କରୋନା ସଙ୍କଟ ଭିତରେ ଭୋଟ ଦେବ ବିହାର : ଆଜି ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ; କଟକଣା ଭିତରେ ୧୬ ଜିଲ୍ଲାର ୧ ହଜାର ୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ମତାଧିକାର ସାବ୍ୟସ୍ତ କରିବେ ୨ କୋଟି ୧୪ଲକ୍ଷ ଭୋଟର

72

କନକ ବ୍ୟୁରୋ : କରୋନା କାଳରେ ଦେଶର ପ୍ରଥମ ନିର୍ବାଚନ । ଆଜି ବିହାର ବିଧାନସଭା ଲାଗି ପଡିବ ଭୋଟ୍ । ବିହାର ବିଧାନସଭାର ମୋଟ୍ ୨୪୩ ଆସନରୁ ପ୍ରଥମ ପର୍ଯ୍ୟାୟରେ ୭୧ ଟି ଆସନରେ ଭୋଟିଂ ହେଉଛି । କୋଭିଡ କଟକଣା ଭିତରେ ୧୬ ଟି ଜିଲ୍ଲାରେ ହେଉଥିବା ଏହି ମତଦାନରେ ୧ ହଜାର ୬୬ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରାୟ ୨ କୋଟି ୧୪ ଲକ୍ଷ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରିବେ ।

୧ ହଜାର ୬୬ ପ୍ରତି ଯୋଗୀଙ୍କ ମଧ୍ୟରୁ ୫୪ ଆସନରେ ଏନଡିଏ ପ୍ରାର୍ଥୀ ଏବଂ ମହାଗଠବନ୍ଧନ ପ୍ରାର୍ଥୀଙ୍କ ମଧ୍ୟରେ ସିଧା ଟକ୍କର ହେବ । ୧୭ ଆସନରେ ମୁକାବିଲା ତ୍ରିକୋଣୀୟ ହେବାର ସଂଭାବନା ରହିଛି । କରୋନା ସଂକ୍ରମଣକୁ ଚେକ୍ ଦେଇ କିଭଳି ହେବ ମତଦାନ, ସେଥିପାଇଁ ବିଶେଷ ଗାଇଡଲାଇନ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । କରୋନା ସଂକ୍ରମଣର ସମ୍ଭାବନାକୁ ଏଡାଇ ଅବାଧ ଓ ନିରକ୍ଷେପ ନିର୍ବାଚନ କରିବାକୁ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ନିର୍ବାଚନ କମିଶନ୍ ।

କରୋନା ସଂକ୍ରମଣକୁ ଏଡାଇବା ପାଇଁ ଗୋଟିଏ ପୋଲିଂ ବୁଥରେ ସର୍ବାଧିକ ୧ ହଜାରରୁ ୧୬ ଶହ ଭୋଟର ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ମତଦାତାମାନେ ଭିନ୍ନ ଭିନ୍ନ ସମୟରେ ମତଦାନ କେନ୍ଦ୍ରକୁ ଆସିବେ । ସେହିପରି ୮୦ ବର୍ଷରୁ ଉର୍ଦ୍ଧ୍ୱ ମତଦାତା ଘରେ ରହି ପୋଷ୍ଟାଲ ବାଲଟରେ ମତଦାନ କରିବେ । କୋଭିଡ ସଂକ୍ରମିତ ମତଦାତା ଶେଷରେ ମତଦାନ କେନ୍ଦ୍ରକୁ ଆସିବେ ବୋଲି ଗାଇଡଲାଇନ ଜାରି କରାଯାଇଛି ।