କନକ ବ୍ୟୁରୋ : ପୁଣି ଡରାଇଲାଣି ବାତ୍ୟା । କିନ୍ତୁ ଏଥର ଡିସେମ୍ବର ମାସରେ । ଆସନ୍ତା ୪ତାରିଖରେ ବାତ୍ୟା ‘ଜୱାଦ’, ଓଡ଼ିଶା ଉପକୂଳ ଛୁଇଁପାରେ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ୨ତାରିଖରେ ଏହି ସାମୁଦ୍ରିକ ଝଡ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ଏବଂ ୪ତାରିଖରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହେବ ।
ଆଜି ଦକ୍ଷିଣ ଥାଇଲ୍ୟାଣ୍ଡ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି ଏବଂ ଏହା ଧିରେ ଧିରେ ବଳ ଗୋଟାଇ ୩ତାରିଖରେ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟାର ରୂପ ନେବ । ସମୁଦ୍ର ଭିତରେ ଶକ୍ତି ସଂଗ୍ରହ କରିବା ପରେ ତୀବ୍ର ସାମୁଦ୍ରିକ ଝଡରେ ପରିଣତ ହୋଇ ଡିସେମ୍ବର ୪ତାରିଖ ସକାଳୁ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ନିକଟ ଉପକୂଳରେ ସ୍ଥଳଭାଗ ଛୁଇଁବ । ସେହି ସମୟରେ ପବନର ଗତି ଘଂଟାପ୍ରତି ୧୨୦କିଲୋମିଟର ରହିପାରେ ବୋଲି ଅନୁମାନ କରାଯାଉଛି ।
ଯଦି ଏହା ଓଡ଼ିଶା ଉପକୂଳ ସ୍ପର୍ଶ କରେ ତେବେ ରେକର୍ଡ ସୃଷ୍ଟି କରିବ । ୧୮୯୧ରୁ ୨୦୨୦ ମଧ୍ୟରେ ଅର୍ଥାତ ଗତ ୧୩୦ ବର୍ଷରେ ଡିସେମ୍ବରରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା କୌଣସି ବାତ୍ୟା କେବେ ଓଡ଼ିଶା ଉପକୂଳ ସ୍ପର୍ଶ କରିନାହିଁ। ଯଦି ବାତ୍ୟା ‘ଜୱାଦ’ ଉପକୂଳ ସ୍ପର୍ଶ କରେ ତେବେ ଓଡ଼ିଶା ବାତ୍ୟା ଇତିହାସରେ ଅଲୋଡ଼ା ରେକର୍ଡ ସୃଷ୍ଟି ହେବ । ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୪ ତାରିଖ ଦିନ ବାତ୍ୟା ଭୀଷଣ ରୂପ ନେବ ଓ ଏହାର କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବହିବ ।
ଉପକୂଳ ଛୁଇଁବା ପୂର୍ବରୁ ବାତ୍ୟା ସମୁଦ୍ର ଭିତରେ ଆହୁରି ବଳ ଗୋଟାଇବ ଓ ଭୀଷଣ ରୂପ ନେବ। ପ୍ରାଥମିକ ଆକଳନ ଅନୁଯାୟୀ ‘ବାତ୍ୟା’ ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ରହିବ । ଏହା ବଢ଼ିପାରେ । ‘ବାତ୍ୟା’ ପ୍ରଭାବରେ ୩ ତାରିଖ ସଂଧ୍ୟାରୁ ରାଜ୍ୟରେ ବର୍ଷିବା ଆରମ୍ଭ ହୋଇଯିବ। ୩ ତାରିଖ ରାତି ସୁଦ୍ଧା ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ୪ ଓ ୫ ତାରିଖ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/3.jpg)