ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ପଶ୍ଚିମବଙ୍ଗରେ ୩୦ ଓ ଆସାମର ୪୭ ଆସନ ପାଇଁ ଭୋଟ

60

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି । ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୩ ଲକ୍ଷ ମତଦାତା । ବିହାର ବିଧାନସଭା ନିର୍ବାଚନ ପରେ କରୋନା କାଳରେ ଏହା ଦ୍ୱିତୀୟ ନିର୍ବାଚନ । କରୋନାର ସଂକ୍ରମଣ ପୁଣି ଦେଶରେ ବଢି ଚାଲିଥିବାରୁ, କଡା କଟକଣା ଭିତରେ ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ତେଣୁ ପୋଲିଂ ବୁଥରେ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କର୍ମଚାରୀ ଓ ମତଦାତାଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ପର୍ଯ୍ୟାପ୍ତ ସାନିଟାଇଜର ଉପଲବ୍ଧ ରହିବ । ମତଦାନ କେନ୍ଦ୍ରରେ ସାମାଜିକ ଦୂରତା ବଜାୟ ରହିବ । ଏଥିପାଇଁ ବଡ ବଡ ହଲ ବ୍ୟବହାର କରାଯାଇଛି । ପୋଲିଂ ଓ ସୁରକ୍ଷା କର୍ମଚାରୀଙ୍କ ଯାତାୟତ ପାଇଁ ପର୍ଯ୍ୟାପ୍ତ ଗାଡିର ବ୍ୟବସ୍ଥା କରାଯାଇଛି ।

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ୍

– ପ୍ରଥମ ପର୍ଯ୍ୟାୟରେ ୩୦ଟି ବିଧାନସଭା ଆସନ ଲାଗି ମତଦାନ
– ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୩ ଲକ୍ଷ ମତଦାତା
– ପୁରୁଲିଆର ୯ଟି, ବାଙ୍କୁରା ଓ ଝାରଗ୍ରାମର ୪ଟି ଲେଖାଏଁ ଆସନରେ ମତଦାନ
– ପଶ୍ଚିମ ମିଦିନାପୁରର ୬ ଓ ପୂର୍ବ ମିଦିନାପୁରର ୭ଟି ଆସନ ପାଇଁ ମତଦାନ
– ଟିଏମସି ଓ ବିଜେପି ୨୯ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି
– କଂଗ୍ରେସ-ବାମଦଳ-ଆଇଏସଏଫ ମେଂଟ ୩୦ ଆସନରେ ପ୍ରାର୍ଥୀ ଦେଇଛନ୍ତି
– ୭ ହଜାର ୬୧ଟି ଅଂଚଳରେ ୧୦ ହଜାର ୨୮୮ ପୋଲିଂ ବୁଥ କରାଯାଇଛି
– ୬୮୪ କମ୍ପାନି କେନ୍ଦ୍ରୀୟ ସୁରକ୍ଷା ବଳ ସହ ସ୍ଥାନୀୟ ପୋଲିସ ମୁତୟନ
– ରାଜ୍ୟ ପୋଲିସ ବାହିନୀର ୨୨ ହଜାର ୯୨ କର୍ମଚାରୀ ନିୟୋଜିତ
– ୧୭୩ ଇନସ୍ପେକ୍ଟର, ୨ ହଜାର ୬୬୧ ଏସଆଇ କିମ୍ବା ଏଏସଆଇ ମୁତୟନ
– ୨୦୧୬ରେ ଟିଏମସି ୨୮, କଂଗ୍ରେସ ୨ ଓ ଆରଏସପି ଗୋଟିଏ ଆସନ ଜିତିଥିଲେ
– ୨୦୧୯ ଲୋକସଭା ନିର୍ବାଚନ ସଫଳତା ପରେ ବିଜେପି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହୋଇଛି

ପଶ୍ଚିମବଙ୍ଗର ମୋଟ୍ ୨୯୪ ବିଧାନସଭା ଆସନ ଲାଗି ୮ଟି ପର୍ଯ୍ୟାୟରେ ମତଦାନ ହେଉଛି । ମାର୍ଚ୍ଚ ୨୮ ଅର୍ଥାତ ଆଜି ପ୍ରଥମ ପର୍ଯ୍ୟାୟରେ ୩୦ଟି ଆସନ ଲାଗି ମତଦାନ ହେଉଥିବାବେଳେ, ଏପ୍ରିଲ ୧ରେ ୩୦, ଏପ୍ରିଲ ୬ ତାରିଖରେ ୩୧, ଏପ୍ରିଲ ୧୦ରେ ୪୪, ୧୭ ଏପ୍ରିଲରେ ୪୫, ୨୨ ଏପ୍ରିଲରେ ୪୩, ୨୬ ଏପ୍ରିଲରେ ୩୬ ଓ ଏପ୍ରିଲ ୨୯ ତାରିଖରେ ୩୫ଟି ଆସନ ଲାଗି ମତଦାନ ହେବ । ମେ ୨ ତାରିଖରେ ଭୋଟ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ ।

ସେହିପରି ଆସାମରେ ୩ଟି ପର୍ଯ୍ୟାୟରେ ମତଦାନ ହେଉଛି । ଆସାମ ବିଧାନସଭାର ମୋଟ୍ ୧୨୬ ଆସନରୁ ଆଜି ପ୍ରଥମ ପର୍ଯ୍ୟାୟରେ ୪୭ଟି ଆସନ ଲାଗି ମତଦାନ ହେଉଛି । ଏପ୍ରିଲ ୧ ତାରିଖରେ ୩୯ଟି ଆସନ ଲଗି ଦ୍ୱିତୀୟ ପର୍ଯ୍ୟାୟରେ ଭୋଟେ ପଡିବ । ସେହିପରି ଏପ୍ରିଲ ୬ ତାରିଖରେ ବାକି ୪୦ଟି ଆସନ ଲାଗି ତୃତୀୟ ପର୍ଯ୍ୟାୟରେ ମତଦାନ ହେବ ।

ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନ

– ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୪୭ଟି ଆସନ ଲାଗି ହେଉଛି ମତଦାନ
– ବିଭିନ୍ନ ରାଜନୈତିକ ଦଳର ମୋଟ୍ ୨୬୪ ପ୍ରାର୍ଥୀ ମୈଦାନରେ ଅଛନ୍ତି
– ଏମାନଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରାୟ ୮୧ ଲକ୍ଷ ଭୋଟର
– ମୁହାଁମୁହିଁ ହେଉଛନ୍ତି ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ-ଏଆଇୟୁଡିଏଫ ମେଂଟ
– ବିଜେପି ୩୭ ଓ ମେଂଟ ସହଯୋଗୀ ଆସାମ ଗଣପରିଷଦ ୧୦ଟି ଆସନରେ ଲଢୁଛନ୍ତି
– କଂଗ୍ରେସ ୪୩ଟି ଆସନରେ ପ୍ରାର୍ଥୀ ଦେଇ, ମେଂଟ ସହଯୋଗୀଙ୍କୁ ୪ଟି ଆସନ ଦେଇଛି
– ପ୍ରଥମ ପର୍ଯ୍ୟାୟରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଭାଗ୍ୟ ପରୀକ୍ଷା ହେବ
– ସେହିପରି କଂଗ୍ରେସ ବିଧାୟକ ଦଳ ନେତା ଦେବବ୍ରତ ସାଇକିଆଙ୍କ ପାଇଁ ଆଜି ଭୋଟ୍ ପଡିବ