ଶାନ୍ତି ଶୃଙ୍ଖଳାରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍ ! ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ, ୫ଟା ଯାଏଁ ୬୬% ମତଦାନ ।

148

କନକ ବ୍ୟୁରୋ : କାଁଭାଁ ଗୋଟିଏ ଦୁଇଟି ସାମାନ୍ୟ ଅଘଟଣକୁ ଛାଡି ଦେଲେ ଆଜି ଅତି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଶେଷ ଖବର ସୁଦ୍ଧା ସଂଧ୍ୟା ୫ଟା ସୁଦ୍ଧା ପ୍ରାୟ ୬୬ ପ୍ରତିଶତ ମତଦାନ ହୋଇଛି । କେତେକ ସ୍ଥାନରେ ଇଭିଏମ୍ ମେସିନର ସଠିକ୍ ବ୍ୟବହାର ହୋଇନଥିବାରୁ ମତଦାନ ଆରମ୍ଭରୁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତେବେ ଏହାର ପରିମାଣ ୧ ପ୍ରତିଶତରୁ କମ୍ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଗଣତନ୍ତ୍ରର ସବୁଠୁ ବଡ ଉତ୍ସବରେ କିନ୍ତୁ ମାଲକାନଗିରି ଜିଲ୍ଲାର ମାଥିଲିରେ ୮ଟି ଗାଁର ଲୋକ, ବିକାଶକୁ ମୁଦ୍ଦା କରି ଭୋଟ୍ ବର୍ଜନ କରିଛନ୍ତି । ସେମାନଙ୍କ ଦାବିକୁ ବିଚାରକୁ ନିଆଯାଇଥିବା ସିଇଓ କହିଛନ୍ତି । ମାଓ ଭୟରେ କୁନ୍ତରୁପଦରରେ ମଧ୍ୟ ପଡ଼ି ପାରିଲାନି ଭୋଟ୍ ।

ଗଣତନ୍ତ୍ରର ସବୁଠୁ ବଡ ପର୍ବରେ ସାମିଲ ହେବା ପାଇଁ ସକାଳୁ ସକାଳୁ ପହଂଚିଯାଇଥିଲେ ଭୋଟର୍ । ସହରାଚଂଳରୁ ଗ୍ରାମାଚଂଳ, ନିଜ ନିଜ ଭୋଟ୍ ପରିଚୟ ପତ୍ର ଧରି ଗଣତନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଜନତା ଘରୁ ବାହାରି ଆସିଥିଲେ । ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ସିଟ୍ ପାଇଁ ଉତ୍ସାହର ସହ ମତ ସାବ୍ୟସ୍ତ କରିଛନ୍ତି ଜନତା ।

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ଭାବରେ ଭବାନୀପାଟଣା, ବ୍ରହ୍ମପୁର, ଜୟପୁର ଏବଂ ମାଲକାନଗିରି ବିଧାନସଭା ଆସନର କିଛି ବୁଥରେ ଇଭିଏମ୍ ସମସ୍ୟା ଯୋଗୁଁ ମତଦାନ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ହୋଇଥିଲା । ତେବେ ପରବର୍ତି ସମୟରେ ଭୋଟ୍ ଗ୍ରହଣ ସ୍ୱାଭାବିକ ହେବା ସହ ସୁରୁଖୁରୁରେ ଶେଷ ହୋଇଥିଲା ମତଦାନ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମୈଦାନରେ ଥିବା ୨୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର୍ । ଆଉ ଭୋଟରଙ୍କ ଏହି ନିଷ୍ପତି ଆସନ୍ତା ୫ ବର୍ଷ ଯାଏଁ ନେତାଙ୍କ ରାଜନୈତିକ ଭବିଷ୍ୟତ ସହ ଯୋଡିହୋଇ ରହିବ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଏହି ୪ଟି ଲୋକସଭା ଆସନ ପାଇଁ ୨୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ବନ୍ଦ ହୋଇ ରହିଛି । ସେହିପରି ୨୮ଟି ବିଧାନସଭା ପାଇଁ ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ।

କିଛି ସ୍ଥାନରେ ଭୋଟ୍ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମାଓ ପ୍ରବଣ ଅଂଚଳରେ ମତଦାନ ପ୍ରକ୍ରିୟା ସାମାନ୍ୟ ବାଧାପ୍ରାନ୍ତ ହୋଇଛି । ଏଭଳି କାଁଭାଁ କିଛି ଘଟଣାକୁ ଛାଡ଼ି ଦେଲେ ସୁରୁଖୁରୁରେ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ନେତାଙ୍କ ଭାଗ୍ୟ ଏବେ ଇଭିଏମ୍ ମେସିନରେ ବନ୍ଧା ହୋଇଛି । ଆଉ ଆସନ୍ତା ମେ’ ୨୩ରେ ଖୋଲିବ ନେତାଙ୍କ ଭାଗ୍ୟର ପେଡି ।