ରାତି ପାହିଲେ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୯୧ଟି ସଂସଦୀୟ ଆସନ ପାଇଁ ୨୦ ରାଜ୍ୟରେ ପଡିବ ଭୋଟ୍, ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

130

କନକ ବ୍ୟୁରୋ : ରାତିପାହିଲେ ଦେଶରେ ସାଧାରଣ ନିର୍ବାଚନ । ପ୍ରଥମ ଚରଣ ମତଦାନରେ ଦେଶର ମୋଟ୍ ୨୦ ଟି ରାଜ୍ୟର ୯୧ ଟି ସଂସଦୀୟ କ୍ଷେତ୍ରରେ ହେବ ମତଦାନ । ଏଥିପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି । ସମସ୍ତ ପୁଲିଂ ବୁଥରେ ପୁଲିଂ ପାର୍ଟି ଗୁଡିକ ଇଭିଏମ୍ ଓ ଭିଭିପାଟ୍ ସହିତ ପହଁଚି ସାରିଛନ୍ତି । ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଚାଲିବ ମତଦାନ ପ୍ରକ୍ରିୟା । ଏହାକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସମ୍ୱେଦନଶୀଳ ବୁଥ ଗୁଡିକ ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ୨୭, ତେଲେଙ୍ଗାନାର ୧୭ଟି, ମହାରାଷ୍ଟ୍ରର ୭ଟି, ଉତ୍ତରପ୍ରଦେଶର ୮ଟି, ଓଡିଶାର ୪ ଟି ଲୋକସଭା ଆସନକୁ ମିଶାଇ ମୋଟ୍ ୨୦ ରାଜ୍ୟର ୯୧ ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ୯୧ଟି ଲୋକସଭା ଆସନରେ ମୋଟ୍ ୧୨ ଶହ ୮୪ ପ୍ରାର୍ଥୀ ଅଛନ୍ତି । ଦେଶରେ ମୋଟ୍ ୭ଟି ପର୍ଯ୍ୟାୟରେ ହେବ ମତଦାନ । ମେ ୨୩ ତାରିଖରେ ଆସିବ ନିର୍ବାଚନ ଫଳାଫଳ ।

ନିର୍ବାଚନ ପୂର୍ବରୁ ବଡ କସରତ କରିଛନ୍ତି ସମସ୍ତ ରାଜନୈତିକ ଦଳ । ତେବେ ସବୁଠାରୁ ବଡ କଥା ହେଉଛି, ବିଜୟ ନେଇ ସମସ୍ତେ ଆଶାବାଦୀ ଥିବା ବେଳେ ଭୋଟର କାହା ଉପରେ ଭରସା କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର । ଆଉ ଏହାରି ଭିତରେ ଅପେକ୍ଷା ଆସନ୍ତା ମେ ମାସ ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ଜନମତ କାହା ସପକ୍ଷରେ ଯାଉଛି, କାହାକୁ ଭରସୁଛନ୍ତି ଜନତା ।