା ଭାରତୀ ହାତରେ ନ୍ୟସ୍ତ ଅଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆରଏସଏସର ସଂଘଚାଳକ ରାଜେନ୍ଦ୍ର ସିଂହ ଓରଫ୍ ରଜ୍ଜୁ ଭାଇଙ୍କ ନାମରେ ଏହି ସ୍କୁଲର ନାଁ ରଜ୍ଜୁ ଭାଇ ସୈନିକ ବିଦ୍ୟା ମନ୍ଦିର ରଖାଯିବ । ଏହି ସ୍କୁଲଟି ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାର ଶିକାରପୁରରେ ସ୍ଥାପନା କରାଯିବ । ୧୯୨୨ ମସିହାରେ ଉକ୍ତ ସ୍ଥାନରେ ରଜ୍ଜୁ ଭାଇଙ୍କ ଜନ୍ମ ହୋଇଥିଲା ।

ରିପୋର୍ଟ ମୁତାବକ , ସ୍କୁଲର ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ଏଠାରେ ପିଲାମାନଙ୍କ ପାଇଁ ହଷ୍ଟେଲର ସୁବିଧା ରହିଛି । ଆଗାମୀ ବର୍ଷ ଏପ୍ରିଲ୍ ମାସରୁ ଏଠାରେ ପାଠପଢା ଆରମ୍ଭ ହୋଇଯିବ । ଯେଉଁଥିରେ ସିବିଏସଇ ବୋର୍ଡର ସିଲାବସ୍ ପଢାଯିବ । ଯେଉଁଠାରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲା ପାଠ ପଢିପାରିବେ ।

ସ୍କୁଲ ବିଷୟରେ ଜଣେ ଅଧିକାରୀ କହିଛନ୍ତି ଯେ ଏବେ ଗୋଟିଏ ସ୍ଥାନରେ ସ୍କୁଲ ଖୋଲାଯାଇଛି । ଯଦି ଏହା ସଫଳତା ପୂର୍ବକ ଆଗକୁ ବଢିଲା ତେବେ ଦେଶର ଅନ୍ୟ ପ୍ରାନ୍ତରେ ମଧ୍ୟ ସ୍କୁଲ ଖୋଲାଯିବ । ନାମ ପଞ୍ଜୀକରଣ ପ୍ରକ୍ରିୟା ଆଗାମୀ ମାସରୁ ହେବା ଆରମ୍ଭ ହୋଇଯିବ । ଷଷ୍ଠ ଶ୍ରେଣୀ ପାଇଁ ୧୬୦ ପିଲାଙ୍କ ନାମ ପଞ୍ଜୀକରଣ କରାଯିବ । ଯବାନମାନଙ୍କ ସନ୍ତାନପାଇଁ ପୂର୍ବରୁ ୫୬ ଟି ସିଟ୍ ରିଜର୍ଭ ରହିଛି । ଏହି ସ୍କୁଲକୁ ତିଆରି କରିବା ପାଇଁ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କଥା ଶୁଣିବାକୁ ମିଳୁଛି । ଯେଉଁ ସ୍ଥାନରେ ସ୍କୁଲ୍ ତିଆରି ହେଉଛି ସେହି ଜମିକୁ ଜଣେ ଅବସରପ୍ରାପ୍ତ ଯବାନ ଏବଂ କୃଷକ ରାଜପଲ ସିଂହ ଦାନରେ ଆରଏସଏସକୁ ଦେଇଥିବା କଥା ସୂତ୍ରରୁ ଜଣାପଡିଛି ।